ରାଇରଙ୍ଗପୁର: ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବହଳଦା ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଡକାୟତି ଗ୍ୟାଙ୍ଗ। ୫ ଜଣ ଡକାୟତ ପାଞ୍ଚଟି ବନ୍ଧୁକ ଧରି ଜନବହୁଳ ସ୍ଥାନରେ ଥିବା ବ୍ୟାଙ୍କରୁ ଡକାୟତି କରିଥିବା ଅଭିଯୋଗ ହୋଇଛି ।
ବନ୍ଧୁକ ମୁନରେ ଲୁଟିନେଲେ:
ମୟୂରଭଞ୍ଜ ଜିଲ୍ଲା ବହଳଦା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଳହଦା ଶାଖାରୁ ହୋଇଛି ବଡ଼ ଧରଣର ଲୁଟ୍ । ବ୍ୟାଙ୍କ ଖୋଲିବା ପରେ ଆଜି(ଗୁରୁବାର) ଦିନ ପାଖାପାଖି ୧୦ଟା ୧୫ ସମୟରେ ହଠାତ୍ ପାଞ୍ଚ ଜଣ ଡକାୟତ ବ୍ୟାଙ୍କକୁ ପଶି ଆସିଥିଲେ । ସେ ସମୟରେ ବ୍ୟାଙ୍କରେ କର୍ମଚାରୀମାନଙ୍କ ସହିତ ପାଖାପାଖି ୧୮ ଜଣ ଗ୍ରାହକ ରହିଥିଲେ । ପାଞ୍ଚ ଜଣ ଡକାୟତ ବ୍ୟାଙ୍କ ମଧ୍ୟକୁ ପଶି ଆସି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇବା ସହ ବ୍ୟାଙ୍କ ମ୍ୟାନେଜର ବୈଦ୍ୟନାଥ ହେମ୍ବ୍ରମ ଓ ବ୍ୟାଙ୍କ କର୍ମଚାରୀ ସନ୍ତୋଷ ମହାନ୍ତଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇଥିଲେ । ପରେ ଆନୁମାନିକ ୨୦ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ଡକାୟତମାନେ ବ୍ୟାଙ୍କ ଛାଡ଼ିବା ପୂର୍ବରୁ ସମସ୍ତଙ୍କୁ ବାହାର ପଟରୁ ତାଲା ପକାଇ ପଳାଇଯାଇଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ...ସୁନା ଦୋକାନରୁ ଲୁଟ୍ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ
ଏହା ବି ପଢନ୍ତୁ...ଢେଙ୍କାନାଳ ଏଟିଏମ ଲୁଟ ଘଟଣା , ୪ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ
ବ୍ୟାଙ୍କକୁ ପଶି ଆସିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ:
ସମସ୍ତ ଡକାୟତ ହାତରେ ବନ୍ଧୁକ ଧରିଥିବାବେଳେ ତିନିଜଣ ମୁଖା ପିନ୍ଧି ଥିଲେ । ବ୍ୟାଙ୍କରୁ ଡକାୟତି କରିବା ପରେ ବାଇକ ଯୋଗେ ୫ ଜଣ ଡକାୟତ ଫେରାର ହୋଇଯାଇଥିଲେ । ପରେ ଏ ସମ୍ପର୍କରେ ବହଳଦା ଥାନାକୁ ଖବର ଦିଆଯାଇଥିଲା । ବହଳଦା ଥାନା ପୋଲିସ ବ୍ୟାଙ୍କ ପହଞ୍ଚି, ତାଲା ଭାଙ୍ଗି ବନ୍ଦ ଥିବା ଘରୁ ସମସ୍ତଙ୍କୁ ଉଦ୍ଧାର କରି ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ । ସେପଟେ ଖବର ପାଇ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖାରୁ ମ୍ୟାନେଜର ପହଞ୍ଚିଥିଲେ। ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଚଳାଇଥିଲେ ।

ସ୍ଥାନୀୟ ବାସିନ୍ଦା ଅଶୋକ ରାଉତ କହିଛନ୍ତି, "ଆମେ ଶୁଣିବାକୁ ପାଇଲୁ ଯେ ବ୍ୟାଙ୍କରୁ ଲୁଟ୍ ହୋଇଛି । ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି । ଆଖପାଖ ଦୋକାନରୁ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ । ହେଲେ ବାରମ୍ବାର ଅଞ୍ଚଳରେ ଏଭଳି ଘଟଣା ଘଟୁଛି । ବୃଦ୍ଧ ବୃଦ୍ଧାମାନେ ଟଙ୍କା ନେଇ ବ୍ୟାଙ୍କରୁ ଫେରିବା ବେଳେକୁ ଛିନତାଇ ହେଉଛି । ତେଣୁ ପୋଲିସ ଏଠାରେ ପାଟ୍ରୋଲିଂ କଡ଼ା କଡ଼ି କରିବା ଦରକାର ।"
ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠପାଲି କହିଛନ୍ତି, "ପାଖାପାଖି ୨୦ ଲକ୍ଷ ଟଙ୍କା ଚୋରି ହୋଇଛି । ଆମେ ତଦନ୍ତ କରୁଛୁ । ଆଖପାଖ ସିସିଟିଭି ଯାଞ୍ଚ କରୁଛୁ । ଖୁବଶୀଘ୍ର ଅପରାଧି କିଏ ଜଣାପଡ଼ିବ ।"
ଇଟିଭି ଭାରତ, ମୟୂରଭଞ୍ଜ