BJP Moves CEO Accusing BJD Giving Cycle And Money To People For Upcoming Election 2024 ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛି । ଏ ସମ୍ପର୍କରେ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ ବିଜେଡି ଆଚରଣ ବିଧି ଉଲ୍ଲଘଂନ କରୁଛି । ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର ସାମଲ ସାଇକେଲ ବାଣ୍ଟିଲେଣି । ଏଥିରୁ ଜଣା ପଡୁଛି ବିଜେଡି କେତେ ଭୟଭୀତ । ଭୋଟ ପାଇଁ ପ୍ରଲୋଭନ ଦେଖାଇବା ଆଦର୍ଶ ଆଚରଣ ଵିଧିର ଉଲ୍ଲଙ୍ଘନ । ତେଣୁ ଧାରା 123 ଅନୁଯାୟୀ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବି କରିଛି ବିଜେପି ।
ସେହିପରି କେନ୍ଦୁଝର ଜିଲ୍ଲା ଘସିପୁରାର ଗୋହିରା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରସ୍ବତୀ ନାୟକ ବିଜେଡି ନେତାଙ୍କୁ ବସେଇ ସମିତି ସଭ୍ୟଙ୍କୁ ବସେଇ ଭତ୍ତା ବାଣ୍ଟିବା କଥାକୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନଜରକୁ ଆଣିଛି ଦଳ । ପଞ୍ଚାୟତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଲମ୍ବନ କରିବାକୁ ବିଜେପି ଦାବି କରିଛି । ଏହା ସହ ନିର୍ବାଚନ ଓ ରାଜନୈତିକ କାର୍ଯ୍ୟକ୍ରମରୁ ଦୁରେଇ ରହିବାକୁ ସରକାରୀ ଅଧିକାରୀ ମାନଙ୍କୁ ଦାବି କରିଛି ଦଳ ।
ଏହା ମଧ୍ୟ ପଢନ୍ତୁ ....ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ବିଜେପି ଦେଉ ସୁଯୋଗ: ବିଜେଡି - BJD MEET CEO
ଏହା ସହ ଗୋଲକ କହିଛନ୍ତି ଯେ, ବିଜେଡି ପ୍ରତି ଓଡିଶାବାସୀ ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସରକାରୀ ଅଧିକାରୀ ଓ ଜନତାଙ୍କୁ ପ୍ରଲୋଭନ ଦେଖାଇ ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ତ୍ବେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ନେତାମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଭଳି ବେଆଇନ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ନିର୍ବାଚନ ସମୟରେ ଜନତାକୁ ବାରମ୍ବାର ପ୍ରଲୋଭନ ଦେଖାଇବାର ଭିଡିଓ ଓ ଫଟୋ ଗଣମାଧ୍ୟମରେ ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ବିଜେଡି ସେଥିରୁ ନିବୃତ୍ତ ହୋଇନାହିଁ । ଓଡିଶାର ଲୋକେ ବିଜେଡି ଉପରେ ଭରସା ତୁଟାଇଛନ୍ତି । ଓଡ଼ିଶାବାସୀ ବିଜେଡିର ମିଥ୍ୟା କଥାକୁ ହୃଦୟଙ୍ଗମ କରିସାରିଲେଣି । ଏଥିଲାଗି ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଛି । ବିଜେଡି କ୍ଷମତା ଲୋଭରେ ବାରମ୍ବାର ଆଚରଣ ବିଧି ଉଲ୍ଲଘଂନ କରୁଛି ଓ ବିଜେଡି ଦୁର୍ବଳ ହୋଇସାରିଲାଣି ବୋଲି କହିଛନ୍ତି ଗୋଲକ ମହାପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର