ଭୁବନେଶ୍ବର:ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ପୁଣି ଅଭିଯୋଗ ଆଣିଛି ବିଜେପି । ଆଜି ଦୁଇଟି ପ୍ରସଙ୍ଗରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ ହୋଇଛି । "ବିଜୁ ଜନତା ଦଳ ଦରପୋଡା କାଠ । ବାରମ୍ବାର ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । କେବଳ ପଇସା ଵାଲା ଲୋକଙ୍କୁ ଟିକଟ ଦେଇଛନ୍ତି, ଯେଉଁମାନଙ୍କର ନିର୍ବାଚନ ବିଷୟରେ କୌଣସି ଜ୍ଞାନ ନାହିଁ । ସଂତୃପ୍ତ ମିଶ୍ର ଯିଏକି କଟକ ଲୋକସଭାରୁ ବିଜେଡିର ପ୍ରାର୍ଥୀ ସେ ରାଜ୍ୟ ସରକାରଙ୍କ ଲୋଗୋକୁ ନିଜର ପୋଷ୍ଟର ଏବଂ ବ୍ୟାନରରେ ବ୍ୟବହାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧି ମଧ୍ୟରେ ରହୁନାହିଁ । ସେହିପରି ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ ରବୀନ୍ଦ୍ର ନାଥ ନାୟକ ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି" ବୋଲି ଅଭିଯୋଗ ଆଣିଛି ବିଜେପି ।
ଏହି ଦୃଷ୍ଟିରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ସିଇଓଙ୍କ ନିକଟରେ ଅଭିଯୋଗ କରାଯାଇଛି । ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି, ଏଥିଲାଗି ବିଜୁ ଜନତା ଦଳ ଛାନିଆ ହୋଇଗଲାଣି । ବିଜେଡି ନିର୍ବାଚନ ବୈତରଣୀ ପାର ହେବା ଲାଗି ସରକାରୀ ଅଧିକାରୀଙ୍କ ଉପରେ ଭରସା କରିଛି । କାହିିଁକି ନା ଓଡ଼ିଶାର ଜନତା ଏବେ ସଚେତନ । ମିଥ୍ୟା, ଭ୍ରଷ୍ଟାଚାରୀ ସରକାରକୁ ହଟାଇବା ପାଇଁ ଓଡ଼ିଶାବାସୀ ପଣ କରିଛନ୍ତି ।"