ଓଡିଶା

odisha

ETV Bharat / politics

ଆଉ ବାପିଙ୍କୁ ଟିକେଟ୍ ଦେବନି କଂଗ୍ରେସ: ଜିଲ୍ଲା ସଭାପତି - Oppose To Bapi Sarkhel

Oppose To Bapi Sarkhel: ବାପି ସର୍ଖେଲ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ରାଜ୍ୟ ପିସିସି ସଭାପତିଙ୍କୁ ଅବଗତ କରାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 25, 2024, 9:41 AM IST

Oppose To Bapi Sarkhel
Oppose To Bapi Sarkhel

Oppose To Bapi Sarkhel

ଜଗତସିଂହପୁର:ଜିଲ୍ଲାରେ ରାଜନୈତିକ ମାହୋଲରେ ପ୍ରତି କ୍ଷଣରେ ପରିବର୍ତ୍ତନ ହେଉଛି । ଦଳ ଡିଆଁ ପର୍ବ ଭିତରେ ଦେଖା ଦେଇଛି ରାଜନୈତିକ ହଟଚମଟ । ନିକଟରେ ପାରାଦ୍ୱୀପର କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡିରେ ସାମିଲ ହୋଇଛନ୍ତି । ଏହାରି ଭିତରେ ବାପି ସର୍ଖେଲଙ୍କୁ ନେଇ କଂଗ୍ରେସର ଦଳୀୟ କର୍ମୀଙ୍କ ଭିତରେ ଦେଖା ଦେଇଛି ଅସନ୍ତୋଷ । ଗତ 2022 ପୌର ନିର୍ବାଚନରେ ବାପି ସର୍ଖେଲଙ୍କ 'ଆମ ପାରାଦ୍ୱୀପ ଆମ ପ୍ରଗତିର ବ୍ୟାନର'ରେ ଲଢ଼ିଥିବା କିଛି କାଉନସିଲର ବିଜେଡିରେ ସାମିଲ ହେବା ପରେ ଏବେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଇଟିଭି ଭାରତକୁ ଏକ ସାକ୍ଷାତକାର ଦେଇ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି, "ପାରାଦ୍ୱୀପରେ ଶ୍ରମିକ ସଂଗଠନକୁ ସୁରକ୍ଷା ଦେବା ପାଇଁ ବାପି ସର୍ଖେଲ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ମଧ୍ୟ ତାଙ୍କୁ 2014 ଓ 2019 ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ଦେଇଥିଲା ।"

"2022 ମସିହାରେ ଅନୁଷ୍ଠିତ ପୌର ପରିଷଦ ନିର୍ବାଚନରେ ବାପି ସର୍ଖେଲଙ୍କୁ କଂଗ୍ରେସର ପୌରଧ୍ୟକ୍ଷ ପ୍ରାର୍ଥୀ ସହିତ ସମସ୍ତ କାଉନସିଲର ପ୍ରାର୍ଥୀ ଦେବା ପାଇଁ କୁହାଯାଇଥିଲା । ଏଥିରେ ବାପି ହଁ ଭରିଥିଲେ। ଏପରିକି ସେ ପ୍ରାର୍ଥୀମାନଙ୍କ ପାଇଁ ସେ ସମୟରେ ମଧ୍ୟ ଦଳୀୟ ଟିକେଟ ନେଇଥିଲେ । କିନ୍ତୁ ପରିତାପର ବିଷୟ ଯେ ପ୍ରାର୍ଥୀପତ୍ର ଦାଖଲର ପୂର୍ବଦିନ କଂଗ୍ରେସର ଟିକେଟ ଫେରାଇ ଦେବା ସହିତ ବିଜେଡିର କିଛି ଅସନ୍ତୁଷ୍ଟ ନେତାଙ୍କୁ ନେଇ 'ଆମ ପାରାଦ୍ୱୀପ ଆମ ପ୍ରଗତି' ନାମରେ ସ୍ୱାଧୀନ ଭାବରେ ପ୍ରାର୍ଥୀ ମାନଙ୍କୁ ଛିଡା କରାଇଥିଲେ । ଏ ସମ୍ପର୍କରେ ମୁଁ ତତ୍କାଳୀନ ପିସିସି ସଭାପତି ଓ ତତ୍କାଳୀନ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଅବଗତ କରାଇଥିଲେ ବି ସେ ନିରବ ରହିଥିଲେ" ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ।

ଏହା ମଧ୍ୟ ପଢନ୍ତୁ...ଶଙ୍ଖ ଫୁଙ୍ଖିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା, ଶତାଧିକ କର୍ମୀ ବିଜେଡିରେ ସାମିଲ

ସେ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସକୁ ବାପି ଏକ ଢାଲ ଭାବେ ବ୍ୟବହାର କରୁଥିଲେ । ବର୍ତ୍ତମାନ ତାହା ସ୍ପଷ୍ଟ ହୋଇଛି ।" କଂଗ୍ରେସରେ ରହି ବିଜେଡି ସହ ସାଲିସ କରୁଥିବା ବ୍ୟକ୍ତିଙ୍କୁ କଂଗ୍ରେସ ଆଉ ପ୍ରାର୍ଥୀ କରିବ ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି । ଆଗାମୀ ଦିନରେ ତାଙ୍କର ଏହି ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ରାଜ୍ୟ ପିସିସି ସଭାପତିଙ୍କୁ ଅବଗତ କରାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ । ତେବେ ଜିଲ୍ଲା ସଭାପତିଙ୍କ ଏଭଳି ବିବୃତ୍ତି ପରେ ଦଳ ବାପି ସର୍ଖେଲଙ୍କ ଉପରେ ଅସନ୍ତୋଷ ଥିବା ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details