BJD Campaign In Nayagarh (ETV Bharat Odisha) ନୟାଗଡ଼: ଆଜି ନୟାଗଡ଼ରେ ପ୍ରଚାର ଅଭିଯାନରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିକେ ପାଣ୍ଡିଆନ ଏବଂ ଦଳୀୟ ପ୍ରାର୍ଥୀ ଯୋଗ ଦେଇଥିଲେ । ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନିର୍ବାଚନ ସରିଯାଇଥିଲେ ମଧ୍ୟ ବାକିଥିବା ୩ ଗୋଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ । ଏହି ସଭାରେ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ସମ୍ବୋଧିତ କରି ବିଏସକେୱାଇ ଯୋଜନା, ମମତା ଯୋଜନା, ମିଶନ ଶକ୍ତି, କାଳିଆ ଯୋଜନା ଆଦି ଯୋଜନା ଗୁଡିକ ଭଲ କି ପଚାରିଥିଲେ ।
ବିଜେଡି ସରକାରକୁ ଆସିଲେ ପ୍ରଥମ ଦସ୍ତଖତ ମାଗଣା ବିଜୁଳି ପାଇଁ କରାଯିବ ଯାହାଫଳରେ ଜୁଲାଇରୁ ବିଜୁଳି ବିଲ ଆସିବନି । ବିରୋଧୀ ଦଳର ନେତା ମାନେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣ ମାନେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ ନବୀନ । ଏହି ଅବସରରେ ୫-ଟି ଅଧ୍ୟକ୍ଷ କଣ୍ଟିଲୋ ନୀଳମାଧବ ମନ୍ଦିର ପ୍ରସଙ୍ଗ, ଜଳ ସେଚନ ପ୍ରସଙ୍ଗ, ବୃତଙ୍ଗ ଜଳସେଚନ ପ୍ରସଙ୍ଗ, ୫-ଟି ସ୍କୁଲ ଓ ଲକ୍ଷ୍ମୀ ବସ ଯୋଜନାରେ ୫ ଟଙ୍କାରେ ଯାତାୟତ କେବଳ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କହିଥିଲେ ।
ଏହା ମଧ୍ୟ ପଢନ୍ତୁ ...କଣ୍ଟିଲୋରେ ପାଣ୍ଡିଆନଙ୍କ ପ୍ରଚାର, ଦିନରେ ଲଣ୍ଠନ ଦେଖାଉଛନ୍ତି କହି ବିରୋଧୀଙ୍କୁ କଟାକ୍ଷ - VK Pandian Campaign In Nayagarh
ଆଜିର ଏହି ନିର୍ବାଚନ ସଭାରେ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ କହିଥିଲେ "ମୁଁ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ମୁଲିଆ । ଓଡିଶାର ୪ କୋଟି ଜନତାଙ୍କର ପ୍ରିୟ ପାତ୍ର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶୁଭ ଧ୍ବନି ଶୁଭିବ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯାହା ନିବେଦନ କରାଯାଇଛି ମୁଖ୍ୟମନ୍ତ୍ରୀ ତାକୁ ମଞ୍ଜୁର କରିଛନ୍ତି । ଏଭଳି ବିକାଶ କ୍ଷେତ୍ରରେ ବିରୋଧୀ ଦଳ ଶାଳିନତା ହରାଇଛନ୍ତି । ଏହାର ଜବାବ ୨୫ତାରିଖରେ ଜନତା ଦେବେ ।" ଏହି ସଭାରେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର କଥାକୁ ପ୍ରକାଶ କରିଥିଲେ । ପୁରୀ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଃସ୍ବାର୍ଥପର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହି ନିର୍ବାଚନୀ ସଭାରେ ନୟାଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଓ ୪୭ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ହଜାର ହଜାର ମହିଳା ଯୋଗ ଦେଇଥିଲେ ।
ଇଟିଭି ଭାରତ, ନୟାଗଡ଼