ଓଡିଶା

odisha

ETV Bharat / politics

ନିର୍ବାଚନ ଠାରୁ ମଧ୍ୟ ବଳିଗଲା ମେଣ୍ଟ ଚର୍ଚ୍ଚା: ଛିଡି ସାରିଛି ଆସନ ବୁଝାମଣା ! - BJP BJD alliance

BJP-BJD alliance still in suspense: ମେଣ୍ଟ ନେଇ ଶୀର୍ଷ ନେତୃତ୍ବସ୍ତରରେ ବିଜେପି-ବିଜେଡି ଆଲୋଚନା ଜାରି । ଆସନ ଭାଗବଣ୍ଟା ଛିଡି ସାରିଥିବା ସୂତ୍ରରୁ ସୂଚନା । କୌଣସି ଦଳର ନେତା ରଖୁନାହାନ୍ତି ସିଧା ପ୍ରତିକ୍ରିୟା । ଅଧିକ ପଢନ୍ତୁ

ନିର୍ବାଚନରୁ ମଧ୍ୟ ବଳିଗଲା ମେଣ୍ଟ ଚର୍ଚ୍ଚା: ନା ଥମୁଛି, ନା ଛିଡୁଛି
ନିର୍ବାଚନରୁ ମଧ୍ୟ ବଳିଗଲା ମେଣ୍ଟ ଚର୍ଚ୍ଚା: ନା ଥମୁଛି, ନା ଛିଡୁଛି

By ETV Bharat Odisha Team

Published : Mar 12, 2024, 6:14 PM IST

ନିର୍ବାଚନରୁ ମଧ୍ୟ ବଳିଗଲା ମେଣ୍ଟ ଚର୍ଚ୍ଚା: ନା ଥମୁଛି, ନା ଛିଡୁଛି

ଭୁବନେଶ୍ବର:ନିର୍ବାଚନ ଚର୍ଚ୍ଚାକୁ ମଧ୍ୟ ବଳିଯିବାକୁ ବସିଲାଣି ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା । ଗତ କିଛିଦିନ ଧରି ଉଭୟ କ୍ୟାମ୍ପରେ ମାରଥନ ବୈଠକ ଚାଲିଥିଲେ ସୁଦ୍ଧା ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଦିଲ୍ଲୀରେ ରାଜ୍ୟ ବିଜେପି ନେତାଏଁ ଡେରା ପକାଇଛନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ଆଲୋଚନା କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ, ଜୁଏଲ ଓରାମ, ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ଭଳି ପ୍ରମୁଖ ନେତା ଅପେକ୍ଷା କରିଛନ୍ତି । ଏହାରି ଭିତରେ ଖବର ଆସୁଛି, ଦିଲ୍ଲୀରେ ବିଜେପିର ମେଣ୍ଟ ବୈଠକ ଏବେ ଶେଷ ହୋଇଛି । ମନମୋହନ ସାମଲ, ବିଜୟ ପଲ ସିଂହ ତୋମର ସାମିଲ ଥିଲେ । କୌଣସି ମୁହୂର୍ତ୍ତରେ ମେଣ୍ଟ ସୂଚନା ସାମ୍ନାକୁ ଆସିପାରେ ।

ଏଭଳି ଏକ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ବିଜେଡି ବିଧାୟକଙ୍କ ବୟାନ ମେଣ୍ଟ ରାଜନିତୀକୁ ଅଧିକ ଖୋରାକ ଯୋଗାଇଛି । ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ‘‘ମେଣ୍ଟ ହେଲେ ବିଜେଡିର କୌଣସି କ୍ଷତି ହେବନାହିଁ । ଶୀର୍ଷ ନେତୃତ୍ୱ ହିଁ ନିଷ୍ପତ୍ତି ନେବେ । ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଦଳ ନିଷ୍ପତ୍ତି ନେବ । ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ, ତାକୁ ଦଳରେ ସମସ୍ତେ ଗ୍ରହଣ କରିବାରେ କୌଣସି ସମସ୍ୟା ନାହିଁ । ବିଗତ ଦିନରେ ବି ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିଲା, ଆଗାମୀ ଦିନରେ ମଧ୍ୟ ମେଣ୍ଟ ହୋଇପାରେ । ଆସନ ବୁଝାମଣାକୁ ନେଇ ତର୍ଜମା ଚାଲିଛି । ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନି । ମୁଖ୍ୟମନ୍ତ୍ରୀ ତାହା ଉପରେ ଭଲ ଭାବେ ନଜର ରଖିଛନ୍ତି । ଉଭୟ ଦଳର ବିଚାର ବିମର୍ଶ ଚାଲିଛି । ତାହା ପରେ ନିଷ୍ପତ୍ତି ନିଆଯିବ ।’’

ସେପଟେ ବିଜେପିର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ‘‘ଦଳର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ । ମିଡିଆରେ ଅଧିକ ମେଣ୍ଟ ଚର୍ଚ୍ଚା ହେଉଛି । ଆମ ପାଖକୁ ମେଣ୍ଟ ନିଷ୍ପତ୍ତି ଆସିନାହିଁ । ରାଜ୍ୟ ସଭାପତି ଏବଂ ପ୍ରଭାରୀ ଏ ସମ୍ପର୍କରେ ଯାହା କହିବା କଥା କହି ସାରିଛନ୍ତି । ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ହିସାବରେ, ଶୀର୍ଷ ନେତା କହି ସରିଲା ପରେ ମୋର କିଛି କହିବାର ଅର୍ଥ ନାହିଁ । ଶୀର୍ଷ ନେତୃତ୍ବଙ୍କ ନିଷ୍ପତି ଆସିବା ପରେ ଯାହା କିଛି କହି ହେବ ।’’

ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ମେଣ୍ଟ ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି । ଉଭୟ ବିଜେପି ଓ ବିଜେଡି ଭୟଭୀତ, ତେଣୁ ମେଣ୍ଟ କରିବା ପାଇଁ ଯାଉଛନ୍ତି । ଇଡି ଓ ସିବିଆଇ ପରି କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଭୟରେ ବିଜେଡି ମେଣ୍ଟ କରିବା ପାଇଁ ବାଧ୍ୟ ହେଉଛି । ଦିଲ୍ଲୀରେ ବିଜେପି ନେତାଙ୍କ ବାସଭବନରେ ଘନ ଘନ ବୈଠକ ଚାଲୁଛି । ତଥାପି ମେଣ୍ଟ ମେଇ କୌଣସି ନିଷ୍ପତ୍ତିରେ ଉଭୟ ଦଳ ପହଞ୍ଚି ପାରିନାହାନ୍ତି ।" ହେଲେ ଉଭୟ ଦଳର ରଣନୀତି ରାଜ୍ୟବାସୀ ବୁଝିସାରିଥିବା ସୁର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଏବେବି ଦିଦିଙ୍କୁ ନେଇ କଂଗ୍ରେସ ଆଶାବାଦୀ, ‘ଇଣ୍ଡିଆ’ ମେଣ୍ଟର ମୁମ୍ବାଇ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ

ବିଜେଡି ପକ୍ଷରୁ ଦିଲ୍ଲୀ ଯାଇଥିଲେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ଦିଲ୍ଲୀରେ ଆଲୋଚନା ପରେ ସେମାନେ ଓଡିଶା ଫେରି ଆସିଛନ୍ତି । ହେଲେ ଉଭୟ ବିଜେଡି ଓ ବିଜେପି ମେଣ୍ଟ ସମ୍ପର୍କରେ କୌଣସି ସିଧା ପ୍ରତିକ୍ରିୟା ରଖିବାକୁ ପ୍ରସ୍ତୁତ ନୁହଁନ୍ତି । ମାତ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ପ୍ରାୟତଃ ଛିଡି ସାରିଛି । ବିଜେଡି ଲୋକସଭାରେ 8 ଓ ବିଜେପି 13 ଆସନରେ ଲଢିବା ନେଇ ସହମତି ହୋଇଛି । ସେହିପରି ବିଧାନସଭା ଆସନ ବୁଝାମଣାରେ ବିଜେଡି ଆଗରେ ରହିବ । ଦଳ ସର୍ବାଧିକ 99 ଆସନରେ ଲଢିବାକୁ ରାଜି ହୋଇଥିବା ବେଳେ ବିଜେପି ଅବଶିଷ୍ଟ 48 ଆସନରେ ଲଢିବ । କଥାବାର୍ତ୍ତା ପ୍ରାୟତଃ ସରିଥିବା ବେଳେ କୌଣସି ମୁହୂର୍ତ୍ତରେ ଆନୁଷ୍ଠାନିକ ଘୋଷଣା ସାମ୍ନାକୁ ଆସିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details