ରାଇରଙ୍ଗପୁର: ଶିମିଳିପାଳକୁ ଲେଉଟିଛି ବାଘୁଣୀ ଯମୁନା, ଖୁବଶୀଘ୍ର ପଶ୍ଚିମବଙ୍ଗରୁ ଫେରିବ ଜୀନତ । ଟ୍ରାଙ୍କୁଲାଇଜ କରାଯାଇ ଶିମିଳିପାଳକୁ ବାଘୁଣୀ ଜୀନତକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ । ଯମୁନା ବର୍ତ୍ତମାନ ଶିମିଳିପାଳେ ଅଛି, ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ । ବାଘୁଣୀ ଜୀନତ୍ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗ ମୁଁହା ହୋଇଛି । ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ଜୀନତ୍ର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି । ସେ ବି ସୁସ୍ଥ ରହିଛି ।
ଜୀନତକୁ ଝାଡଖଣ୍ଡରୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇନଥିଲା ବନ ବିଭାଗ:
ମହାରାଷ୍ଟ୍ରର ତଡବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା ଦୁଇ ଦୁଇଟି ବାଘୁଣୀ । ପ୍ରଥମେ ବାଘୁଣୀ ଯମୁନାକୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ବାଘୁଣୀ ଜୀନତକୁ ଅଣାଯାଇ ଉଭୟ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ା ଯାଇଥିଲା । କିଛିଦିନ ଶିମିଳିପାଳ ଅଭୟାରଣ୍ୟରେ ରହିବା ପରେ ବାଘୁଣୀ ଜୀନତ୍ ରାଇରଙ୍ଗପୁର ଓ ବିଶୋଇ ରେଞ୍ଜ ଦେଇ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ପ୍ରବେଶ କରିଥିଲା । ଝାଡ଼ଖଣ୍ଡର ଚାକୁଳିଆ ନିକଟସ୍ଥ ଚିଆବାନ୍ଦି ଜଙ୍ଗଲରେ ରହିଥିବା ବେଳେ ଟ୍ରାଙ୍କୁଲାଇଜ କରିବା ଉଦ୍ଦେଶ୍ୟରେ ଜୀନତକୁ ଶିକାର ପାଇଁ ମଇଁଷି ବାଛୁରୀ ଦିଆଯାଇଥିଲା । ହେଲେ ବାଘୁଣୀ ଜୀନତ୍ ମଇଁଷିକୁ ଶିକାର କରି ନିଜ ଆହାର ବନେଇ ପାରି ନଥିଲା । ଫଳରେ ଭୋକରେ ଥିବା ଜୀନତକୁ ସେଠାରେ ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇ ପାରିନଥିଲେ ।
ପଶ୍ଚିମବଙ୍ଗରେ ଜୀନତ୍:
ଶୁକ୍ରବାର ଦିନ ସକାଳ ସମୟରେ ଜୀନତକୁ ପଶ୍ଚିମବଙ୍ଗର ଝାଡଗ୍ରାମ ଅନ୍ତର୍ଗତ ବେଲପାହାଡି ରେଞ୍ଜରେ ଦେଖିବାକୁ ମିଳିଥିଲା । ପରେ ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗର ଶିମୁଲପାଲ୍ ଜଙ୍ଗଲକୁ ଚାଲି ଯାଇଥିବାର ଜଣାପଡିଥିଲା । ବାଘୁଣୀ ଜୀନତ୍ ଝାଡ଼ଖଣ୍ଡରୁ ଶିମିଳିପାଳ ଅଭୟାରଣ୍ୟ ଫେରିବା ବଦଳରେ ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲକୁ ପଳେଇ ଯିବା ପରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲ ଓ ଶିମୁଲପାଲର ଆଖପାଖ ଜଙ୍ଗଲରେ ଜୀନତ୍ କିଛି ସମୟ ରହିଥିବା ବେଳେ ଶନିବାର ଦିନ ପଶ୍ଚିମବଙ୍ଗର ଝାଡଗ୍ରାମ ନିକଟସ୍ଥ ଜଙ୍ଗଲ ଓ ରବିବାର ଦିନ ବାଘୁଣୀ ଜୀନତ୍ ପୁରୁଲିଆ ଜିଲ୍ଲାର ବୁଦୱାନ ଜଙ୍ଗଲରେ ପହଞ୍ଚିଥିବା ଜଣାପଡିଛି । ଫଳରେ ସେଠାକାର ପ୍ରଶାସନ ମଧ୍ୟ ସେଠାରେ ହାଇ ଆଲର୍ଟ ଜାରି କରିଥିବାର ସୂଚନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ବାଘୁଣୀଙ୍କୁ ସୁହାଉ ନାହିଁ କି ଶିମିଳିପାଳ ? PCCF କହିଲେ 'ଯମୁନା-ଜୀନତ ଉପରେ ରହିଛି ନଜର' ଏହା ମଧ୍ୟ ପଢ଼ନ୍ତୁ...ବାଘୁଣୀ ଜୀନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଚମ୍ପଟ, ଟ୍ରାକିଂ କରୁଛି ବନବିଭାଗ |
ଏବେ ଜୀନତ୍ ଓଡ଼ିଶା ସୀମା ଠାରୁ ୧୮୦ କିଲୋମିଟର ଦୂରରେ ଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରୁ ୨୧୦ କିଲୋମିଟର ଦୂରରେ ରହିଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଉପନିର୍ଦ୍ଦେଶକ ସାଇ କିରଣଙ୍କ ସହ ୧୫ ଜଣିଆ ଟିମ ଏବଂ ପଶ୍ଚିମବଙ୍ଗର ବନବିଭାଗ ଟିମ ବାଘୁଣୀ ଜୀନତ୍ ଉପରେ କଡ଼ା ନଜର ରଖିଛନ୍ତି । ଯେକୌଣସି ମୁହୂର୍ତ୍ତରେ ବାଘୁଣୀ ଜୀନତକୁ ଟ୍ରାଙ୍କୁଲାଇଜ କରାଯିବ ଓ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ।
ଶିମିଳିପାଳକୁ ଫେରିଲା ଯମୁନା:
ସେପଟେ ବାଘୁଣୀ ଯମୁନା କପ୍ତିପଦା ରେଞ୍ଜ ଦେଇ ଶିମିଳିପାଳ ଅଭୟାରଣ୍ୟରୁ ବାଲେଶ୍ବର ଜିଲ୍ଳାର କୁଲଡ଼ିହା ଅଭୟାରଣ୍ୟ ପଳେଇ ଯାଇଥିଲା । ଏବେ ବାଘୁଣୀ ଯମୁନା ପୁଣି ସେଠାରୁ ଶିମିଳିପାଳ ଅଭୟାରଣ୍ୟକୁ ଫେରି ଆସିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଜୀନତ୍ ବର୍ତ୍ତମାନ ପଶ୍ଚିମବଙ୍ଗକୁ ଚାଲିଯାଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ଜୀନତ୍କୁ ଟ୍ରାକିଂ କରୁଛନ୍ତି । ଜୀନତ୍ ବର୍ତ୍ତମାନ ସୁସ୍ଥ ଅଛି । ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଜୀନତ୍କୁ ଶିମିଳିପାଳକୁ ଫେରାଇ ଅଣାଯିବା ନେଇ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ।
ଇଟିଭି ଭାରତ, ମୟୂରଭଞ୍ଜ