ଜୟପୁର:ରାଜସ୍ଥାନ ଚୁରୁ ଲୋକସଭା କ୍ଷେତ୍ରରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ଥିବା ରାହୁଲ କସଓ୍ବା ଆଜି ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା ତାଲିକାରେ ତାଙ୍କ ଟିକେଟ କାଟି ଦେଇଥିଲା । ଏହାକୁ ନେଇ ସେତେବେଳେ ରାହୁଲ ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳୀୟ ନିଷ୍ପତ୍ତି ଉପରେ ସିଧା ପ୍ରଶ୍ନ ମଧ୍ୟ କରିଥିଲେ । ଆଜି ପୂର୍ବାହ୍ନରେ ସେ ନିଜ ଇସ୍ତଫାପତ୍ର ପାର୍ଟି ମୁଖ୍ୟ ଜେ.ପି ନଡ୍ଡାଙ୍କ ନିକଟକୁ ପଠାଇ ଦେଇଥିଲେ ।
ତାହାର କିଛି ଘଣ୍ଟା ମଧ୍ୟରେ ସେ ଦିଲ୍ଲୀ ଆସି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଛନ୍ତି । ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ପ୍ରଭାରୀ ସୁଖବିନ୍ଦର ସିଂ ରାନ୍ଧଓ୍ବା, ଦଳର ଜାତୀୟ ସାଧାରଣ ସମ୍ପାଦକ, ଜୟରାମ ରମେଶ, ରାଜସ୍ଥାନ ପିସିସି ମୁଖ୍ୟ ଗୋବିନ୍ଦ ସିଂ ଦୋଟାସାରାଙ୍କ ସମେତ ଅନ୍ୟ କିଛି ପ୍ରମୁଖ ନେତା ମଧ୍ୟ ଉପସ୍ଥିତ ଥିଲେ ।
ଚୁରୁ ଆସନରୁ ଦୁଇଥର ବିଜେପି ଟିକେଟରେ ସାଂସଦ ହୋଇଛନ୍ତି ରାହୁଲ । 2014 ଓ ପରେ 2019 ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ । ମାତ୍ର ଦଳ ତାଙ୍କୁ ଏଥର ଟିକେଟ ଦେଇନାହିଁ । ତାଙ୍କ ସ୍ଥାନରେ ପାରା-ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ଦେବେନ୍ଦ୍ର ଝଝାରିଆ ଏଥର ଟିକେଟ ପାଇିଛନ୍ତି । ଆଜି ଇସ୍ତଫା ସମ୍ପର୍କରେ ସେ ଟ୍ବିଟ୍ କରି ଚୁରୁ ସଂସଦୀୟ କ୍ଷେତ୍ରର ଭୋଟରଙ୍କୁ ସମ୍ବୋଧନ ଜରିଆରେ ଏହି ଘୋଷଣା କରିଥିଲେ । ନିର୍ବାଚନ ମଣ୍ଡଳୀବାସୀଙ୍କ ସମର୍ଥନ ଓ ସହଯୋଗ ପାଇଁ ସେ ଧନ୍ୟବାଦ ମଧ୍ୟ ଦେଇଥିଲେ ।