ପାରଳାଖେମୁଣ୍ଡି: ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ । ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରି ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ସେଠାରେ ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଦୀପ । ରାଜ୍ୟରେ ସରକାର ଗଢିବା ନେଇ ଦମ୍ଭୋକ୍ତି ପ୍ରକାଶ କରିବା ସହ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଦୀପ ।
ପ୍ରଦୀପ କହିଛନ୍ତି, "ରାଜ୍ୟରେ ଶାସନ କରୁଥିବା ବିଜେଡି ନେତୃତ୍ବାଧୀନ ସରକାରକୁ ଲୋକେ ପରିବର୍ତ୍ତନ କରି ବିଜେପି ସରକାର ହେବା ନିଶ୍ଚିତ । ଏଥିପାଇଁ ଲୋକେ ମନସ୍ଥ କରି ସାରିଛନ୍ତି । ରାଜ୍ୟରେ ବହୁଥିବା ପରିବର୍ତ୍ତନର ହାୱାକୁ କେହି ରୋକି ପାରିବେ ନାହିଁ । ଥରେ ଲୋକେ ମନ ବଦଳାଇଲେ ଅବସ୍ଥା କ’ଣ ହୁଏ ତାହା ବିଗତ ଦିନର ସରକାରଙ୍କ କ୍ଷେତ୍ରରେ ସମସ୍ତେ ଦେଖିଛନ୍ତି । ତେଣୁ ସରକାର ଯେତେ ପ୍ରଶାସନିକ କଳ କିମ୍ବା ବାହୁବଳକୁ ବ୍ୟବହାର କଲେ ମଧ୍ୟ କିଛି ଫରକ ପଡିବ ନାହିଁ । ଏଥର ରାଜ୍ୟରେ ସରକାର ପରିବର୍ତ୍ତନ ହେବା ଥୟ ।"
ସେ ଆହୁରି କହିଛନ୍ତି , "ଦିନ ଥିଲା ଦେଶରେ ଇନ୍ଦିରା ଗାନ୍ଧୀ ମଧ୍ୟ ବହୁ ପ୍ରଭାବଶାଳୀ ମହିଳା ପ୍ରଧାନମନ୍ତ୍ରୀ ରହିଥିଲେ । କିନ୍ତୁ ଲୋକେ ଚାହିଁବାରୁ ତାଙ୍କୁ ମଧ୍ୟ ପରିବର୍ତ୍ତନ କରିଦେଇଥିଲେ । ଆଉ ରାଜ୍ୟରେ ସରକାରରେ ଥିବା ବିଜେଡିରେ ତ ଅନେକ ଫାଟ । ସେହି ଦଳ ବର୍ତ୍ତମାନ ବିଭିନ୍ନ ଗୋଷ୍ଠୀରେ ବିଭାଜିତ । ତେଣୁ ସେମାନଙ୍କୁ ପରିବର୍ତ୍ତନ ପାଇଁ ଲୋକେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିଜେଡି କିଭଳି ରୋକି ପାରିବ । ଗଣତନ୍ତ୍ର ମନ୍ଦିରରେ ଭୋଟର ହେଉଛନ୍ତି ସର୍ବେସର୍ବା । ସେମାନଙ୍କ ବିନା ନା କୌଣସି ଦଳ କୌଣସି ପ୍ରାର୍ଥୀ କାହାର କିଛି ସ୍ଥିତି ହିଁ ନାହିଁ ।"