ଭୁବନେଶ୍ବର: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆଜି ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ତେବେ ଏଥର ବଜେଟ୍ରେ ବିହାର ଓ ଆନ୍ଧ୍ର ପ୍ରଦେଶ ବିଶେଷ ଅନୁଦାନ ଅଜାଡ଼ି ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁଠି କି ଓଡ଼ିଶା ଚରମ ଅବହେଳାର ଶିକାର ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ତେଜିଛି । ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । ଓଡିଶାବାସୀଙ୍କ ବିପୁଳ ସମର୍ଥନ ପାଇବା ପରେ ମଧ୍ୟ ବିଜେପି ଓଡିଶା ପ୍ରତି ଏଭଳି ବୈମାତୃକ ମନୋଭାବକୁ ଦୃଢ଼ ବିରୋଧ କରିଛନ୍ତି ଉଭୟ ବିଜେଡି ଏବଂ କଂଗ୍ରେସ ।
ଓଡ଼ିଶାକୁ ପକ୍ଷପାତିତା କହିଲା ବିଜେଡି:-
ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "କେନ୍ଦ୍ର ସରକାର ନିଜ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ନିଜ ସରକାର ବଞ୍ଚାଇବା ପାଇଁ ଓଡ଼ିଶାକୁ ଅବହେଳା କରିଛନ୍ତି । ଯେହେତୁ ଅନ୍ୟ ରାଜନୈତିକ ଦଳର କାନ୍ଧରେ ଭରା ଦେଇ ବିଜେପି ସରକାର ତିଷ୍ଠିଛି, ସେମାନଙ୍କ ସ୍ବାର୍ଥ ପାଇଁ ଓଡ଼ିଶାକୁ ଅବହେଳା କରାଯାଇଛି । ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି, ପକ୍ଷପାତିତା କରୁଛନ୍ତି ।" ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, "ପୂର୍ବରୁ ଅନେକ ପ୍ୟାକେଜ ଘୋଷଣା ହୋଇଛି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଫଳପ୍ରଦ ହୋଇନି । ପ୍ୟାକେଜରେ କଣ ରହୁଛି, ତାକୁ ଅପେକ୍ଷା । ଘୋଷଣା ଶେଷ ନୁହେଁ, କେନ୍ଦ୍ର ବଜେଟର ଚୂଡାନ୍ତ ରୂପରେଖ ପ୍ରକାଶ ପାଉ । ପୂର୍ବରୁ ଯାହା ଘୋଷଣା କରିଛନ୍ତି, କିଛି କାର୍ଯ୍ୟ ହୋଇନାହିଁ ।"