ଜଗତସିଂହପୁର:କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ଏପର୍ଯ୍ୟନ୍ତ ଟିକେଟ ଦେଇନି । ସେ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ଥିବା ବେଳେ ଦଳ ତାଙ୍କୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଚିରଞ୍ଜୀବଙ୍କୁ ଟିକେଟ ମିଳିନାହିଁ । ଏବେ ସୋସିଆଲ ମିଡିଆରେ ଚିରଞ୍ଜୀବଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସମର୍ଥକଙ୍କୁ ସମ୍ବୋଧନ କରି ଚିରଞ୍ଜୀବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହା ପରେ ସେ ଟିକେଟ ନେଇ ମଧ୍ୟ ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଟିକେଟ ଆଶାୟୀ ଥିଲେ ମାତ୍ର ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ଦେଲା । ସେ ନବୀନ ପଟ୍ଟନାୟକଙ୍କୁ 6ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲକ୍ଷ୍ୟରେ ଦଳ ପାଇଁ କାମ କରୁଛନ୍ତି । ତାଙ୍କୁ ବିଜେଡି କଟକରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲା । ମାତ୍ର ସେ ଜଗତସିଂହପୁରବାସୀଙ୍କୁ ଛାଡି ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ ।
ଭାଇରାଲ ହେଉଥିବା ଭିଡିଓରେ ଚିରଞ୍ଜୀବ ବିଶ୍ୱାଳ କର୍ମୀଙ୍କୁ ଏହା ଆଶ୍ୱାସନା ଦେବା ସହିତ ଆଗାମୀ ଦିନରେ ସେ ଜଗତସିଂହପୁରରେ ସଂଗଠନକୁ ସୃଦୃଢ଼ କରିବା ପାଇଁ କହୁଛନ୍ତି । ସେ ଲୋକଙ୍କ ସହ ରହିବେ । ଲୋକଙ୍କ ମନରେ କ୍ଷୋଭ ରହିଛି । ସେ ସେମ୍ପର୍କରେ ସେ ଅବଗତ ଅଛନ୍ତି । ହେଲେ ସେ ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟା ବୁଝିବେ । ଲୋକଙ୍କ ସେବା କରିବେ । ଲୋକମାନେ ତାଙ୍କ କଥାକୁ ଭରସା କରନ୍ତୁ ବୋଲି ଚିରଞ୍ଜୀବ କହୁଥିବା ଦେଖିବାକୁ ମିଳିଛି । ତେବେ ଏହି ତମାମ ଭିଡିଓରେ ସେ ଟିକେଟ ପ୍ରସଙ୍ଗରେ ପରୋକ୍ଷରେ କହୁଥିବା ବୁଝାପଡୁଛି । ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରୁନଥିଲେ ସୁଦ୍ଧା ସେ ତାଙ୍କ ସମ୍ପର୍କରେ ପରୋକ୍ଷରେ ବାରମ୍ବାର କହୁଛନ୍ତି । ଏହାକୁ ନେଇ ଏବେ ଜଗତସିଂହପୁର ବିଜେଡିରେ ଆଲୋଚନା ଆରମ୍ଭ ହୋଇଛି ।