ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ବଦଳ ରାଜନିତୀ । ବିଭିନ୍ନ କାରଣରୁ ଦଳ ଛାଡୁଥିବା ନେତାଙ୍କୁ ଆଦରି ନେଉଛନ୍ତି ଅନ୍ୟ ଦଳ । କିଛି ନେତା କଂଗ୍ରେସ ଛାଡି ବିଜେଡି ଓ ବିଜେପିରେ ଯୋଗ ଦେଉଛନ୍ତି । ସେହିପରି ଶାସକ ଦଳରେ କୋଣଠେସା ଅନୁଭବ କରୁଥିବା ନେତା ମଧ୍ୟ ଦଳ ଛାଡି କଂଗ୍ରେସ ଓ ବିଜେପିର ଶରଣ ନେଉଛନ୍ତି । ଆଜି ଭୁବନେଶ୍ବରରେ କଂଗ୍ରେସରେ ମିଶିଛନ୍ତି ବିଜେପିର ଯୁବନେତା ସତ୍ୟଜିତ ପଟ୍ଟନାୟକ । ଦୀର୍ଘଦିନ ପରେ ସେ ନିଜର ପୁରୁଣା ଦଳକୁ ଫେରିଛନ୍ତି । ତାଙ୍କ ସହ ନାରୀ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ମଧ୍ୟ ଆଜି କଂଗ୍ରେସକୁ ଫେରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ସଂଗଠନ ସଜାଡ଼ୁଛି କଂଗ୍ରେସ, ଜିଲ୍ଲା ସଭାପତିଙ୍କ ପିସିସି ସଭାପତିଙ୍କ ବୈଠକ
ଆଜି ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ସତ୍ୟଜିତ ପଟ୍ଟନାୟକ । ସତ୍ୟଜିତ ବିଜେପି ଦଳ ଛାଡି ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଛନ୍ତି । ପୁରୁଣା ଦଳକୁ ଫେରିବା ପରେ ସତ୍ୟଜିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ମୋର ନିଜ ଘରକୁ ପୁନର୍ବାର ଫେରିଛି । ଆଗରୁ ମୁଁ ଛାତ୍ର କଂଗ୍ରେସ ନେତା ଭାବରେ କଂଗ୍ରେସ ଦଳରେ କାମ କରିଛି । ଏବେ ସୁଯୋଗ ମିଳିଛି, ସମସ୍ତେ ସଭାପତିଙ୍କ ହାତ ମୁଠାକୁ ଟାଣ କରି କଂଗ୍ରେସ ଦଳର 9ରୁ 90 ମିଶନକୁ ସଫଳ କରିବାକୁ ଚେଷ୍ଟା କରିବା ।" ତେବେ ସତ୍ୟଜିତଙ୍କ ସମେତ ଗତ ନିର୍ବାଚନରେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀ ଜୟଶ୍ରୀ ପଟ୍ଟନାୟକ ମଧ୍ୟ କଂଗ୍ରେସକୁ ଫେରିଛନ୍ତି ।