ନୂଆଦିଲ୍ଲୀ:ନିଜଦଳର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ବ୍ୟକ୍ତିଗତ ସହାୟକ ଦୁର୍ବ୍ୟବହାର କରିବା ଅଭିଯୋଗ ମାମଲାରେ କେଜ୍ରିଓ୍ବାଲଙ୍କୁ ଘେରିଛି ଭାରତୀୟ ଜନତା ପାର୍ଟି । ଅଭିଯୁକ୍ତ ବ୍ୟକ୍ତି ବିଭବ କୁମାର ଏବେ ମଧ୍ୟ କେଜ୍ରିଓ୍ବାଲଙ୍କ ସହ ବୁଲୁଛନ୍ତି ବୋଲି ପାର୍ଟି ଅଭିଯୋଗ କରିଛି । ଏପିରିକି ଆଜି କେଜ୍ରିଓ୍ବାଲ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ମିଳିତ ପ୍ରେସମିଟ କରିବା ସମୟରେ ମଧ୍ୟ ଏହି ପ୍ରଶ୍ନର ସାମ୍ନା କରିଛନ୍ତି । ମାତ୍ର ସେ ଏଥିରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତାଙ୍କ ସ୍ଥାନରେ ଏହି ପ୍ରସଙ୍ଗରେ ଦଳକୁ ଡିଫେଣ୍ଡ କରିଛନ୍ତି ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ସିଂ ।
ଆଜି (ଗୁରୁବାର) ଲକ୍ଷ୍ନୌରେ ମିଳିତ ପ୍ରେସମିଟରେ ବିଜେପି ଓ ମୋଦି ସରକାର ବିରୋଧରେ ବର୍ଷିଥିଲେ କେଜ୍ରିଓ୍ବାଲ ଓ ଅଖିଳେଶ । ତେବେ ଗଣମାଧ୍ୟମ ମଧ୍ୟ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ପ୍ରଶ୍ନ କରିଥିଲେ । ହେଲେ କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ଭାବେ ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ, କୌଣସି ପ୍ରତିକ୍ରିୟା ରଖିନଥିଲେ । ତାଙ୍କ ସ୍ଥାନରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଥିଲେ ଦଳର ଅନ୍ୟତମ ବରିଷ୍ଠ ନେତା ସଂଞ୍ଜୟ ସିଂ । ବିଜେପିକୁ ପାଲଟା ଟାର୍ଗେଟ କରି ମହିଳା ସୁରକ୍ଷା କଥା ଉଠାଇଥିଲେ ସଞ୍ଜୟ ।
ବିଜେପି ଶାସନରେ ଥିବା ମଣିପୁରରେ କ’ଣ ହେଲା । ହିଂସା ସମୟରେ ସେଠାରେ ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦିଆଗଲା । ହେଲେ ସେତେବେଳେ ବିଜେପି କ’ଣ କରୁଥିଲା । ସେହିପରି କର୍ଣ୍ଣାଟକରେ ବିଜେପିର ସହଯୋଗୀ ଥିବା ‘ଜେଡିଏସ’ ସାଂସଦ ପ୍ରଜ୍ଜଳ ରେବନ୍ନା ମଧ୍ୟ ଯୌନ କେଳଙ୍କାରୀରେ ସମ୍ପୃକ୍ତ । ସେଠାରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସଞ୍ଜୟ ପ୍ରଶ୍ନ କରିଥିଲେ ।