ଭୁବନେଶ୍ବର:ଜୋର ଧରିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କରିଥିଲେ ପାଣ୍ଡିଆନ । ଯାହାର ଜବାବରେ ବିଜେଡି ସାଂସଦଙ୍କ ରିପୋର୍ଟ କାର୍ଡ ମାଗିଥିଲେ ଅପରାଜିତା । ଏହାପରେ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଅପରାଜିତାଙ୍କୁ ଟାର୍ଗେଟ୍ କରିଛି ଦଳ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ପ୍ରଶ୍ନ ପଚାରିଲେ ରାଗିଯାଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅଳ୍ପକେ ରାଗିଯାଇ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ଅପମାନଜନକ ବକ୍ତବ୍ୟ ଦେଉଛନ୍ତି । ରାଗିବା ବଦଳରେ ପ୍ରଶ୍ନର ଉତ୍ତର ରଖନ୍ତୁ ଅପରାଜିତା । ଚଳିତ ନିର୍ବାଚନରେ ଭୁବନେଶ୍ୱର ସାଂସଦ ସୁନିଶ୍ଚିତ ହାରିବାକୁ ଯାଉଛନ୍ତି । ସେଥିପାଇଁ ସେ ଆଜିକାଲି ଟିକେ ଅଧିକ ରାଗି ଯାଉଛନ୍ତି । ସେ ହତୋତ୍ସାହିତ ହୋଇପଡିଛନ୍ତି । ରାଗିଯିବା ଯୋଗୁଁ ସେ ଅନେକ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି । ଅପରାଜିତାଙ୍କ ମନ୍ତବ୍ୟ ଲୋକେ ଗ୍ରହଣ କରୁନାହାନ୍ତି । ସେ ଯେଉଁ ମିଥ୍ୟା ଅଭିଯୋଗ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅପରାଜିତା ଟିକେ ଶାନ୍ତ ହୁଅନ୍ତୁ ।
ସେ ଆହୁରି କହିଛନ୍ତି, "ବିଜେପିର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନିତ ମନ୍ତବ୍ୟ ଦେବା ରାଜ୍ୟବାସୀ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବୟସ ଏବଂ ଅଭିଜ୍ଞତାକୁ ନେଇ ବିଜେପି ନେତା ଅପମାନଜନକ ବକ୍ତବ୍ୟ ଓଡିଶାବାସୀଙ୍କୁ ଦୁଃଖିତ କରିଛି । ବିଜେଡି ସବୁବେଳେ ରାଜନୈତିକ ଶାଳୀନତା ରଖି ବକ୍ତବ୍ୟ ରଖେ । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ନେତାଙ୍କ ବିରୋଧରେ କୌଣସି ଅପମାନଜନକ ମନ୍ତବ୍ୟ ଦେଇନାହିଁ ବିଜେଡି । ଏହା ଓଡ଼ିଶାର ସଂସ୍କୃତି ନୁହେଁ । ଓଡ଼ିଶାର ସଂସ୍କୃତିକୁ ବିଜେଡି ଅକ୍ଷରେ ଅକ୍ଷରେ ପାଳନ କରେ । ଅପରାଜିତା ଓ ବିଜେପିର ନେତା ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଗ୍ରହଣୀୟ ନୁହେଁ । ଏହା ଶାଳୀନ ରାଜନୈତିକ ବକ୍ତବ୍ୟ ନୁହେଁ ।"
"ରାଜ୍ୟର ରାଜଧାନୀ ଭୁବନେଶ୍ୱର ସାଂସଦ ଭାବେ ଅପରାଜିତାଙ୍କର ଅବଦାନ କଣ ବୋଲି ଭିକେ ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଏଥିରେ ଏତେ ଉତକ୍ଷିପ୍ତ ହୋଇ ରାଗିଯିବାର କ'ଣ ଅଛି ? ଅପରାଜିତାଙ୍କର ଗୋଟିଏ ମାପଦଣ୍ଡ ରହିଛି । କାମ କରିବେ ନାହିଁ କିମ୍ବା କରେଇ ଦେବେ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଯନ୍ତ୍ର କରି ଓଡ଼ିଶାର ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି । ଧର୍ମେନ୍ଦ୍ର ଓ ଅପରାଜିତା ଉଭୟ ଚାହିଁଥିଲେ ଓଡ଼ିଶାର ଅନେକ ଉନ୍ନତି କରିପାରିଥାନ୍ତେ । ଓଡ଼ିଶାର ସ୍ୱାର୍ଥ ବିରୋଧରେ ଉଭୟ ନେତା ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି" ବୋଲି କହିଛନ୍ତି ସସ୍ମିତ ପାତ୍ର ।