ଭୁବନେଶ୍ବର: ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସୁଭଦ୍ରା ଯୋଜନା । ହେଲେ ଏହି ମହିଳାକୈନ୍ଦ୍ରିକ ଯୋଜନାରେ ଟଙ୍କା ପାଇବାକୁ ପୁରୁଷମାନେ ଆବେଦନ କରିଥିବା ଘଟଣା ସାମନାକୁ ଆସିଛି । ଯାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ରାଜନୀତି ବି ଆରମ୍ଭ ହେଲାଣି । ପୁରୁଷଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛି ବିଜେଡି । 157 ନୁହେଁ 5 ହଜାର ପୁରୁଷ ଆବେଦନକାରୀ ଥିବା ଅଭିଯୋଗ ଆଣିଛି ଦଳ । କର୍ମୀ ବଞ୍ଚାଇବା କାମ କରିଥିବାରୁ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ।
- କେତେ ପୁରୁଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ?
ସୁଭଦ୍ରା ଯୋଜନା ପାଇଁ 157 ଜଣ ପୁରୁଷ ହିତାଧିକାରୀ ଆବେଦନ କରିଥିବା ସରକାର ଚିହ୍ନଟ କରିଛନ୍ତି । ସୁଭଦ୍ରା ଯୋଜନାରେ ପୁରୁଷଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ସମସ୍ତ ଆବେଦନକାରୀ ବିଜେପିର ଆଗଧାଡିର କର୍ମୀ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । 157 ନୁହେଁ 5 ହଜାର ଆବେଦନକାରୀ ଥିବା ଅଭିଯୋଗ ଆଣିଛନ୍ତି ପ୍ରମିଳା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି," ସୁଭଦ୍ରା ଯୋଜନାରେ 157 ଜଣ ପୁରୁଷ ହିତାଧିକାରୀ ଆବେଦନ କରିଥିବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ପୁରୁଷ ହିତାଧିକାରୀ କେମିତି ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ? ମୋହନ ସରକାର ହାଇଟେକ୍ ବ୍ୟବସ୍ଥାରେ ଚାଲିଥିବା କହୁଛନ୍ତି । ଆଧାର ସଂଯୋଗ କରି ଆବେଦନ କଲେ ଯୋଜନାରେ ସାମିଲ କରାଯିବ ବୋଲି ସରକାର କହୁଛନ୍ତି । 157 ନୁହେଁ 5 ହଜାରରୁ ଅଧିକ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି । ଏହି ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ବିଜେପିର ଟାଣୁଆ କର୍ମୀ । ଚିହ୍ନଟ ହୋଇଥିବା 157 ଜଣ ମଧ୍ୟ ହେଉଛନ୍ତି ବିଜେପି କର୍ମୀ ।"
- 'କର୍ମୀଙ୍କୁ ସନ୍ତୁଷ୍ଟ କରୁଛନ୍ତି ବିଜେପି ସରକାର'
ସେ ଆହୁରି ମଧ୍ୟ କହିଛନ୍ତି, "ରୋବୋଷ୍ଟ ଆଇଟି ସିଷ୍ଟମରେ ଜରିଆରେ ଆବେଦନକାରୀ ଚିହ୍ନଟ ଓ ଚୟନ ପ୍ରକ୍ରିୟା ହେଉଛନ୍ତି । ସବୁ ଭୁଲ ବିଜେପି ସରକାର କରୁଥିବେ, ଆଉ ଲୋକେ ସହୁଥିବେ । ସାଧାରଣ ଲୋକଙ୍କୁ ସରକାର ବୋଧେ ବୋକା ଭାବୁଛନ୍ତି । ସରକାରଙ୍କର ସବୁ କଥାକୁ କ'ଣ ଲୋକେ ଆଖି ବୁଜି ସହିଯିବେ । ସବୁ ବ୍ୟବସ୍ଥା ଯଦି ଫେଲ, ତାହାଲେ ବିଜେପି ଫେଲ୍ ହେବା ପରିବର୍ତ୍ତନ କରିବାକୁ ଆସିଛନ୍ତି । କର୍ମୀଙ୍କୁ ସନ୍ତୁଷ୍ଟ କରିବା ଲାଗି ବିଜେପି ସରକାର ଏପରି କରିଛନ୍ତି । ଧରାପଡିବା ପରେ ଉପମୁଖ୍ୟମନ୍ତ୍ରୀ ଆଗୁଆ ସଫେଇ ଦେଉଛନ୍ତି । ସରକାର କେତେ ସ୍ୱଚ୍ଛ, ନିର୍ମଳ ଓ କିଭଳି ଭାବେ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି ?"
- 'ଅନେକ ପୁରୁଷ ଟଙ୍କା ପାଇଥିବେ'
ସେ ଏହା ମଧ୍ୟ କହିଛନ୍ତି, "ସରକାର ଏଭଳି କର୍ମୀ ବଞ୍ଚିବା ଯୋଜନା କରନ୍ତୁ ନାହିଁ । ସାଧାରଣ ମହିଳାଙ୍କ ଲାଗି ଯୋଜନା ହୋଇଛି । ସାଧାରଣ ମହିଳାଙ୍କୁ ସାହାଯ୍ୟ କରନ୍ତୁ । ମହିଳାଙ୍କୁ ଅଧିକ ପରିମାଣରେ ସମ୍ପୃକ୍ତ କରନ୍ତୁ । ଆବେଦନ ନୁହେଁ, ସେମାନଙ୍କ ମଧ୍ୟରୁ ଅନେକ ଯୋଜନାରେ ଟଙ୍କା ମଧ୍ୟ ପାଇଯାଇଥିବେ । ତଦନ୍ତ କଲେ ଜଣାପଡିବ । ଯାହା ଘଟିଛି ତାହାର ଉତ୍ତର ସରକାର ରଖନ୍ତୁ । ଜାଣତରେ ନା ଅଜାଣତରେ ହୋଇଛି, ତାହା ସରକାର ସ୍ୱୀକାର କରନ୍ତୁ । କ୍ଷମା ପ୍ରାର୍ଥନା କରନ୍ତୁ ।"
ଇଟିଭି ଭାରତ, ଭୁବନେଶ୍ବର