ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଗୁରୁବାର ବିଜୁ ଜନତା ଦଳ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ହେଲେ ଏହି ଇସ୍ତାହାରକୁ କଟାକ୍ଷ କରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଗତ 24 ବର୍ଷ ଧରି ବିଜେଡି ଦେଇ ଚାଲିଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ ନକରି ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଉଛି ବୋଲି କଂଗ୍ରେସ କହିଛି । ସେହିଭଳି ୨୦୧୯ ନିର୍ବାଚନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ କଲେ ବୋଲି ବିଜେପି ପ୍ରଶ୍ନ କରିଛି । ଏପରିକି ବିଜେଡି ଇସ୍ତାହାରକୁ 'ପାଣ୍ଡିଆନଙ୍କ ଦ୍ବାରା, ପାଣ୍ଡିଆନଙ୍କ ପାଇଁ ଓ ପାଣ୍ଡିଆନଙ୍କର ଇସ୍ତାହାର' ବୋଲି କହି କଟାକ୍ଷ କରିଛି ବିଜେପି ।
ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ କହିଛନ୍ତି, "ଗତକାଲି ବିଜୁ ଜନତା ଦଳ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । କିନ୍ତୁ ବଡ଼କଥା ହେଉଛି ୨୦୧୯ ନିର୍ବାଚନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ପୂରଣ କଲେ ଏସବୁକୁ ନେଇ ଥରେ ଓଡିଶାବାସୀଙ୍କୁ ତାଙ୍କ ରିପୋର୍ଟ କାର୍ଡ ଦେବା କଥା । ଗଣତନ୍ତ୍ରରେ ଗୋଟେ କଥା ଅଛି, ଗଣତନ୍ତ୍ର ଲୋକମାନଙ୍କର ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ଵାରା । କିନ୍ତୁ ବିଜେଡିର ଇସ୍ତାହାର 'By the Pandian, For the Pandian and Of the Pandian' । ସେମାନେ ୫T ଆରମ୍ଭ କଲେ, ୫Tରେ ହେଉଥିଲା କଣ ? ବିଧାୟକ ଓ ସାଂସଦମାନେ ଚାକର ହୋଇଥିଲେ ଓ ଅଫିସରମାନେ ରାଜନୀତି କରୁଥଲେ । ଏହି ଇସ୍ତାହାର କେବଳ ପାଣ୍ଡିଆନଙ୍କ ପାଇଁ ତିଆରି ହୋଇଛି । ଓଡ଼ିଶାରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ 'ଆମେ ୨ ଆମର ୨' ଆରମ୍ଭ ହୋଇଥିଲା । ବର୍ତ୍ତମାନ ରାଜନୀତିକୁ ନିୟନ୍ତ୍ରଣ କରିବା ପାଇଁ 'ଆମେ ୨-ଆମର ୨', ଅର୍ଥାତ କେବଳ ନବୀନ ବାବୁ ଓ ପାଣ୍ଡିଆନଙ୍କୁ ନେଇ କରାଯାଉଛି । ଆମର ନିର୍ବାଚନୀ ଇସ୍ତାହାର ଘୋଷଣା ସମୟରେ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଆମେ ସମସ୍ତଙ୍କୁ ଡାକିଥିଲୁ । କିନ୍ତୁ ସେମାନେ କାହାକୁ ଡାକିଲେ ନାହିଁ, ରାତି ଅଧିଆ କରାଗଲା । ଅନ୍ଧାରୀ ମାନିଫେଷ୍ଟୋ ଲୁଚାଛପାରେ ନହେଉ, ସାମ୍ବାଦିକମାନଙ୍କୁ ବିଜୁ ଜନତା ଦଳ ସମ୍ମାନ ଦେଉ, ସାମ୍ବାଦିକ ମାନଙ୍କୁ ଡକାଯାଉ ।"