ନିମାପଡ଼ା(ପୁରୀ): ରାଷ୍ଟ୍ରପତି ଭବନରୁ ଆସିଛି ଡକରା । ପୁରୀରୁ ଦିଲ୍ଲୀ ଯିବେ ମାଛ ଚାଷୀ । ସାଧାରଣତନ୍ତ୍ର ଦିବସରେ ସଫଳ ଚାଷୀ ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିବେ । ଜଣେ ସଫଳ ଯୁବ ମାଛଚାଷୀ ଭାବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଜାନୁଆରୀ 26ରେ ରାଷ୍ଟ୍ରପତି ଭବନରେ ଅତିଥି ହେବେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ଜିଲ୍ଲାର ଏକମାତ୍ର ସଫଳ ଚାଷୀ ଭାବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସ୍ୱତନ୍ତ୍ର ଭାବେ ତାଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇଛି । ତେବେ କିଏ ସେ ସଫଳ ଯୁବ ମାଛ ଚାଷୀ ?
ପୁରୀରୁ ରାଷ୍ଟ୍ରପତି ଭବନ ଯିବେ ସଫଳ ଚାଷୀ:
ପୁରୀ ଜିଲ୍ଲା ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତ ସୁବର୍ଣ୍ଣପୁର ଅଞ୍ଚଳ ବାସିନ୍ଦା ଜ୍ଞାନ ସ୍ୱରୂପ ସାହୁ । ୨୦୦୦ ମସିହାରୁ ବାପା କୈଳାଶ ଚନ୍ଦ୍ର ସାହୁ ପ୍ରଥମେ ନିଜର ଏକ ଛୋଟ ପୋଖରୀରୁ ମାଛଚାଷ ଆରମ୍ଭ କରିଥିଲେ । ପାଠପଢା ଶେଷ ପରେ ପରେ ବାପାଙ୍କ ସହ ଯୋଡି ହେଲେ ପୁଅ ଜ୍ଞାନ ସ୍ୱରୂପ ସାହୁ । କଠିନ ପରିଶ୍ରମ କରି ସଫଳତାର ସହ ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ଜ୍ଞାନ ସ୍ୱରୂପ । ୨୫ ଏକରରୁ ଊର୍ଦ୍ଧ୍ବ ଜମିରେ ୪୦ରୁ ଊର୍ଦ୍ଧ୍ବ ପୋଖରୀ କରି ସେଥିରେ ଉନ୍ନତ ଧରଣର ମାଛ ଚାଷ କରି ସଫଳ ଯୁବ ମାଛ ଚାଷୀ ଭାବେ ସଫଳତା ଅର୍ଜନ କରିଛନ୍ତି । ଏଥିପାଇଁ ସଫଳ ଯୁବ ମାଛଚାଷୀ ଜ୍ଞାନ ସ୍ୱରୂପ ସାହୁଙ୍କ ନିକଟକୁ ଆସିଛି ରାଷ୍ଟ୍ରପତି ଭବନରୁ ଚିଠି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ଜିଲ୍ଲାର ଏକମାତ୍ର ସଫଳ ଚାଷୀ ଭାବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଜ୍ଞାନ ସ୍ୱରୂପ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ସମ୍ମାନିତ କରାଯିବା ପାଇଁ ଚିଠି ମିଳିବା ପରେ ଜ୍ଞାନ ଓ ତାଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସାଧାରଣତନ୍ତ୍ର ଦିବସରେ ହେବେ ସମ୍ମାନିତ:
ଜାନୁଆରୀ ୩ ତାରିଖ ଦିନ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ରାଷ୍ଟ୍ରପତିଙ୍କ ଭବନରୁ ଜ୍ଞାନସ୍ୱରୂପଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା । ସଫଳ ମାଛ ଚାଷୀ ଜ୍ଞାନସ୍ୱରୂପ ଏହାକୁ ସହଜରେ ବିଶ୍ୱାସ କରିପାରି ନଥିଲେ । ପରେ ନିମାପଡା ଫୋଷ୍ଟ ଅଫିସରୁ ପୋଷ୍ଟମାଷ୍ଟର ଏକ ଚିଠି ନେଇ ଜ୍ଞାନ ସ୍ୱରୂପଙ୍କ ଘରକୁ ଆସିଥିଲେ । ଏହା ଥିଲା ରାଷ୍ଟ୍ରପତି ଭବନରୁ ଜ୍ଞାନ ସ୍ୱରୂପଙ୍କ ପାଇଁ ଦିଲ୍ଲୀ ଡାକରା ତଥା ରାଷ୍ଟ୍ରପତି ଭବନକୁ ଯିବାପାଇଁ ନିମନ୍ତ୍ରଣପତ୍ର । ଏହା ଜାଣିବା ପରେ ଜ୍ଞାନ ସ୍ୱରୂପଙ୍କ ପରିବାରରେ ଖୁସୀର ଲହରୀ ଖେଳିଯାଇଥିଲା । କେବଳ ଜ୍ଞାନଙ୍କ ପରିବାର ନୁହେଁ ବରଂ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାର ସମସ୍ତ ଚାଷୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଭବନରୁ ନିମନ୍ତ୍ରଣ ଆସିବା ପରେ ଜ୍ଞାନସ୍ୱରୂପଙ୍କ ବାପା-ମାଆ ଓ ପତ୍ନୀ ଗର୍ବିତ ଥିବାବେଳେ ଜ୍ଞାନ ସ୍ୱରୂପ ନିଜକୁ ଧନ୍ୟମନେ କରିଛନ୍ତି । ଜାନୁଆରୀ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜ୍ଞାନ ସ୍ୱରୂପ ସାହୁ ସଫଳ ଯୁବ ମାଛଚାଷୀ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରୁ ସମ୍ମାନିତ ହେବେ ।
ଖୁସିରେ ବିଭୋର ଜ୍ଞାନସ୍ୱରୂପ:
ଏନେଇ ଯୁବ ମାଛ ଚାଷୀ ଜ୍ଞାନସ୍ୱରୂପ ସାହୁ କହିଛନ୍ତି, "ଯେଉଁ ସମ୍ମାନ ଆସିଛି ଏହା କେବଳ ମୋର ନୁହଁ ବରଂ ଏହା ଆମ ଜିଲ୍ଲା ପାଇଁ ମଧ୍ୟ ବଡ ସମ୍ମାନ । ନିମନ୍ତ୍ରଣ ପାଇ ଆମେ ବହୁତ୍ ଖୁସି ଅଛୁ । କେବେ ଭାବି ନଥିଲୁ ଯେ, ମାଛ ଚାଷୀ ଭାବରେ ଆମକୁ ଏତେ ବଡ କାର୍ଯ୍ୟକ୍ରମରୁ ଡକାଯିବ। ନିମନ୍ତ୍ରଣ ପାଇ ମୋ ସହ ଆମ ପରିବାରବର୍ଗ, ଆମ ଅଞ୍ଚଳରେ ଥିବା ସମସ୍ତ ଭାଇଭଉଣୀ ଖୁସି ଅଛନ୍ତି । ପୁରୀ ଜିଲ୍ଲାରୁ ଆମକୁ ମନୋନୀତ କରିଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛୁ । ଚାଷୀଙ୍କୁ ଏତେ ବଡ଼ ସମ୍ମାନ ଦିଆଯାଉଛି, ଏହା ନିଶ୍ଚିତ ଭାବରେ ଆମ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଆଉ ଗୌରବର ବିଷୟ । ଜଣେ ସାଧାରଣ ଚାଷୀକୁ ଏତେ ବଡ ସମ୍ମାନ ଦେବା ନିଶ୍ଚିତ ଭାବରେ ବହୁତ ବଡ କଥା । ଯୁବପିଢିମାନେ ବାହାରକୁ ନ ଯାଇ ଚାଷ କରନ୍ତୁ, ଏଥିରେ ଭବିଷ୍ୟତ ଉଜ୍ଜଳ ଅଛି ।"
ଏହା ମଧ୍ୟ ପଢ଼ନ୍ତୁ... ରାଷ୍ଟ୍ରପତି ଭବନରୁ ଆସିଛି ଚିଠି, ସାଧାରଣତନ୍ତ୍ର ଦିବସରେ ହେବେ ଅତିଥି ଗଣତନ୍ତ୍ର ଦିବସ ପାଇଁ କୋରାପୁଟ ପୁଅଙ୍କୁ ଦିଲ୍ଲୀ ନିମନ୍ତ୍ରଣ, ମହାମାରୀବେଳେ ଥିଲା ମହତ ଅବଦାନ |
ସେହିପରି ଜ୍ଞାନ ରଞ୍ଜନଙ୍କ ବାପା କୈଳାସ ଚନ୍ଦ୍ର ସାହୁ କହିଛନ୍ତି, "ଆମେ ଚିଠି ପାଇଲା ପରେ ବିଶ୍ୱାସ କଲୁ ଯେ, ପୁଅକୁ ରାଷ୍ଟ୍ରପତି ସମ୍ମାନିତ କରିବେ । ସେଥିପାଇଁ ଆମେ ବହୁତ୍ ଖୁସି । ଜଣେ ଚାଷୀ ଯାଇ ରାଷ୍ଟ୍ରପତି ଭବନ ଦିଲ୍ଲୀରେ ପୁରସ୍କୃତ ହେବ, ଏଥିପାଇଁ ଆମ ଅଞ୍ଚଳ ଲୋକମାନେ ମଧ୍ୟ ବହୁତ୍ ଖୁସି ଅଛନ୍ତି । ଏହା ଏକ ସମ୍ମାନର କଥା । ଏଥିପାଇଁ ଆମ ଅଞ୍ଚଳ ବହୁତ୍ ଗର୍ବ ଅନୁଭବ କରୁଛି ।"
ଇଟିଭି ଭାରତ, ନିମାପଡ଼ା (ପୁରୀ)