ଓଡିଶା

odisha

ETV Bharat / politics

ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ଡମ୍ବରୁଧର-ସନ୍ତୋଷ ଜେନା - BJP Joining Ceremony

BJP Joining Ceremony: ବିଜେପିରେ ସାମଲ ହେଲେ ବିଜେଡିର ଶତାଧିକ କର୍ମୀ । ପଦ୍ମ କ୍ୟାମ୍ପରେ ଚିତ୍ରକୋଣ୍ଡାର ପୂର୍ବତନ ବିଜେଡ଼ି ବିଧାୟକ ଡ଼ମ୍ବରୁଧର ସୀସା ଓ ଜଟଣୀର ବିଜେଡି ନେତା ସନ୍ତୋଷ ଜେନା । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Mar 31, 2024, 10:54 AM IST

ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ଡିଆଁ ପର୍ବ । କଂଗ୍ରେସ ଓ ବିଜେଡି ଛାଡି ଜଣଙ୍କ ପରେ ଜଣେ ନେତା ପଦ୍ମ କ୍ୟାମ୍ପରେ ହେଉଛନ୍ତି ସାମିଲ । ବିଜେପିର ମିଶ୍ରଣ ପର୍ବରେ ଶତାଧିକ ବିଜେଡି ନେତା ଦଳରେ ସାମିଲ ହୋଇଛନ୍ତି । ଚିତ୍ରକୋଣ୍ଡାର ପୂର୍ବତନ ବିଜେଡ଼ି ବିଧାୟକ ଡ଼ମ୍ବରୁଧର ସୀସା, ଜଟଣୀର ବିଜେଡି ନେତା ସନ୍ତୋଷ ଜେନା, ବ୍ଲକ ବିଜେଡି ସଭାପତି ଚିତ୍ତ ରଞ୍ଜନ ପଟ୍ଟନାୟକ ଓ ବିଜେଡିର ସଂଯୁକ୍ତା ମହଲା ବିଜେପିରେ ମିଳିଛନ୍ତି । ସେହିପରି କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି ରଶ୍ମି ମହାପାତ୍ର । ରଶ୍ମିଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା କିଷାନ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସଭାନେତ୍ରୀଙ୍କ ସହ ବହୁ କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଛନ୍ତି ।

ଶନିବାର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ଓ କାଉନସିଲର, ନୂଆଗାଁ ଏବଂ ଗଣିଆ ବ୍ଲକର ବହୁ ବିଜେଡି ନେତା, ମାଲକାନଗିରି ଏବଂ ନୟାଗଡର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ମିଶିଥିଲେ । ସେହିପରି ଧାମନଗର ବ୍ଲକର ଅନେକ ବିଜେଡ଼ି ନେତା ପଦ୍ମ ଶିବିରରେ ଯୋଗ ଦେଇଛନ୍ତି । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଏବଂ ପୂର୍ବତନ ବିଧାୟକ ତଥା ବିଜେପି ନେତା ରାଜେନ୍ଦ୍ର ଦାସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଅରବିନ୍ଦ ଢାଲି, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ଯ ପଢନ୍ତୁ-ବିଜେପି ମିଶ୍ରଣ ପର୍ବ: କଂଗ୍ରେସର ହାତ ଛାଡ଼ି ପଦ୍ମ ଧରିଲେ ଇତିଶ ପ୍ରଧାନ

ବିଜେପିରେ ସାମିଲ ହେବା ପରେ ଜଟଣୀ ଅଞ୍ଚଳର ନେତା ସନ୍ତୋଷ ଜେନା କହିଛନ୍ତି, ''ଘରକୁ ଫେରି ବା ଘର ବାହୁଡା ହୋଇ ବେଶ ଖୁସି ମୁଁ । ୫ ବର୍ଷର ତିକ୍ତ ଅନୁଭୂତିକୁ ମୁଁ ମନେ ପକେଇବାକୁ ଚାହୁଁନି । ମୁଁ ପ୍ରତିଶୃତି ଦେଉଛି ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଜେପି ସର୍ବାଧିକ ଭୋଟରେ ଜୟଯୁକ୍ତ ହେବ ।''

ରଶ୍ମୀ ମହାପାତ୍ର କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତିରୁ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି । ଜଣେ ନେତାଙ୍କୁ 5 ବର୍ଷ ଦଳ ସୁଯୋଗ ଦେଲେ, ଆଉ 10 ବର୍ଷ ଲୋକେ ଦେବେ । ଆଗକୁ ଭଲ କାମ କରିପାରିବି ସେ ଲକ୍ଷ୍ୟ ନେଇ ବିଜେପିରେ ସାମିଲ ହୋଇଛି ।''ସେହିପରି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁଧର ସୀସା ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ''ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟପନ୍ଥରୁ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି । ଓଡ଼ିଶାରେ ପରିବର୍ତ୍ତନ ହେବ । ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ପାଇଁ ମୋଦି ପ୍ରୟାସ କରୁଛନ୍ତି । ଏଥିରେ ସହଯୋଗ କରିବା ପାଇଁ ଆମେ ବିଜେପିରେ ମିଶୁଛୁ । ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ ବିଜେପି ବଢିବ ଏବଂ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜେପି ଜିତିବ।''

ସେହିପରି ବିଜେପିରେ ମିଶିବା ପରେ ବିଜେଡ଼ି ଉପରେ ବର୍ଷିଥିଲେ ସଂଯୁକ୍ତା ମହଲ । ସେ କହିଥିଲେ,''ମୁଖ୍ୟମନ୍ତ୍ରୀ ମତେ ନ୍ୟାୟ ଦେଇପାରିଲେନି । ସେଥିଲାଗି ବିଜେଡି ଛାଡି ବିଜେପିରେ ମିଶିଲି । ପୋଲସରାରେ ଶ୍ରୀକାନ୍ତଙ୍କ ଭୋଟ କାଟିବି, ତାଙ୍କ ବିରୋଧରେ ପ୍ରଚାର କରିବି । ଘରକୁ ଘର ବୁଲି ମା ଭଉଣୀଙ୍କୁ ସଚେତନ କରିବି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଚୋରି, ହତ୍ୟା, ଦୁଷ୍କର୍ମ ଭଳି କେଶ ଲାଗିଥିବା ବେଳେ ତାଙ୍କୁ ଟିକେଟ ଦିଆଯାଇଛି । ମତେ ନ୍ୟାୟ ମିଳିଲାନି ବୋଲି ବିଜେପିରେ ସାମିଲ ହେଲି । ମୁଖ୍ୟମନ୍ତ୍ରୀ ମତେ ନ୍ୟାୟ ଦେଇପାରିଲେନି । ଧ୍ରୁତରାଷ୍ଟ୍ର ପରି ମୁଖ୍ୟମନ୍ତ୍ରୀ କିଛି ଦେଖିପାରୁନାହାନ୍ତି କି ଜାଣିପାରୁନାହାନ୍ତି । ଶ୍ରୀକାନ୍ତଙ୍କ ନିର୍ଯାତନାରେ ଅନେକ ମହିଳା କାନ୍ଦୁଛନ୍ତି । ସେହି ମହିଳାଙ୍କୁ ଆଗକୁ ଆସିବାକୁ ପଡ଼ିବ । ଶ୍ରୀକାନ୍ତ ପୁଣି ଶାସନକୁ ଆସିଲେ ମହିଳା ସୁରକ୍ଷିତ ରହିବେନି ମୋ ପରି ସ୍ୱାଭିମାନୀ ନେତା ବିଜେଡିରେ ରହି ଅଣ ନିଶ୍ୱାସୀ । ବିଜେପିରେ ନାରୀଙ୍କ ପାଇଁ ପ୍ରଚାର କରିବି । ମତେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବା ବଦଳରେ ଶ୍ରୀକାନ୍ତଙ୍କୁ କୋଳରେ ବସାଇଲେ, ଟିକେଟ ଦେଇକି ବିଧାନସଭାରେ ବସାଇବାକୁ ପ୍ରତିଶୃତି ଦେଇଛନ୍ତି । ମୋର ବିଶ୍ୱାସ ଶ୍ରୀକାନ୍ତ ହାରିବେ । ''



ଅନ୍ୟପଟେ ଏହି ବଡ ମିଶ୍ରଣ ପର୍ବ ପରେ ମିଶ୍ରଣ ପର୍ବ ମଞ୍ଚରୁ ବିଜେଡିକୁ ଟାର୍ଗେଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଥିଲେ, ''ବିଜେଡି ଯାଉଛି ବିଜେପି ସରକାର ଆସୁଛି । କଠିନ ପରିଶ୍ରମ ଦରକାର । ବିକଳ୍ପ ସରକାର ଲୋକେ ଖୋଜୁଥିଲେ । ରାଜନୀତିର ଗତି ବଦଳିଛି । ଦୁଇ ତିନି ବର୍ଷ ତଳେ ବିଜେଡି ବିଧାୟକ ଓ ସାଂସଦ ଦେଖା ନଥିଲା । କାହାକୁ ଟେଣ୍ଟ ଓ ଲାଇଟ ବାନ୍ଧିବା କାମରେ ଲଗାଯାଉଥିଲା । ଏବେ କହୁଛନ୍ତି ବିଜେପି ଆମକୁ ସମ୍ମାନ ଦେଉଛି । ନବୀନ ନିବାସ ଡକା ଯାଉଛି ଫଟୋ ଉଠାଯାଉଛି । ଗଣତନ୍ତ୍ରର ତଣ୍ଟି ଚିପି ହତ୍ୟା ପାଇଁ ବିଜେଡି ଯେଉଁ ଚେଷ୍ଟା କରୁଥିଲା ତାହା ବନ୍ଦ ହୋଇଛି । ଜୁନ 4 ପରେ ବିଧାୟକ ଓ ସାଂସଦ କଥା କହିବାର ଅଧିକାର ପାଇବେ । ଦୁର୍ନୀତି ଓ ଭ୍ରଷ୍ଟାଚାର ଶେଷ ହେବ । 40 ଲକ୍ଷ ଚିଟ ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ହେବ । 1 କୋଟି ବେକାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଦିଆଯିବ । ଧାନର ଏମଏସପି 3100 ଟଙ୍କା କରାଯିବ । 17 ପ୍ରତିଶତରୁ 82 ପ୍ରତିଶତ ପର୍ଯ୍ୟନ୍ତ ଜଳସେଚନ କରାଯିବ । ଓଡ଼ିଶାର ସାମଗ୍ରୀକ ବିକାଶ ହେବ ।''

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, '' ପ୍ରତିଦିନ ବିଜେଡ଼ି ଏବଂ କଂଗ୍ରେସର କର୍ମୀ ଭାରତୀୟ ଜନତା ପାର୍ଟି ପ୍ରତି ଆକର୍ଷିତ ହୋଇ ଦଳରେ ଯୋଗଦାନ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଓଡ଼ିଶା ବିଜେଡ଼ି ଏବଂ କଂଗ୍ରେସରେ ହାହାକାର ଆଉ ବିଜେପିର ବଲେ ବଲେ । ଆମେ ସମସ୍ତେ କହିବା ମୋ ଦଳ ବଢୁଛି ଏବଂ ଶକ୍ତିଶାଳୀ ହେଉଛି । ଲୋକ ନୀତି, ସୁଶାସନ, ଗରିବୀ କଲ୍ୟାଣ ଆମ ବିଚାରଧାରା । ସନ୍ତୋଷ ଜେନା ଆସିବା ପରେ ଜଟଣୀରେ ବିଜେପି ଅଧିକ ଶକ୍ତିଶାଳୀ ହେବ ମୋର ବିଶ୍ବାସ । ରଶ୍ମି ମହାପାତ୍ର ଆସିବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ଆହୁରି ମଜଭୁତ ହେବ । ଅଧିକାଂଶ ଲୋକସଭା ଆମକୁ ଜିତିବାର ଅଛି ଯଦି ଆମକୁ ମୋଦିଙ୍କୁ ତୃତୀୟ ଥର ଆଣିବାର ଅଛି । ବଡ଼ ପରିବାର ଅଛି ସମସ୍ତଙ୍କୁ ନେଇକି ଚାଲିବାର ଅଛି । ବିନମ୍ରତାର ସହ ଚାଲିବାକୁ ହେବ । ''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details