ଓଡିଶା

odisha

ETV Bharat / politics

ମମତା-ନବୀନଙ୍କୁ ଛିଗୁଲେଇଲେ ମନ୍ତ୍ରୀ: ଭାଇ କହିଥିବେ, ଭଉଣୀ ବନ୍ଦ କରିଥିବେ, ଜବାବ ରଖିଲେ ଅରୁଣ - Potato Crisis Politics - POTATO CRISIS POLITICS

Potato Crisis Politics: ରାଜ୍ୟରେ ଜୋର ଧରିଛି ଆଳୁ ରାଜନୀତି । ଆକାଶଛୁଆଁ ଆଳୁ ଦର ସାଙ୍ଗକୁ ବଜାରରେ ଆଳୁର ଅଭାବ ଏବେ ସମସ୍ତଙ୍କ ଚିନ୍ତା ବଡାଇ ଦେଇଛି । ଏହାରି ଭିତରେ ଆଳୁ ଯୋଗାଣ ବନ୍ଦ ହେବା ଭାଇ ଭଉଣୀଙ୍କ ପ୍ଲାନ ବୋଲି କହି ପରୋକ୍ଷରେ ନବୀନ ଓ ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ଯୋଗାଣ ମନ୍ତ୍ରୀ । ବିଜେଡି କ'ଣ ଜବାବ ରଖିଛି ଜାଣନ୍ତୁ ।

Potato Crisis Politics
Potato Crisis Politics (ETV Bharat Odisha)

By ETV Bharat Odisha Team

Published : Aug 8, 2024, 7:52 PM IST

ଭୁବନେଶ୍ବର:ରାଜ୍ୟରେ ଆଳୁ ସମସ୍ୟା ଲାଗି ରହିଛି । ପଶ୍ଚିମବଙ୍ଗରୁ 5 ଟି ଟ୍ରକ ଆଳୁ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଉତ୍ତରପ୍ରଦେଶ ଆଳୁକୁ ଅପେକ୍ଷା କରାଯାଇଛି । ଏହାରି ଭିତରେ ପଶ୍ଚିମବଙ୍ଗ ସହ ଆଳୁ ବିବାଦ ନେଇ ଛିଗୁଲେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯାହାର ଜବାବ ଦେଇଛି ବିଜେଡି ।

Potato Crisis Politics (ETV Bharat Odisha)

ପରୋକ୍ଷରେ ନବୀନଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଟାକ୍ଷ:

ଆଳୁ ଯୋଗାଣ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଭାଇ କହିଥିବେ, ଭଉଣୀ ଆଳୁ ପଠେଇବା ବନ୍ଦ କରିଥିବେ। ଖାଉଟିଙ୍କ ସୁବିଧା ପ୍ରଥମେ ଦେଖିବୁ । ପଶ୍ଚିମବଙ୍ଗ ପକ୍ଷରୁ ଆଳୁ ଗାଡିର ବାଟ ଓଗଳା ଯାଉଛି । ପଶ୍ଚିମବଙ୍ଗ ଆମ ବେପାରୀଙ୍କୁ କାହିଁକି ଅସୁବିଧାରେ ପକାଉଛନ୍ତି ଜାଣିନାହିଁ । ଭାଇ କହିଥିବେ ଓ ଭଉଣୀ ଏମିତି କରୁଥିବେ। ଏ କଥା ଅଲଗା ହୋଇଥିବ । ଆଳୁ ଉତ୍ପାଦନରେ ଆମେ ଆତ୍ମନିର୍ଭରଶୀଳ ନୁହେଁ । ଓଡିଶାରେ ଆଳୁ ଉତ୍ପାଦନ ମାତ୍ର 3 ଲକ୍ଷ କୁଇଣ୍ଟାଲ ହୁଏ । କିନ୍ତୁ ଆମର ଚାହିଦା ହେଉଛି 13 ଲକ୍ଷ କୁଇଣ୍ଟାଲ । ଆଳୁ ଉତ୍ପାଦନରେ ଆମେ ଦୁଇ କିମ୍ବା ତିନି ବର୍ଷରେ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁ । ଆମେ ଆଉ କାହାକୁ ହାତ ପତେଇବୁ ନାହିଁ । ସେତେବେଳେ ଆଉ ଆମକୁ ପଶ୍ଚିମବଙ୍ଗ କିମ୍ବା ଉତ୍ତରପ୍ରଦେଶ ଆଗରେ ହାତ ପତେଇବାକୁ ପଡିବ ନାହିଁ ।"

ଦିନେ ଦୁଇ ଦିନରେ ସମାଧାନ ହେବ ଆଳୁ ସମସ୍ୟା:
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, " ଆଜି ଆଳୁ ଆସିଯାଇଛି । କାଲି ମଧ୍ୟ ଆଉ ଆଳୁ ଆସିବ । ମୋତେ ଲାଗୁଛି ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆଳୁର ସମସ୍ୟା ସମାଧାନ ହୋଇଯିବ । ଏହି ସମସ୍ୟା ଆଉ ବେଶୀ ଦିନ ରହିବ ନାହିଁ । ମାନୁଛି, ଆଳୁ ନେଇ ଗତ କିଛିଦିନ ହେଲା ସମସ୍ୟା ଥିଲା । ଆଗକୁ ଆଉ ସମସ୍ୟା ରହିବ ନାହିଁ । ଆଳୁ ଗାଡି ଆସିବା ଆରମ୍ଭ ହୋଇଗଲାଣି । ପଶ୍ଚିମବଙ୍ଗରୁ ଆମେ ଆଳୁ ଆଣିବୁ ନାହିଁ ବୋଲି କେବେ କହିନାହୁଁ । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ ଆସିବ । ଅବଶ୍ୟକ ପଡିଲେ ଯେଉଁଠି ହେଲେ ଆଳୁ ଆଣିବୁ ।"

'ମନ୍ତ୍ରୀଙ୍କ ପ୍ରତିକ୍ରିୟା ବାଧୁଛି'
ଯୋଗାଣ ମନ୍ତ୍ରୀଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, "ଆଳୁ ଦର ବୃଦ୍ଧି ଜନସାଧାରଣଙ୍କୁ ବାଧୁଛି । ତା'ଠାରୁ ଅଧିକ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଅଧିକ ବାଧୁଛି । ଦିନେ କହୁଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆଣିବୁ ନାହିଁ ଉତ୍ତର ପ୍ରଦେଶରୁ ଆଣିବୁ । ତା'ପରେ କହୁଛନ୍ତି ପଞ୍ଜାବରୁ ଆଳୁ ଆଣିବୁ । ଆଳୁର ଦରଦାମ ବଢିବା ଯନ୍ତ୍ରଣା ଯେତିକି ଅଧିକ, ତା'ଠାରୁ କାହିଁ କେତେ ଗୁଣ ଅଧିକ ହେଉଛି ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ଜନସାଧାରଣଙ୍କୁ ଦ୍ଵନ୍ଦ୍ବରେ ପକାଇଛି । ପ୍ରତିକ୍ରିୟା ନଦେଇ ଲୋକେ କେମିତି ଆଳୁ ପାଇବେ ମନ୍ତ୍ରୀ ବ୍ୟବସ୍ଥା କରନ୍ତୁ । ମନ୍ତ୍ରୀ ନିଜର ଦୁର୍ବଳତାକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ସେ ଭାବୁଛନ୍ତି, ଲୋକଙ୍କୁ କିଛି ବି କହି ଭୁଆଁ ବୁଲେଇ ହେବ । ଏହା କରି ସେ ନିଜକୁ ଓ ସରକାରଙ୍କୁ ଅସୁବିଧାରେ ପକାଉଛନ୍ତି । ଆଳୁ ଜନିତ ଯନ୍ତ୍ରଣାକୁ ଆହୁରି ବଢ଼ାଉଛନ୍ତି ।"

ଏହା ବି ପଢନ୍ତୁ...ଛତ୍ର ବଜାରରୁ ରାଜଧାନୀ ଆଳୁ ଗାୟବ ! ଆଳୁ ବିକି ପଖାଳ ଖାଇ ଭୁବନେଶ୍ବରରେ ପ୍ରତିବାଦ - Potato Shortage


ଆଗକୁ ଆଳୁ ଦର କମିବା ସମ୍ଭାବନା:
ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଗତ କିଛି ଦିନ ଧରି ଆଳୁ ଦର ଉପରମୁହାଁ ରହିଥିଲା । ପଶ୍ଚିମବଙ୍ଗରୁ ଆଳୁ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନଥିବାରୁ ଦର ବଢ଼ିବାରେ ଲାଗିଥିଲା । ଖୁଚୁରା ବଜାରରେ ଆଳୁ ଦର କିଲୋ ପିଛା 50ରୁ 60 ଟଙ୍କାରେ ପହଞ୍ଚିଥିଲା । ତେବେ ଭୁବନେଶ୍ବରର ଆଇଗିଣିଆ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ ଆଳୁ ଆସି ପହଞ୍ଚିଛି । ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି । ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ । ଉତ୍ତରପ୍ରଦେଶ ଆଳୁକୁ ଅପେକ୍ଷା କରାଯାଇଛି । ଉତ୍ତର ପ୍ରଦେଶରୁ ଆଳୁ ଆସିଲେ ଦର ପୁଣି କମିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details