ନିଆଳି: ସାଧାରଣ ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ନିର୍ବାଚନ । ହାତରେ ମାତ୍ର ୨ ଦିନ ଥିବାରୁ ବିଜେପି ପକ୍ଷରୁ ପ୍ରଚାର ଅଭିଯାନକୁ ପ୍ରଖର କରାଯାଇଛି । ବିଜେପି ପକ୍ଷରୁ ବାଲିପାଟଣା ବ୍ଲକ ଅଞ୍ଚଳରେ ବୁଧବାର ଦିନ ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଏବଂ ଶକ୍ତି ପ୍ରଦର୍ଶନ ଶେଷ ହୋଇଛି । ଭୁବନେଶ୍ବର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି ଉଭୟ ଜୟଦେବ ଦଖଲ ପାଇଁ ସଂକଳ୍ପ ଶୋଭାଯାତ୍ରା କରିଛନ୍ତି ।
ବାଲିପାଟଣା ବ୍ଲକ ଶିଶୁ ଅନନ୍ତ ମଠ ବ୍ରିଜ ନିକଟରୁ ବିଜେପି ସମର୍ଥକ ଓ କର୍ମୀ ମାନଙ୍କୁ ନେଇ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦେଉଳଧରପୁର,ମଝିହରା,ଭାପୁର,ମାର୍ଥାପୁର ଏବଂ ଆଖପାଖ ଅଞ୍ଚଳରେ ଶୋଭାଯାତ୍ରାରେ ମାଧ୍ୟମରେ ଶେଷ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଆଜି ବଡ ରୋଡ ସୋ ହୋଇଛି ବିଭିନ୍ନ ପଞ୍ଚାୟତରୁ ଲୋକେ ସାମିଲ ହୋଇଛନ୍ତି । ଆମ ଦଳରେ ସମସ୍ତେ ସକରାତ୍ମକ ବାତାବରଣରେ କାମ କରୁଛୁ । ଯେଉଁ ଭଳି ଭାବରେ ଜୟଦେବବାସୀଙ୍କ ପ୍ରତିକ୍ରିୟା ଅଛି ଜୟଦେବରେ ଆମେ ବିଜୟୀ ହେଵୁ ନିଶ୍ଚିତ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଜନତା ଆମ ପାଇଁ ନିର୍ବାଚନ ଲଢୁଛନ୍ତି ଏବଂ ଜନତା ନିଶ୍ଚିନ୍ତ ଭାବେ ଅପରାଜିତ ରହିବେ ବୋଲି କହିଛନ୍ତି ଅପରାଜିତା ।