ଭୁବନେଶ୍ବର: ନିର୍ବାଚନ କାମରେ ଏସଏସଜି ଗ୍ରୁପକୁ ବ୍ୟବହାର କରୁଛି ବିଜେଡି । ଫଟୋ ଦେଖାଇ ସିଇଓଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ବାଲେଶ୍ବରରେ ଏମବିକେ ମିଶନ ଶକ୍ତି ସଭାପତି ନିରୁପମା ନାୟକ ବିଜେଡି ପାଇଁ ପ୍ରଚାରରେ ଲାଗିଛନ୍ତି । ମିଶନ ଶକ୍ତି ସଦସ୍ୟ ମାନଙ୍କୁ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି ନିରୁପମା, ଯାହାର ଅଡିଓ ଭାଇରଲ ହେଉଥିବା ଅଭିଯୋଗ ଆଣିଛି ବିଜେପି ।
ବିଜେପି ଅଭିଯୋଗ ଅନୁଯାୟୀ, ବିଜେଡି କିଛି ମୁଷ୍ଟିମେୟ ମହିଳାଙ୍କୁ ବ୍ୟବହାର କରୁଛି । ମହିଳାଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା । ହେଲେ ବିଜେଡି ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍ଏଚଜିର ମା' ଭଉଣୀମାନଙ୍କୁ ପ୍ରଲୋଭିତ କରିଆସୁଛି । ଏହି ପ୍ରଲୋଭନର ଶିକାର ହୋଇ କିଛି ମୁଷ୍ଟିମେୟ ମିଶନ ଶକ୍ତିର ମା’ ଯଥା ଜିପିଏଫ ଲିଡର, ଏମବିକେ, ସିଆରପି, ଜିଆରଏସ୍ ନିଜର ଦାୟିତ୍ବ ଭୁଲି ବିଜେଡିର ପ୍ରଚାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି । ଏହା ନିର୍ବାଚନ ଭଳି ଗଣତନ୍ତ୍ରର ସର୍ବୋଚ୍ଚ ପର୍ବର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପଞ୍ଚାୟତ ମହାସଂଘକୁ ମୋଦି ସରକାର ଦେଉଥିବା ଲକ୍ଷ ଲକ୍ଷ ସିଆଇଏଫ ଟଙ୍କାକୁ ମହିଳାମାନଙ୍କ ଟ୍ରେନିଂରେ ଉପଯୋଗ ନକରି ବିଜେଡି ସରକାର ନିଜର ମିଛ ପ୍ରଚାର ଯଥା ପିତଳକୁ କିଭଳି ସୁନା କହିବେ ସେ ପ୍ରକାର ଟ୍ରେନିଂ ଦେଉଛନ୍ତି ।