ଭୁବନେଶ୍ବର:ସାମ୍ବାଦିକ ସମିଳନୀରେ ବିଜେପିକୁ ଟାର୍ଗେଟ୍ କଲା କଂଗ୍ରେସ । ସମ୍ବିଧାନକୁ ବଞ୍ଚାଇବା କଥା କହି ଆହ୍ୱାନ ଦେଇଛି କଂଗ୍ରେସ । ଏଆଇସିସି ମୁଖପାତ୍ର ଶ୍ୟାମା ମହମ୍ମଦ କହିଛନ୍ତି, "ସମ୍ବିଧାନକୁ ବଦଳାଇବା ପାଇଁ ଯୋଜନା କରୁଛି ବିଜେପି । ସେଥିପାଇଁ ସମ୍ବିଧାନ ପରିବର୍ତ୍ତନ ପାଇଁ 'ଅବକି ବାର 400 ପାର' ନାରା ଦେଇଛି ବିଜେପି । ପଛୁଆ ବର୍ଗଙ୍କ ଆରକ୍ଷଣ ପରିବର୍ତ୍ତନ କରିବାକୁ ଏହି ନାରା ଦିଆଯାଇଛି । ଏହା ହେଉଛି ବି. ଆର ଆମ୍ବେଦକରଙ୍କ ପ୍ରତି ଅସମ୍ମାନ । ଦେଶରେ 70 ଭାଗ ହେଉଛନ୍ତି ପଛୁଆବର୍ଗର ଜନତା । କିନ୍ତୁ ତାଙ୍କ ପାଇଁ ନ୍ୟାୟ ନାହିଁ । ଦେଶର ବୃହତ ସରକାରୀ ଅନୁଷ୍ଠାନ ଗୁଡିକରେ ପଛୁଆବର୍ଗଙ୍କ ପାଇଁ କୌଣସି ଆରକ୍ଷଣ ବ୍ୟବସ୍ଥା ନାହିଁ । ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ପଛୁଆ ବର୍ଗଙ୍କ ଆରକ୍ଷଣ ନାହିଁ ।"
ସେ ଆହୁରି କହିଛନ୍ତି, "ବିଭିନ୍ନ ଜାତୀୟ ବ୍ୟାଙ୍କରେ 11 ହଜାର 310 ବଡ଼ ବଡ଼ ପଦ ପଦବୀ ଥିବାବେଳେ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ମାତ୍ରା 2 ହଜାର । କିନ୍ତୁ ମନରେଗାରେ 75 ପ୍ରତିଶତ ସଫେଇ କର୍ମଚାରୀ ଭାବରେ 80 ପ୍ରତିଶତ ପଛୁଆ ବର୍ଗ ଲୋକ ହିଁ କାମ କରୁଛନ୍ତି । ସେମାନଙ୍କୁ ନ୍ୟାୟ ମିଳୁନାହିଁ । 2011 ମସିହାରେ କଂଗ୍ରେସ ଜାତି ଜନଗଣନା କରିଥିଲା, 2013 ମସିହା ପରେ ଏହାକୁ ସାର୍ବଜନୀନ କରିବା କଥା । କିନ୍ତୁ ସରକାର ପରିବର୍ତ୍ତନ ପାଇଁ ଏହା ସମ୍ଭବ ହୋଇପାରିଲା ନାହିଁ । କିନ୍ତୁ ଏବେର ବିଜେପି ସରକାର ସମୟରେ କାହିଁକି ଜାତି ଜନଗଣନା କରାଯାଉନାହିଁ, ତାକୁ ନେଇ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇଛି ।’’