ଓଡିଶା

odisha

ETV Bharat / politics

ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଦାନ ମାଗିଲା କଂଗ୍ରେସ, 670 ଟଙ୍କା ଦେଲେ ଟି-ସାର୍ଟ ଦେବେ ରାହୁଲ - Rahul Gandhi

Congress Seeks Donation For Rahul Gandhi-Led Bharat Jodo Nyay Yatra: ‘ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଦାନ ମାଗିଲା କଂଗ୍ରେସ । ଅଧିକ ପଢନ୍ତୁ

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପାଇଁ ଅନୁଦାନ ମାଗିଲା କଂଗ୍ରେସ
ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପାଇଁ ଅନୁଦାନ ମାଗିଲା କଂଗ୍ରେସ

By ETV Bharat Odisha Team

Published : Jan 27, 2024, 9:46 PM IST

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆରମ୍ଭ କରିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଦାନ ସଂଗ୍ରହ କରିବ କଂଗ୍ରେସ । ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବ-ଭାରତରୁ ଆରମ୍ଭ ହୋଇଥିବା ବେଳେ ପଶ୍ଚିମରେ ମୁମ୍ବାଇରେ ଶେଷ ହେବ । ଏହାର ମୋଟ ପରିକ୍ରମା ଦୂରତା 6,700 କି.ମି ରହିଥିବା ବେଳେ କି.ମି ପିଚ୍ଛା 10 ପଇସା ହିସାବରେ ଯିଏ 670 ଟଙ୍କା ଡୋନେସନ ପ୍ରଦାନ କରିବେ, ତାଙ୍କୁ ରାହୁଲ ଗାନ୍ଧୀଙ୍କ ହସ୍ତାକ୍ଷର ଥିବା ଏକ ଟି-ସାର୍ଟ ଉପହାର ମିଳିବ । ସେହିପରି ଯେଉଁମାନେ 67 ଟଙ୍କା ପ୍ରଦାନ କରିବେ ସେମାନେ ପରବର୍ତ୍ତୀ ସମୟରେ ରାହୁଲଙ୍କ ହସ୍ତାକ୍ଷର ଥିବା ଏକ ଚିଠି ପାଇବେ । ଆଜି ଏହି କ୍ରାଉଡ ଫଣ୍ଡିଂ କ୍ୟାମ୍ପେନିଂ ସମ୍ପର୍କରେ ଦଳ ପ୍ରେସମିଟ କରି ସୂଚନା ଦେଇଛି ।

ତେବେ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଘୋଷଣାକୁ ନେଇ କଂଗ୍ରେସକର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କ୍ୟାମ୍ପେନ ଘୋଷଣା ହେବାର ମାତ୍ର 2 ଘଣ୍ଟା ମଧ୍ୟରେ ଦଳ ପ୍ରାୟ 2 କୋଟି ଦାନ ମଧ୍ୟ ସଂଗ୍ରହ କରିଛି । ତେବେ ଗତ ସପ୍ତାହରେ ଆରମ୍ଭ ହୋଇଥିବା ରାହୁଲଙ୍କ ଏହି ଯାତ୍ରା ଏବେ ପଶ୍ଚିମବଙ୍ଗରେ ଜାରି ରହିଛି । ଏହା ପରେ ଏହି ଯାତ୍ରା ବିହାରରେ ପ୍ରବେଶ କରିବ । ହେଲେ ବିରୋଧୀ ମେଣ୍ଟ ଇଣ୍ଡିଆରେ ପ୍ରମୁଖ ସହଯୋଗୀ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି । ଅନ୍ୟପଟେ ନୀତିଶଙ୍କ ମେଣ୍ଟ ଛାଡିବା ଚର୍ଚ୍ଚା ମଧ୍ୟରେ ବିହାରରେ ରାଜନୀତି ପାରା ବଢିଛି । ନୀତିଶ ମଧ୍ୟ ଏହି ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେବେନାହିଁ ପୂର୍ବରୁ ସୂଚନା ମିଳିସାରିଛି ।

ଏହା ମଧ୍ୟ ପଢନ୍ତୁ :- ଉତ୍ତର ପ୍ରଦେଶରେ କଂଗ୍ରେସକୁ 11 ଆସନ ଛାଡିଲା ସମାଜବାଦୀ ପାର୍ଟି, ଅଖିଳେଶ କଲେ ଘୋଷଣା

ବର୍ଷ 2022 ରେ ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ଯାତ୍ରା’ରେ କନ୍ୟାକୁମାରୀରୁ ପଦଯାତ୍ରା ଆରମ୍ଭ କରି କାଶ୍ମୀରରେ ଶେଷ କରିଥିଲେ । ଏହି ଯାତ୍ରାର ପ୍ରଭାବ ଦେଶର ରାଜନୈତିକ ଦୃଶ୍ୟପଟରେ ପଡିଥିବା ଦଳ ଦାବି କରିଥିଲା । ଏପରିକି କର୍ଣ୍ଣାଟକରେ ଦଳର ବିଜୟ ସହ ମଧ୍ୟ ରାହୁଲଙ୍କ ଏହି ଯାତ୍ରାକୁ ଯୋଡାଯାଇଥିଲା ।

ଏବେ ଚଳିତମାସ ମଧ୍ୟଭାଗରୁ ରାହୁଲ ପୁଣି ଥରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାର କରିଛନ୍ତି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । ତେବେ ବିଜେପିଶାସିତ ଆସାମରେ ରାହୁଲଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି । ସେ ପୋଲିସକୁ ଆକ୍ରମଣ କରିବା ପାଇଁ ଏକାଠି ହୋଇଥିବା ଲୋକଙ୍କୁ ଉତ୍ତେଜିତ କରିଥିବା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ରାହୁଲ ଓ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିସାରିଛି । ଲୋକସଭା ନିର୍ବାଚନ ଶେଷ ହେବା ପରେ ରାହୁଲ ନିଶ୍ଚିତ ଗିରଫ ହେବେ ବୋଲି ମଧ୍ୟ ହେମନ୍ତ ବିଶ୍ବଶର୍ମା କହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details