ଭୁବନେଶ୍ବର: ଜାନୁଆରୀ 28 ଓ 29 ତାରିଖ 2 ଦିନ ଧରି ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ-2025 ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଜନତା ମଇଦାନରେ ଏହାର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହି କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ ହେବ । ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରେଷ୍ଠ 5ଟି ଅର୍ଥନୀତି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପାଇବାର ଲକ୍ଷ୍ୟ ନିଶ୍ଟୟ ପୂରଣ ହେବ । ଶ୍ରମିକ, କୃଷକଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା 2025:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା 2025 ଆସନ୍ତା 28 ଓ 29 ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହା ଓଡିଶା ପାଇଁ ଅତ୍ୟନ୍ତ ଗୌରବ ଓ ଖୁସିର କଥା । ନୂଆ ସରକାର ଆସିବା ପରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଭାବେ ନିବେଶକ ଆକୃଷ୍ଟ ହେଉଛନ୍ତି । ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ତୁଳନାରେ ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବାରେ ଲାଗିଛି । ସେଥିପାଇଁ ନିରନ୍ତର ଭାବେ ଆମେ ଗତ 4 ମାସ ହେବ ବିଭିନ୍ନ ସ୍ଥାନରେ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ' କରୁଛୁ । ଦିଲ୍ଲୀ, ମୁମ୍ବାଇ ଓ ପରେ ସିଙ୍ଗାପୁରରେ ଶିଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।"
ଜନତା ମଇଦାନରେ ଠାରେ 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫' ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କଲି। ସୁରକ୍ଷା ବ୍ୟବସ୍ଥା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଧିକାରୀଙ୍କୁ ପରାମର୍ଶ ଦେଇଛି।
— Mohan Charan Majhi (@MohanMOdisha) January 24, 2025
ଏହି ସମ୍ମିଳନୀ ଜରିଆରେ ରାଜ୍ୟରେ ମୋଟ ୫ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶର ସମ୍ଭାବନା ରହିଛି।… pic.twitter.com/XHNJqXHvKu
"ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରସ୍ତୁତିର ଆଜି ସମୀକ୍ଷା କରିଛି । ଜନତା ମଇଦାନ ଓ ଭୁବନେଶ୍ୱର ସହରକୁ ସଜାଯାଉଛି । ଆଇନଶୃଙ୍ଖଳା ସ୍ଥିତିର ମଧ୍ୟ ସମୀକ୍ଷା ଓ ତଦାରଖ କରିଛି । ଆସନ୍ତା 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଛନ୍ତି । ନୂଆ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା 5ମ ଓଡିଶା ଗସ୍ତ । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ଭାବନା ଓ ସମ୍ଭାବନା ବହୁତ ଅଧିକ ରହିଛି । ଓଡିଶା ପାଇଁ ଅନେକ କିଛି କରିବାର ଥିବାରୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡିଶା ଆସୁଛନ୍ତି । 28 ତାରିଖରେ ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା 2025ରେ ହେବାକୁ ଥିବା ନିବେଶରେ ସେ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ 3 କେନ୍ଦ୍ରମନ୍ତ୍ରୀ ଓଡିଶା ଆସିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ଇନଭେଷ୍ଟର୍ସ ମିଟରେ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଏହାଦ୍ୱାରା 3.5 ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ । 100ରୁ ଅଧିକ ନିବେଶକ ଚୁକ୍ତି ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି । ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା 2025 କାର୍ଯ୍ୟକ୍ରମ ପାଇଁ ୱେବସାଇଟ ଜରିଆରେ ପାଖାପାଖି 7500 ଜଣ ଡେଲିଗେଟ ନାଁ ପଞ୍ଜିକରଣ କରିଛନ୍ତି । ବିଶେଷ କରି 20ରୁ ଅଧିକ ଦେଶର ପ୍ରତିନିଧି ଉପସ୍ଥିତ ରହିବେ । ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ଭିଏତନାମ ସହ 15ରୁ 20 ରାଷ୍ଟ୍ରର ପ୍ରତିନିଧି ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । କିଛି ଦେଶର ଫୋକସ ସେସନ ଅନୁଷ୍ଠିତ ହେବ । ଯେଉଁଥିରେ ପ୍ରାୟ 20 ଦେଶର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ଵାରା ଅନ୍ତର୍ଜାତୀୟ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠା ନିଶ୍ଚୟ ଆଗକୁ ବଢିବ ।
କନକ୍ଲେଭରେ ମେକ ଇନ ଓଡିଶା ଏକ୍ସପୋ ମଧ୍ୟ ଅନୁଷ୍ଠିତ ହେବ । ପ୍ରାୟ 150 ଜଣ ପ୍ରଦର୍ଶକ ପ୍ରଦର୍ଶନ କରିବେ । ସେଥିପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 28 ଓ 29 ତାରିଖରେ କେବଳ ଶିଳ୍ପ ପ୍ରତିନିଧିଙ୍କ ଲାଗି କାର୍ଯ୍ୟକ୍ରମ ରହିଛି । ଏହି 2 ଦିନ ପରେ 30 ତାରିଖରେ ସାଧାରଣ ଲୋକଙ୍କ ଲାଗି ଖୋଲାଯିବ । ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ଷ୍ଟାର୍ଟ ଅପ ଓଡ଼ିଶା, ସ୍କିଲ ଇନ ଓଡିଶା, ସୁଭଦ୍ରା ଯୋଜନାକୁ ନେଇ ଥିମେଟିକ ସେସନ ଅନୁଷ୍ଠିତ ହେବ । ଏ ବାବଦରେ ଆଲୋଚନା ହେବ ଓ ଫୋକସ କରାଯିବ । ଏହା ସହିତ ବିଭିନ୍ନ ରାଉଣ୍ଡ ବୈଠକ ଅନୁଷ୍ଠିତ ହେବ । ମହିଳା ସମ୍ପର୍କିତ ରାଉଣ୍ଡ ଟେବୁଲ, ସିଇଓ ରାଉଣ୍ଡ ଟେବୁଲ, ଏଡିଟରସ ରାଉଣ୍ଡ ଟେବୁଲ ଜରିଆରେ ଶିଳ୍ପ ଉଦ୍ୟଗୀ ସହ ଜ୍ଞାନର ଆଦାନ ପ୍ରଦାନ କରାଯିବ ।
ସଂସ୍କୃତି ବିଭାଗ ଦ୍ଵାରା ବିଶିଷ୍ଟ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ପ୍ରଦର୍ଶନ ହେବ । ଏହି କନକ୍ଲେଭ ଅତ୍ୟନ୍ତ ସଫଳ ହେବ । ଓଡ଼ିଶାର ସୁଦୃଢ ଅର୍ଥନୈତିକ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଏହା ଆଗାମୀ ଦିନରେ ନିଶ୍ଚୟ ଭାବେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଐତିହାସିକ ହେବା ସହ ଓଡ଼ିଶାର ଅର୍ଥନୀତି ଦେଶର ଶ୍ରେଷ୍ଠ ପଞ୍ଚମ ଶକ୍ତିଶାଳୀ ରାଜ୍ୟ ଭାବେ ପ୍ରବେଶ କରିବ । ସାଧାରଣ ବର୍ଗର ଲୋକ କୃଷକ, ଶ୍ରମିକ, ତଥା ତଳସ୍ତରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଅପୂର୍ବ ସୁଯୋଗ ସୃଷ୍ଟି ହେବ । 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ସହ ସାଢ଼େ 3 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 100ରୁ ଅଧିକ ନିବେଶକ କାର୍ଯ୍ୟକ୍ରମରେ ଶିଳ୍ପ ଲାଗି ଚୁକ୍ତି ସ୍ବାକ୍ଷର କରିବେ ।"
ଏସବୁ କ୍ଷେତ୍ରକୁ ଫୋକସ:
ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି 12ଟି ରାଷ୍ଟ୍ର 'କଣ୍ଟ୍ରି ଅଫ୍ ଫୋକସ' ରହିବାକୁ ନିମନ୍ତ୍ରଣ କରାଯାଇଛି । 28 ତାରିଖ ପୂର୍ବାହ୍ନ 11 ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର ଦୁଇ ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ 15ଟି ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ 5ଟି ଓ ଦ୍ଵିତୀୟ ଦିନରେ 10ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ 28-29 ତାରିଖ 2 ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ଅନୁଷ୍ଠିତ ହେବ ।
ଏହା ମଧ୍ୟ ପଢ଼ନ୍ତୁ...28ରୁ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ, ଆସିବେ 5ଶହ ବିଦେଶୀ ନିବେଶକ ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ |
ତେବେ ଆଜିର ସମୀକ୍ଷା କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳେଇ, ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର