ଭୁବନେଶ୍ବର:କଣାସ ଝାଡ଼ାବାନ୍ତିକୁ ମହାମାରୀ ଘୋଷଣା କରିବା ପାଇଁ ଦାବି । କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣାସ ଝାଡ଼ାବାନ୍ତି ଘଟଣାର ଅନୁଧ୍ୟାନ କରିଲା ପରେ ଗତକାଲି (ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀରେ ମହାମାରୀ ଘୋଷଣା କରିବାକୁ ଦାବି କରିଛି ଦଳ । ସେହିପରି ଝାଡ଼ାବାନ୍ତିରେ ମୃତକଙ୍କ ପରିବାରକୁ ସରକାର ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛି ।
ମହାମାରୀ ଘୋଷଣା ଦାବି:
ଗତ ଗୁରୁବାର ଦିନ କଂଗ୍ରେସର ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲା କଣାସରେ ବ୍ୟାପିବା ଝାଡ଼ାବାନ୍ତି ଅଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ଗତକାଲି (ଶୁକ୍ରବାର) କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ମହାମାରୀ ଘୋଷଣା କରିବାକୁ ଦାବି କରିଛି ଏବଂ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । କଂଗ୍ରେସ ଦାବି କରିଛି ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦିଆଯାଉ । ଏହାକୁ ମହାମାରୀ ଘୋଷଣା କରାଯାଉ । ନମୁନା ପରୀକ୍ଷା ହେଉ । ଦୟାନଦୀକୁ ପ୍ରଦୂଷଣମୁକ୍ତ କରାଯାଉ । ସେପଟେ ଯେଉଁମାନଙ୍କ ଅବହେଳା ପାଇଁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ନାଁରେ ଏତାଲା ଦେଇଛି କଂଗ୍ରେସ ।
୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି:
ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ କହିଛନ୍ତି,"ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ସ୍ବଚ୍ଛ ପାନୀୟ ଜଳ ଯୋଗାଣରେ ପୁରୀ ଜିଲ୍ଲା ପ୍ରଶାସନ ବିଫଳ । ବସୁଧା ଯୋଜନାରେ ଟାଙ୍କି ଅଛି ପାଣି ଆସୁନାହିଁ । ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ରାଜ୍ୟ ସରକାର ବିଫଳ । ଯେଉଁଥି ପାଇଁ ୪ଜଣଙ୍କ ଜୀବନ ଗଲା । ସେ ଅଞ୍ଚଳରେ ଆବଶ୍ୟକ ଡାକ୍ତର ନାହାଁନ୍ତି । ଡାକ୍ତର ଅଭାବ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗଙ୍ଗୁଆ ନାଳ ପାଇଁ ଦୟାନଦୀ ପାଣି ପ୍ରଦୂଷିତ ହେଉଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ ।"