ଭୁବନେଶ୍ବର:ଓଡ଼ିଆ ଅସ୍ମିତାକୁ ନେଇ ଘନେଇଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ ବିଜେଡି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଓଡ଼ିଆ ଅସ୍ମିତାକୁ ନେଇ କଟାକ୍ଷ କରିଥିବାବେଳେ ଜବାବ ରଖିଛି ଶାସକ ବିଜେପି ।
'ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ନିଲାମ କରୁଛନ୍ତି'
ବିଜେଡି ନେତ୍ରୀ ଲେଖାଶ୍ରୀ କହିଛନ୍ତି, "ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି । କିନ୍ତୁ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ନିଲାମ କରୁଛି ମୋହନ ସରକାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଓଡ଼ିଆ ଲେଖି ପଢିପାରୁନାହାନ୍ତି । ମୋହନ ସରକାର ପାଲଟିଛି ଜୋକରଙ୍କ ଆଡ୍ଡା ସ୍ଥଳ । ମୁଖ୍ୟମନ୍ତ୍ରୀ ବେଶୀ ଦିନ ଦିଲ୍ଲୀ ଓ ଅଳ୍ପ ଦିନ ଓଡିଶାରେ ରହୁଛନ୍ତି । ଓଡିଶାରେ CMO ନୁହେଁ, PMOର ବ୍ରାଞ୍ଚ ଅଫିସ ଚାଲିଛି । ବାରମ୍ବାର ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି । ନିର୍ବାଚନ ପୂର୍ବରୁ ଓଡ଼ିଆ ଅସ୍ମିତାର କଥା କହି ମାହୋଲ ସୃଷ୍ଟି କରାଗଲା । ବିଜେପି ସରକାରକୁ ଆସିଲେ ଓଡିଶାର ଅସ୍ମିତାକୁ ନେଇ ଚନ୍ଦ୍ରରେ ରଖିଦେବେ । କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ ଘଟଣା ଘଟୁଛି । ସେଥିରୁ ଜଣାପଡୁଛି ସେମାନେ ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାକୁ ନୁହେଁ ବରଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ନିଲାମ କରିବାକୁ ଆସିଛନ୍ତି।"
'ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ'
ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ମନ୍ତ୍ରିମଣ୍ଡଳର ଶପଥ ପାଠ ଦିନରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଶପଥ ପାଠ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ଠିକଭାବେ କରିପାରିଲେ ନାହିଁ । ଓଡ଼ିଆରେ ଲିଖିତ ଶପଥ ପାଠ ମଧ୍ୟ ଠିକରେ ପଢିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଓଡ଼ିଆ ଲେଖି ପଢି ପାରୁନାହାନ୍ତି । ଅକ୍ଷର ମଧ୍ୟ ଠିକରେ ଚିହ୍ନି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ବ୍ରୋଞ୍ଜ ବିଜେତା ହକି ଟିମ ସହିତ କଥା ହେଲେ । ନା ଓଡ଼ିଆ ନା ହିନ୍ଦୀ ନା ଇଂରାଜୀରେ କଥା ହୋଇପାରୁଛନ୍ତି । ଏହା କ'ଣ ଓଡ଼ିଆ ଅସ୍ମିତା ? ଓଡ଼ିଶାର ସ୍ୱାଭିମାନକୁ ଦେଶରେ ନିଲାମ କରିବା କ'ଣ ଓଡିଆ ଅସ୍ମିତା ? OPTCL କହି ପାରୁନାହାନ୍ତି । ପଛ ପଟରୁ 5 ଜଣ ପ୍ରମ୍ପଟିଂ କରୁଛନ୍ତି । ଏକ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଭାରତ ମାତାକୁ ଜୟ ବଦଳରେ ଲେଖିଛନ୍ତି ଡାରତ ମାତା କି ଜୟ ।"
'ଓଡିଶାରେ ଚାଲିଛି PMOର ବ୍ରାଞ୍ଚ ଅଫିସ'
ଲେଖାଶ୍ରୀ ଏହା ମଧ୍ୟ କହିଛନ୍ତି, "ମୋହନ ସରକାର ଚୟନ କରିଥିବା ପ୍ରଥମ ମୁଖ୍ୟ ଶାସନ ସଚିବ ଜଣେ ଅଣ ଓଡ଼ିଆ । ତାଙ୍କୁ ଶ୍ରୀମନ୍ଦିର ପରିଚାଳନାର କାର୍ଯ୍ୟକାରୀ ଅଧ୍ୟକ୍ଷ କରିଛନ୍ତି । ବିଜେପି ଓଡ଼ିଆ ଜାଣିନାହାନ୍ତି । ଅଥଚ ଆମକୁ ଓଡ଼ିଆ ଅସ୍ମିତା ପାଠ ପଢାଇବାକୁ ଆସିଛନ୍ତି । ମୋହନ ସରକାର ଜୋକରଙ୍କ ଆଡ୍ଡା ସ୍ଥଳ ପାଲଟିଛି । ସର୍କସ ପାଲଟିଛି । ଏଭଳି ପରିସ୍ଥିତିରେ ଓଡ଼ିଆ ଅସ୍ମିତା ଜୁମଲା ପାଲଟିଛି । ସରକାର ଓଡିଶାରୁ ନା ଦିଲ୍ଲୀରୁ ଚାଲିଛି ସ୍ପଷ୍ଟ ଜଣାପଡୁଛି । ଦିଲ୍ଲୀରୁ ନିର୍ଦ୍ଦେଶ ଆସିଲେ ଓଡିଶାରୁ ସରକାର ଚାଲିବ । ଓଡିଶାରେ CM କିମ୍ବା CMO ଚାଲିନାହିଁ । ଏଠାରେ PMOର ବ୍ରାଞ୍ଚ ଅଫିସ ଚାଲିଛି ।"