ଓଡିଶା

odisha

ETV Bharat / politics

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରଭାବହୀନ ରହିବ କହିଲା କଂଗ୍ରେସ

Congress on PM Modi visit: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଏହି ଗସ୍ତର କୌଣସି ପ୍ରଭାବ ଆଗାମୀ ନିର୍ବାଚନ ଉପରେ ପଡ଼ିବନି କହିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Mar 4, 2024, 10:45 PM IST

Congress on PM Modi visit
Congress on PM Modi visit

Congress on PM Modi visit

ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ନିର୍ବାଚନ ପୂର୍ବରୁ ଏହି ଗସ୍ତରେ କୋଟି କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଆସନ୍ତାକାଲି ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଗକୁ ନିର୍ବାଚନ ଆସୁଥିବାରୁ ଦୁଇ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର କ୍ରମାଗତ ଦ୍ବିତୀୟ ଗସ୍ତକୁ ନେଇ ବିଜେପି ଶିବିରରେ ଏବେ ଖୁସି ଆଉ ଉତ୍ସାହର ଲହରୀ । ସେପଟେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି କଂଗ୍ରେସ କହିଛି । ପୂର୍ବରୁ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ମୋଦି କିଛି ପୂରଣ କରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର କହିଛନ୍ତି, "ସବୁଠାରୁ ଅଧିକ ମିଛ କହୁଥିବା ବ୍ୟକ୍ତି କାଲି ଓଡ଼ିଶା ଆସୁଛନ୍ତି । ମୋଦିଙ୍କର ସବୁ ପ୍ରତିଶ୍ରୁତି ମିଛ । ବର୍ଷକୁ 2 କୋଟି ଚାକିରୀ କୁଆଡେ ଗଲା ? 15 ଲକ୍ଷ ଟଙ୍କା ସମସ୍ତଙ୍କ ଆକାଉଣ୍ଟରେ କୁଆଡେ ଗଲା ? ମୋଦି ପଶ୍ଚିମବଙ୍ଗରେ କହୁଥିଲେ କୌଣସି ଭ୍ରଷ୍ଟାଚାରୀ ବଞ୍ଚିବେନି । ଏହାର ଅର୍ଥ ସବୁ ଭ୍ରଷ୍ଟାଚାରୀ ବିଜେପିରେ ସାମିଲ ହୋଇଯାଇଛନ୍ତି । ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଥିବା ବିଜେଡି ନେତା ଏବେ ବିଜେପିରେ ସାମିଲ ହୋଇଗଲେ । ତେଣୁ ଆମେ ଦୁଇ ଦଳରେ ଥିବା ସ୍ବାଭିମାନୀ ନେତାଙ୍କୁ ଆହ୍ବାନ କରୁଛୁ କଂଗ୍ରେସକୁ ଆସନ୍ତୁ । ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ ଜାରି ରଖିଛି । ଓଡିଶାରୁ ତାମିଲ ଶାସନ ହଟେଇବାକୁ କେବଳ କଂଗ୍ରେସ ହିଁ ପ୍ରୟାସ କରୁଛି ।" ତେବେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ବୁଝାମଣା ହୋଇଥିବା ଅଭିଯୋଗ ଦୋହରାଇଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ବିକଶିତ ଭାରତର ସ୍ବପ୍ନ ପୂରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଫଳ କରାନ୍ତୁ: ମନମୋହନ

ପ୍ରକାଶଯୋଗ୍ୟ, ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା (ସମ୍ବଲପୁର) ଗସ୍ତରେ ଆସିଥିଲେ । ଲଗାତାର ଭାବେ ଦୁଇ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତର ଭରପୁର ଫାଇଦା ଉଠାଇବା ପାଇଁ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ମୋଦିଙ୍କ ଲୋକାଭିମୁଖୀ ଯୋଜନା, ମୋଦି ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପାଇଁ ପ୍ରସ୍ତୁତ ମନମୋହନ ଏବଂ ଟିମ୍‌ । ହେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରଭାବହୀନ ରହିବ ବୋଲି କଂଗ୍ରେସ ଦାବି କରିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦିଙ୍କ ଏହି ଗସ୍ତ ଭାରତୀୟ ଜନତା ପାର୍ଟି ପାଇଁ ସଫଳତା ଆଣିଦେଉଛି ନା ପ୍ରଭାବହୀନ ରହୁଛି, ତାହା ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣା ପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details