ଭୁବନେଶ୍ବର: ବିଗତ ଏକ ବର୍ଷରେ ଦେଶର ସରକାରୀ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ପ୍ରାୟ ୩୭ ଲକ୍ଷ ହ୍ରାସ ପାଇଛି । ସେହିପରି ଉଭୟ ଦେଶ ଓ ରାଜ୍ୟରେ ଉଚ୍ଚବିଦ୍ୟାଳୟ ଗୁଡିକରେ ଝିଅଙ୍କ ଅପେକ୍ଷା ପୁଅଙ୍କ ଡ୍ରପ-ଆଉଟ୍ ହାର ଚିନ୍ତାଜନକ । ଯାହା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ମନ୍ତ୍ରଣାଳୟ ଅଧୀନସ୍ଥ ‘ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ’ (UDISE) ପ୍ଲସ ରିପୋର୍ଟରେ ଏପରି କିଛି ତଥ୍ୟ ପ୍ରକାଶିତ ହୋଇଛି ।
- ବଢିଛି ସରକାରୀ ସ୍କୁଲ ସଂଖ୍ୟା, କମିଛି ନାମଲେଖା :-
ରିପୋର୍ଟ ମୁତାବକ ୨୦୨୨-୨୩ ଓ ୨୦୨୩-୨୦୨୪ ଶିକ୍ଷାବର୍ଷରେ ଦେଶରେ ସରକାରୀ ସ୍କୁଲ ସଂଖ୍ୟା ୧.୪୬୬ ନିୟୁତରୁ ୧.୪୭୧ ନିୟୁତକୁ (ପ୍ରାୟ ୫୦୦୦) ବୃଦ୍ଧି ପାଇଛି । ତେବେ ଏହି ସମୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୨୫୧.୭ ନିୟୁତରୁ ୧୪୮ ନିୟୁତକୁ ହ୍ରାସ ପାଇଥିବା ଜଣାପଡିଛି । ତେବେ ଲିଙ୍ଗଭିତ୍ତିକ, ସାମାଜିକ ବର୍ଗୀକରଣ ଏବଂ ଶିକ୍ଷାସ୍ତରରେ ନାମଲେଖା ସଂଖ୍ୟା ଏତେଟା ହ୍ରାସ ପାଇନଥିବା କୁହାଯାଇଛି ।
- ଛାତ୍ରଙ୍କ ତୁଳନାରେ ନାମ ଲେଖାଉଛନ୍ତି ଅଧିକ ଛାତ୍ରୀ
ବିଗତ ଏକ ବର୍ଷରେ ନୂଆ ଛାତ୍ରୀଙ୍କ ସଂଖ୍ୟା ୧.୬ ନିୟୁତ ଏବଂ ଛାତ୍ରଙ୍କ ସଂଖ୍ୟା ୨.୧ ନିୟୁତ ହ୍ରାସ ପାଇଛି । ଅପରପକ୍ଷରେ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨.୫ ନିୟୁତ ହାସ ପାଇଥିବା ବେଳେ ଅନୁସୂଚୀତ ଜାତି (ଏସ୍ସି)ଙ୍କ ସଂଖ୍ୟା ୧.୨ ନିୟୁତ ଏବଂ ଆଦିବାସୀ,(ଏସ୍ଟି) ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ ଲକ୍ଷ ହ୍ରାସ ପାଇଛି । ସେହିପରି ମୁସଲମାନ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ କମିଥିବା ବେଳେ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩ ଲକ୍ଷ ହ୍ରାସ ପାଇଥିବା ରେକର୍ଡ କହୁଛି ।
![୩୭ ଲକ୍ଷ କମିଛି ନାମଲେଖା, ଡ୍ରପ-ଆଉଟ୍ରେ ଝିଅଙ୍କଠୁ ପୁଅ ଆଗରେ](https://etvbharatimages.akamaized.net/etvbharat/prod-images/04-01-2025/od-bbsr-01-udise-plus-report-education-7206049_04012025125824_0401f_1735975704_1002.jpeg)
- ହ୍ରାସ ପାଇଛି ସାମଗ୍ରିକ ଡ୍ରପ-ଆଉଟ୍ ସଂଖ୍ୟା
ପାଠପଢା ଅଧାରୁ ସ୍କୁଲ ଛାଡିଥିବା (ଡ୍ରପ୍ ଆଉଟ) ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବା ଶୁଭ ସଙ୍କେତ ବୋଲି କୁହାଯାଇଛି । ସରକାରୀ ସ୍କୁଲରେ ନାମଲେଖା ଏବଂ ଛାତ୍ରବୃତ୍ତି ପାଇବା ପ୍ରସଙ୍ଗରେ ଅଧିକ କାଗଜପତ୍ରର ଆବଶ୍ୟକତା ପଡୁଥିବାରୁ ଅଧିକାଂଶ ଛାତ୍ର ଅଧାରୁ ସ୍କୁଲ ଛାଡୁଥିବା ରିପୋର୍ଟରେ ଦର୍ଶାଯାଇଛି । ସରକାର ଏଥିପ୍ରତି ଉଚିତ ଧ୍ୟାନ ଦେଲେ ସ୍ଥିତିରେ ଉନ୍ନତି ଘଟିବ ବୋଲି ଦଳିତ ମାନବାଧିକାର ଜାତୀୟ ଅଭିଯାନର ମୁଖପାତ୍ର ବୀଣା ପାଲିକଲ କହିଛନ୍ତି । ଦେଶରେ ଥିବା ୧.୪୭୨ ନିୟୁତ ସ୍କୁଲ, ୯.୮ ନିୟୁତ ଶିକ୍ଷକ ଏବଂ ୨୪୮ ନିୟୁତ ଛାତ୍ରଛାତ୍ରୀଙ୍କ ତଥ୍ୟକୁ ଆଧାର କରି ‘ୟୁଡିଆଇଏସ୍ଇ’ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
୧. ସ୍କୁଲରେ କମ୍ପ୍ୟୁଟର ସୁବିଧା:-
ତଥ୍ୟ ଅନୁସାରେ, ଦେଶରେ ମୋଟ ୧୪ ଲକ୍ଷ ୭୧ ହଜାର ୮୯୧ ସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୮,୪୧, ୩୨୭ ସ୍କୁଲରେ କମ୍ପ୍ୟୁଟର ପାଇଁ ସୁବିଧା ରହିଛି । ସେଥିମଧ୍ୟରୁ କମ୍ପ୍ୟୁଟର ବ୍ୟବହାର କରିବା ପାଇଁ ୭୪୮୯୧୮ ସ୍କୁଲର ଯୋଗ୍ୟତା ରହିଛି । ସେଥିମଧ୍ୟରୁ ଇଣ୍ଟରନେଟ ଥିବା ସ୍କୁଲ ସଂଖ୍ୟା ହେଉଛି ୭୯୨୯୯୨ । ତେବ ତଥ୍ୟ ଆଧାରରେ ଦେଖିବାକୁ ଗଲେ ଓଡିଶାରେ ବିଶେଷ ଭାବରେ ୬୧,୬୯୩ ସ୍କୁଲରେ ୩୬,୬୨୮ ଟି କମ୍ପ୍ୟୁଟର ସୁବିଧା ରହିଛି । ସେହିପରି ୩୪,୪୦୧ ଟି ସ୍କୁଲ କମ୍ପ୍ୟୁଟର ବ୍ୟବହାର ଉପଯୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୦,୫୮୨ ଟି ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି ।
- ରାଜ୍ୟରେ ଅଛି କେଉଁ ବର୍ଗର କେତେ ସ୍କୁଲ:-
୨୦୨୩-୨୪ ତଥ୍ୟ ଅନୁଯାୟୀ, "ଓଡିଶାରେ ୬୧,୬୯୩ ଟି ସ୍କୁଲ ରହିଥିବା ବେଳେ ସରକାରୀ ସ୍କୁଲରେ ୪୮୬୭୧, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ୫୯୦୭, ଘରୋଇ ଅନୁଦାନ ପ୍ରାପ୍ତ ସ୍କୁଲ ୬୦୪୨ ଓ ୧୦୭୩ ଟି ଅନ୍ୟାନ୍ୟ ସ୍କୁଲ ରହିଛି । ସେଥିମଧ୍ୟରୁ ୩୬,୬୨୮ ସ୍କୁଲରେ କମ୍ପ୍ୟୁଟର ସୁବିଧା ରହିଥିବା ବେଳେ ସରକାରୀ ସ୍କୁଲରେ ୨୭,୧୪୦ ଟି, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ୩,୮୫୧ ଟି, ୪୯୧୦ ଘରୋଇ ଅନୁଦାନ ପ୍ରାପ୍ତ ସ୍କୁଲରେ ଏବଂ ୭୧୭ଟି ଅନ୍ୟାନ୍ୟ ସ୍କୁଲରେ କମ୍ପ୍ୟୁଟର ସୁବିଧା ରହିଛି।
![୩୭ ଲକ୍ଷ କମିଛି ନାମଲେଖା, ଡ୍ରପ-ଆଉଟ୍ରେ ଝିଅଙ୍କଠୁ ପୁଅ ଆଗରେ](https://etvbharatimages.akamaized.net/etvbharat/prod-images/04-01-2025/od-bbsr-01-udise-plus-report-education-7206049_04012025125824_0401f_1735975704_56.jpeg)
ଦେଶରେ ସରକାରୀ ସ୍କୁଲରେ ମଧ୍ୟ ସେହି ସମାନ ସ୍ଥିତି । ତେବେ ଦେଶରେ ୧୪,୭୧,୮୯୧ଟି ସ୍କୁଲ ରହିଥିବା ବେଳେ ସେଥିରେ ୭,୯୨,୯୯୨ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଛି । ତେବେ ୧୦ ଲକ୍ଷ ୧୭ ହଜାର ୬୬୦ଟି ସରକାରୀ ସ୍କୁଲ ମଧ୍ୟରୁ ୪,୭୦,୧୮୮ଟି ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି । ସେହିଭଳି ଭାବରେ ୮୦ ହଜାର ୩୧୩ ସରକାରୀ ଅନୁଦାନ ପ୍ରାପ୍ତ ସ୍ତରର ସ୍କୁଲ ମଧ୍ୟରୁ ୫୮୮୭୨ଟି ସ୍କୁଲରେ ଇଣ୍ଟରନେଟର ସୁବିଧା ରହିଛି । ଅନ୍ୟପଟେ ଘରୋଇ ଅନୁଦାନ ପ୍ରାପ୍ତ ସ୍ତରରେ ୪୨୮୧୦ଟି ସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୨,୪୫,୮୮୦ ଟି ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି ।
- ରାଜ୍ୟରେ କେତେ ସ୍କୁଲରେ ଅଛି ଇଣ୍ଟରନେଟ ସୁବିଧା
ଓଡିଶା ପକ୍ଷରେ କହିବାକୁ ଗଲେ ୬୧,୬୯୩ ଟି ସ୍କୁଲ ରହିଥିବା ବେଳେ ସେଥିରେ ୫୦୫୮୨ ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି । ତେବେ ୪୮୬୭୧ ଟି ସରକାରୀ ସ୍କୁଲ ମଧ୍ୟରୁ ୩୯୫୯୪ ଟି ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି। ସେହି ଭଳି ଭାବରେ ୫୯୦୭ ସରକାରୀ ଅନୁଦାନ ପ୍ରାପ୍ତ ସ୍ତରର ସ୍କୁଲ ମଧ୍ୟରୁ ୪୯୦୨ ଟି ସ୍କୁଲରେ ଇଣ୍ଟର ନେଟର ସୁବିଧା ରହିଛି । ଅନ୍ୟପଟେ ଘରୋଇ ଅନୁଦାନ ପ୍ରାପ୍ତ ସ୍ତରରେ ୬୦୪୨ ଟି ସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୫୨୦୯ ଟି ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି।
3. ବାଳକ/ବାଳିକା ଶୌଚାଳୟ
ଦେଶରେ ମୋଟ ସ୍କୁଲ ୧୪,୭୧,୮୯୧ ରହିଥିବା ବେଳେ ୧୪,୧୯,୨୪୨ ଟି ସ୍କୁଲରେ ଛାତ୍ରୀଙ୍କ ପାଇଁ ଶୌଚାଳୟର ସୁବିଧା ରହିଛି । ସେଥିମଧ୍ୟରୁ ୧୩,୬୬,୭୫୦ଟି ଛାତ୍ରୀଙ୍କ ଶୌଚାଳୟ କାର୍ଯ୍ୟକ୍ଷମ ରହିଛି । ସେହିପରି ଭାବରେ ଛାତ୍ରମାନଙ୍କ ପାଇଁ ୧୩,୮୧,୯୦୯ ଟି ଶୌଚାଳୟ ରହିଥିବା ବେଳେ ସେଥିମଧ୍ୟରୁ ୧୩,୨୦,୬୫୪ଟି କାର୍ଯ୍ୟକ୍ଷମ ରହିଛି ।
- ରାଜ୍ୟର ସ୍କୁଲରେ କେତେ ଶୌଚାଳୟ:
ଓଡିଶା ପକ୍ଷେ ଦେଖିଲେ ମୋଟ ସ୍କୁଲ ୬୧,୬୯୩ ରହିଥିବା ବେଳେ ୬୧,୦୧୨ ଟି ରହିଛି ଛାତ୍ରୀଙ୍କ ପାଇଁ ଶୌଚାଳୟର ସୁବିଧା ରହିଥିବା ବେଳେ ସେଥିମଧ୍ୟରୁ ୬୦,୫୮୨ ଟି ଛାତ୍ରୀଙ୍କ ଶୌଚାଳୟ କାର୍ଯ୍ୟକ୍ଷମ ରହିଛି । ସେହିପରି ଭାବରେ ଛାତ୍ରମାନଙ୍କ ପାଇଁ ମୋଟ ୫୯,୬୬୯ ଟି ଶୌଚାଳୟ ରହିଥିବା ବେଳେ ୫୯୧୨୦ ଟି ସ୍କୁଲରେ ଶୌଚାଳୟ କାର୍ଯ୍ୟକ୍ଷମ ରହିଛି ।
4. ଦେଶରେ ସ୍କୁଲ ଡ୍ରପ-ଆଉଟ୍ ହାର
ଦେଶରେ ତୃତୀୟରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୩.୭ ଡ୍ରପ-ଆଉଟ୍ ହାର ରହିଛି । ସେଥିମଧ୍ୟରୁ ଛାତ୍ରମାନଙ୍କ ଡ୍ରପ ଆଉଟ୍ ହାର ରହିଛି ୩.୯ ପ୍ରତିଶତ ଓ ଛାତ୍ରୀଙ୍କ ଡ୍ରପ-ଆଉଟ୍ ହାର ରହିଛି ୩.୫ । ସେହିଭଳି ଭାବରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ଡ୍ରପ-ଆଉଟ୍ ହାର ୫.୨ ହାର । ଛାତ୍ରମାନଙ୍କ ଡ୍ରପ-ଆଉଟ୍ ରେଟ ରହିଛି ୫.୨ ପ୍ରତିଶତ ଓ ଛାତ୍ରୀଙ୍କ ଡ୍ରପ-ଆଉଟ ରେଟ୍ ରହିଛି ୫.୩ । ସେହିଭଳି ଭାବରେ ନବମରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ମୋଟ ଡ୍ରପ ଆଉଟ ରହିଛି ୧୦.୯ ପ୍ରତିଶତ । ସେହିଭଳି ଭାବରେ ଛାତ୍ରମାନଙ୍କ ଡ୍ରପ ଆଉଟ୍ ରେଟ ରହିଛି ୧୨.୩ ଓ ଛାତ୍ରୀଙ୍କ ଡ୍ରପ ଆଉଟ ରେଟ ରହିଛି ୯.୪। ଯାହା ୨୦୨୩-୨୪ କେନ୍ଦ୍ରୀୟ ‘ୟୁଡିଆଇଏସଇ ପ୍ଲସ’ ତଥ୍ୟରୁ ଜଣାପଡିଛି ।
- ଓଡିଶାରେ ମଧ୍ୟ ଡ୍ରପ ଆଉଟରେ ଛାତ୍ରୀଙ୍କଠୁ ଆଗରେ ଛାତ୍ର
ସେହିଭଳି ଓଡିଶାର ସ୍ଥିତି ଦେଖିଲେ, ରାଜ୍ୟରେ ତୃତୀୟରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୦.୫ ଡ୍ରପ ଆଉଟ୍ ହାର ରହିଥିବା ବେଳେ ଛାତ୍ରମାନଙ୍କ ଡ୍ରପ ଆଉଟ ରେଟ ରହିଛି ୦.୬ ଓ ଛାତ୍ରୀଙ୍କ ଡ୍ରପ ଆଉଟ୍ ରେଟ ରହିଛି ୦.୩ । ସେହିଭଳି ଭାବରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ଡ୍ରପ ଆଉଟ ରେଟ ରହିଛି ୨.୦ । ଛାତ୍ର ମାନଙ୍କ ଡ୍ରପ ଆଉଟ ହାର ରହିଛି ୨.୨ ଓ ଛାତ୍ରୀଙ୍କ ଡ୍ରପ ଆଉଟ ରେଟ ରହିଛି ୧.୭ । ସେହିଭଳି ଭାବରେ ନବମରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ମୋଟ ଡ୍ରପଆଉଟ୍ ରହିଛି ୯.୧ । ସେହିଭଳି ଭାବରେ ଛାତ୍ର ମାନଙ୍କ ଡ୍ରପଆଉଟ ରେଟ ରହିଛି ୧୦.୨ ଓ ଛାତ୍ରୀଙ୍କ ଡ୍ରପଆଉଟ ରେଟ୍ ୮.୦ ପ୍ରତିଶତ ରହିଛି ।
5. ରାଜ୍ୟର ୧୦୬୫ଟି ସ୍କୁଲରେ ଜଣେ ମାତ୍ର ଶିକ୍ଷକ
ଦେଶରେ ୧୪,୭୧୮୯୧ ସ୍କୁଲରେ ମୋଟ ୯୮,୦୭,୬୦୦ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଛାତ୍ର ଶିକ୍ଷକ ଅନୁପାତ 25/1 ରହିଛି । ଦେଶରେ ୧୧୦୯୭୧ ସ୍କୁଲରେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି । ଅନ୍ୟପଟେ ଓଡିଶାର ତଥ୍ୟ ଅନୁଯାୟୀ, ଓଡିଶାରେ ୬୧,୬୯୩ ସ୍କୁଲ ରହିଥିବା ବେଳେ ମୋଟ ଶିକ୍ଷକ ରହିଛନ୍ତି ୩୩୫୪୯୬ ଜଣ । ଛାତ୍ର-ଶିକ୍ଷକ ଅନୁପାତ ଦେଖିଲେ ଏହା ପ୍ରାୟ ୨୩ ରହିଛି । ଓଡିଶାରେ ୧୦୬୫ ସ୍କୁଲରେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି । ସେହିପରି 16 ସ୍କୁଲରେ ଶୂନ୍ୟ ନାମଲେଖା ହୋଇଛି ।
6. କେତେ ଛାତ୍ରଛାତ୍ରୀଙ୍କ ଅଛି ‘ଆଧାର’
ଦେଶରେ ମୋଟ ଆକାରରେ ୨୦୨୩-୨୪ ଶିକ୍ଷା ବର୍ଷରେ ମୋଟ ନାମଲେଖା ୨୪୮୦୪୫୮୨୮ ହୋଇଥିବ ବେଳେ ୧୯୭୦୦୧୦୫୯ ଆଧାର ସଂଖ୍ୟା ପ୍ରଦାନ କରାଯାଇଛି । ସେହିଭଳି ଭାବରେ ଓଡିଶା ପକ୍ଷେ ଦେଖିଲେ ଓଡିଶାରେ ୨୦୨୩-୨୪ ଶିକ୍ଷା ବର୍ଷରେ ମୋଟ ନାମଲେଖା ୭୭,୫୬୯୧୦ ହୋଇଥିବ ବେଳେ ୬୯,୧୬,୬୯୧ ଆଧାର ସଂଖ୍ୟା ପ୍ରଦାନ କରାଯାଇଛି ।
୭. ବିଜୁଳି ଓ ପିଇବା ପାଣି ସୁବିଧାରୁ ବଞ୍ଚିତ ସ୍କୁଲ
ଦେଶରେ ୧୪,୭୧,୮୯୧ ସ୍କୁଲ ମଧ୍ୟରୁ ୧୩,୫୦,୮୧୩ଟି ବିଦ୍ୟୁତର ସୁବିଧା ରହିଥିବା ବେଳେ ବର୍ତ୍ତମାନ ସମୟରେ ୧୩,୧୯,୭୯୨ଟି କାର୍ଯ୍ୟ କ୍ଷମ ରହିଛି । ସେହିପରି ଭାବରେ ଦେଶରେ ଥିବା ୧୪୭୧୮୯୧ଟି ସ୍କୁଲରେ ପାନୀୟ ଜଳର ସୁବିଧା ୧୪୪୭୩୧୧ ସ୍କୁଲର ରହିଥିବା ବେଳେ ସେଥିମଧ୍ୟରୁ ୧୪,୧୧୮୬୫ ସ୍କୁଲରେ ପାନୀୟ ଜଳର ସୁବିଧା କାର୍ଯ୍ୟକ୍ଷମ ରହିଛି । ଅନ୍ୟପଟେ ଓଡିଶାରେ ୬୧,୬୯୩ ସ୍କୁଲ ମଧ୍ୟରୁ ୫୯,୫୧୧ ଟି ସ୍କୁଲରେ ବିଦ୍ୟୁତର ସୁବିଧା ରହିଥିବା ବେଳେ ବର୍ତ୍ତମାନ ସମୟରେ ୫୯,୦୭୬ଟି ସ୍କୁଲରେ ବିଦ୍ୟୁତ ଯୋଗାଣ କାର୍ଯ୍ୟକ୍ଷମ ରହିଛି । ସେହିପରି ଭାବରେ ଓଡିଶାରେ ଥିବା ୬୧,୬୯୩ ଟି ସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ପାନୀୟ ଜଳର ସୁବିଧା ୬୨,୬୮୫ ସ୍କୁଲର ରହିଥିବା ବେଳେ ସେଥିମଧ୍ୟରୁ ୬୨,୪୦୧ ସ୍କୁଲରେ ପାନୀୟ ଜଳର ସୁବିଧାର କାର୍ଯ୍ୟକ୍ଷମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର