ଭୁବନେଶ୍ବର:ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ସରଗରମ ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଡିଏସ କୁଟେ ଚକ୍ରାନ୍ତ କରିଥିବା ଅଭିଯୋଗ ଆଣିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, "ପ୍ରଶାନ୍ତଙ୍କୁ ଫସାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଡିଏସ କୁଟେ ଏଭଳି ଚକ୍ରାନ୍ତ କରିଛନ୍ତି । ଗତ 25 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନବେଳେ ରାଜ ସୁନା ଖଳାରେ ଭୋଟିଂ ଚାଲିଲା । ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରକାଶ ରଣ ବିଜୁଳି ବୁଥକୁ ଭୋଟ ଦେବା ପାଇଁ ଯାଇଥିଲେ। ଏତିକି ବେଳେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ବିଜେଡି ପ୍ରରୋଚନାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫସାଇଥିଲେ । ଇଭିଏମ ଭାଙ୍ଗିବା ଓ ପ୍ରିଜାଡିଂ ଅଫିସରଙ୍କୁ ଦୁର୍ବ୍ୟବହାର କରିବା ଡାହା ମିଛ । ବରଂ ବୁଥ ଭିତରେ ପ୍ରଶାନ୍ତ ଜଗଦେବ ଓ ଅପରାଜିତା ଷଡଙ୍ଗୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ ଥିବା ବିଜେଡି ଗୁଣ୍ଡା ।"
ସେ ଆହୁରି କହିଛନ୍ତି, "ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କ୍ରିମିନାଲ ଭଳି ବ୍ୟବହାର କରିଛନ୍ତି । ଅତ୍ୟନ୍ତ ଅମାନୁଷିକ ଭାବେ ପୋଲିସ ନିୟମ ଭାଙ୍ଗି ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଥାନାରେ ତଳେ ବସାଇଥିଲେ । ପାଣି, ଖାଦ୍ୟ ମାଗିଲେ ବି ଦିଆଗଲା ନାହିଁ । ପରିବାର ଲୋକଙ୍କ ସହ ଭେଟ କରିବାକୁ ଦିଆଗଲା ନାହିଁ । ରାତି ଗୋଟାଏବେଳେ ବୋଲଗଡ଼ ଥାନାର ରିଜର୍ଭ ଅଫିସରେ ତାଙ୍କୁ ରାତିରେ ଅକଥନୀୟ ଅତ୍ୟାଚାର କରାଯାଇଛି । ପୋଲିସ ହେଡ୍ କ୍ଵାଟରରୁ ଏହାକୁ ମନିଟର କରାଯାଉଥିଲା । ପ୍ରିଜାଡିଂ ଅଫିସରଙ୍କୁ ଏତଲା ଦେବା ପାଇଁ ବାଧ୍ୟ କରାଯାଇଛି । କ୍ରିମିନାଲ ଭାବେ ଅପରାଜିତାଙ୍କ ଗାଡି଼କୁ ପିଛା କରି ପ୍ରଶାନ୍ତଙ୍କୁ ପୋଲିସ ଗାଡି଼ରେ ବସାଇ ନେଇଗଲା ।"