ଭୁବନେଶ୍ବର:ପୂର୍ବ ସରକାରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିସ୍ଫୋରକ ବୟାନ । ରାଜ୍ୟର ଭବିଷ୍ୟତ ସହ ପୂର୍ବ ସରକାର ପ୍ରତାରଣା କରୁଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, "ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ।" ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧନର ନିବାରଣ)ବିଲ -୨୦୨୪କୁ ବିଚାରକୁ ନେବା ପାଇଁ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
JEE ପରୀକ୍ଷା ଚଞ୍ଚକତା:
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ହାତୁଡ଼ିରେ ପ୍ରହାର କରୁଥିଲା । ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି । ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା । ଦୁର୍ନୀତିରେ ଭରି ରହିଥିଲା । ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ । ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସମ୍ପୃକ୍ତ ରହୁଥିଲେ । ଯାହାର ଉଦାହରଣ ୨୦୨୩ ମସିହାର JEE ପରୀକ୍ଷା । ଖାଲି ସେତିକି ନୁହେଁ, ଖୋଦ ସଚିବାଳୟରେ ବି ନିଯୁକ୍ତିରେ ବଡ଼ ଚଞ୍ଚକତା ହୋଇଛି ।"
'ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଥିଲେ'
"ASO ସିଟ୍ ବି ବିକ୍ରି ହୋଇଥିଲା । ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ଚୁପ୍ କାହିଁକି ଥିଲେ ପୂର୍ବ ସରକାର ? ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ । ଛାତ୍ରଛାତ୍ରୀମାନଙ୍କ ପରିବାର ନିଜ ଦୁଃଖକୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକ୍ରି କରି ବି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ । କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ନାହିଁ । ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ" ବୋଲି କହି ବର୍ଷିଛନ୍ତି ମୋହନ ।