ଭୁବନେଶ୍ବର:ବିଜେପିର କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ ପ୍ରସ୍ତୁତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, " ସାଂସଦଙ୍କ କାମ କମ୍ ପ୍ରଚାର ବେଶୀ। ସାଂସଦ ସେବା ଦେଇ ପ୍ରଚାର କରୁଛନ୍ତି। 'ଅମୀର ସହ ଫକୀର ଆଉ ସ୍ବଦେଶୀ ସହ ବିଦେଶୀର ଲଢେଇ' ବିଜେପିର ନାରା ହେବ ବୋଲି କୁହାଯାଉଛି। ତେବେ ଖୁବଶୀଘ୍ର ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି ।
ସୁକାନ୍ତ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି, "ମୁଁ ଶିକ୍ଷା ବ୍ୟବସାୟୀ ହେବିନି କି ସ୍ୱାସ୍ଥ୍ୟ ବ୍ୟବସାୟୀ ହେବିନି। କି ଲୋକଙ୍କୁ ମିଛ କହିବିନି । କିସ (KIIS)ର ଜିଡିପି ବଢିଛି ହେଲେ କନ୍ଧମାଳ ଜିଡିପି ବଢିନି। ଏବେବି କନ୍ଧମାଳରେ ଅନେକ ସମସ୍ୟା ରହିଛି। ଏଠାରେ ବିକାଶ ପହଞ୍ଚି ପାରିନି । ତେଣୁ କନ୍ଧମାଳ ବିକଶିତ ହେବା ଦରକାର। କନ୍ଧମାଳରେ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଏବେ ବି ପଛରେ ରହିଛି। ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ରାଜ୍ୟ ସରକାର ସେ ଟଙ୍କାକୁ ବ୍ୟବହାର କରିପାରୁନାହାନ୍ତି। ସେ ଟଙ୍କାକୁ ବାଟମାରଣା କରାଯାଉଛି।"