ନିମାପଡ଼ା: କାକଟପୁର ବିଜେପିରେ ମୁଣ୍ଡ ଟେକିଛି ବିଦ୍ରୋହ । ଆଜି କାକଟପୁର ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଆଜି କାକଟପୁର ନୂଆହାଟ ଆଲୁଦଣ୍ଡା କଲ୍ୟାଣ ମଣ୍ଡପରେ ବିଜେପିର ସାଙ୍ଗଠନିକ ବୈଠକ ହେଉଥିବା ବେଳେ ଗୋଟିଏ ଗୋଷ୍ଠୀ ସଭା ମଧ୍ୟରେ ପାଟିତୁଣ୍ଡ ହୋହଲ୍ଲା କରିଥିଲେ । ଯାହାର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଉକ୍ତ ସଭାରେ କାକଟପୁର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ତରାଇ ବୈଠକରେ ଉପସ୍ଥିତ ଥିଲେ ବୋଲି କୁହାଯାଇଛି । ବିଜେପିର କାକଟପୁର ବିଧାୟକ ପ୍ରାର୍ଥୀତ୍ବକୁ ବିରୋଧ କରି ଏଭଳି ବିରୋଧ କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।
୨ ଦିନ ତଳେ ବିଜେପି ତରଫରୁ କାକଟପୁର ବିଧାନସଭା ଆସନ ପାଇଁ ନିମାପଡାର ପୂର୍ବତନ ବିଧାୟକ ବାଇଧର ମଲ୍ଲିକଙ୍କ ନାମ ଘୋଷଣା ହୋଇଥିଲା । ବାଇଧର ମଲ୍ଲିକଙ୍କ ବିଜେପି ପ୍ରାର୍ଥୀ ଘୋଷଣା ପରେ କାକଟପୁରରେ ବାଇଧର ନିଜ ସମର୍ଥକଙ୍କ ସହିତ ପହଞ୍ଚି ଏକ ପଦଯାତ୍ରାରେ ମଙ୍ଗଳା ମନ୍ଦିର ଗସ୍ତ କରି ମା’ଙ୍କୁ ଦର୍ଶନ କରିଥିଲେ, କିନ୍ତୁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ଗୋଷ୍ଠୀ ପହଞ୍ଚି ବାଇଧର ମଲ୍ଲିକଙ୍କ ପ୍ରାର୍ଥିତ୍ବକୁ ଘୋର ବିରୋଧ କରିବା ସହିତ ନିଜ ଅଞ୍ଚଳରୁ ଏକ ନେତୃତ୍ବଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି । ଯାହାର ଏକ ପ୍ରଭାବ ଆଜି କାକଟପୁର ବିଜେପି କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଥିଲା ।