ଭୁବନେଶ୍ବର:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ପରେରାଜ୍ୟ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ଇପ୍ସିତା ସାହୁ ଏନେଇ ପ୍ରେସମିଟ କରିଛନ୍ତି । ବିଜେଡି ମୁଖପାତ୍ର କହିଛନ୍ତି,"ମାଳ ମାଳ ମାଫିଆଙ୍କୁ ଦଳକୁ ଆଣି ନିଜ ନେତାଙ୍କୁ ଅଣଦେଖା କରି ଚାଲିଛି ଓଡିଶା ବିଜେପି । ସବୁ ଗୁଣ୍ଡା, ଜମି ମାଫିଆ, ଠକ ଓ ବ୍ୟଭିଚାରୀ ଓଡିଶା ବିଜେପିରେ ଭର୍ତ୍ତି । କାର୍ଯ୍ୟାନୁଷ୍ଠାନ ହେଲେ ଅଧା ଓଡି଼ଶା ବିଜେପି ସଫା ହୋଇଯିବ । କାହିଁକି ବାରମ୍ବାର ବିଜେପି ପ୍ରତ୍ୟାଖ୍ୟାନ ହେଉଛି ତାହା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜାଣି ଯାଇଥିବେ ।
ବହୁ ବର୍ଷ ପରେ ଓଡିଶା ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବକ୍ତବ୍ୟ ଦେଖି ଲାଗୁଛି, ଓଡି଼ଶା ଏବଂ ଓଡିଶା ବିଜେପି ବାବଦରେ ସେ ଅବଗତ ନାହାନ୍ତି । ବିଜେଡି ଉଭୟ ମୁଖପାତ୍ର ୪ଟି ଉଦାହରଣ ରଖିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବୈଜୟନ୍ତ ପଣ୍ଡା ପାଇଁ ପ୍ରଚାର କରୁଥିଲେ, ସେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଜମି ବେଆଇନ ଭାବେ ହଡପ କରିଛନ୍ତି । ତାଙ୍କ ନାଁରେ କେସ ରହିଛି । ସେହିଭଳି ତାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସରକାରୀ ଜମି ମାଡି ବସିଛି । ବୈଜୟନ୍ତଙ୍କୁ ବିଜେଡି ଦଳରୁ ବାହାର କରିଥିବାବେଳେ ବିଜେପି ଆପଣାଇନେଇଥିଲା । ଦଳୀୟ ନେତାଙ୍କୁ ଉପେକ୍ଷା କରି ଏଭଳି ଜମି ମାଫିଆଙ୍କୁ ବିଜେପି ଟିକଟ ଦେଇଛି ।"
ଲେନିନ ମହାନ୍ତି କହିଛନ୍ତି, "ପ୍ରଶାନ୍ତ ଜଗଦ୍ଦେବ ଯିଏ ନିଜକୁ ସବୁଠାରୁ ବଡ଼ ଗୁଣ୍ଡା କୁହନ୍ତି । ସେ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଲେ । ବିଜେଡି ତାଙ୍କୁ ଦଳରୁ ବିତାଡିତ କଲା । ହେଲେ ଫୁଲମାଳ ପକାଇ ବିଜେପି ସ୍ୱାଗତ କଲା । ପୋଷ୍ଟର ବଏ ସଜାଇଲା । ବର୍ଷ ବର୍ଷ ଧରି ଦଳ ପାଇଁ ଖଟିଥିବା ନେତାଙ୍କୁ ବାଦ ଦେଇ ତାଙ୍କୁ ଟିକଟ ଦେଲା । ପ୍ରଦୀପ ପାଣିଗ୍ରାହୀ ଚାକିରି ନାଁରେ ନିଜ ନିର୍ବାଚନ ମଣ୍ଡଳୀ ସାଧାରଣ ଗରିବଙ୍କୁ ଠକିଥିଲେ । ତାଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ବାହାର କଲା । ଯାହା ବିରୋଧରେ ଓଡିଶା ବିଜେପି ଆନ୍ଦୋଳନ କରୁଥିଲା । ତାଙ୍କୁ ଫୁଲମାଳ ପକାଇ ଆଗଧାଡିର ନେତା ସଜାଇଲା । ବର୍ଷ ବର୍ଷ ଧରି ଦଳ ପାଇଁ କାମ କରୁଥିବା ନେତାଙ୍କୁ ବାଦ ଦେଇ ଜଣେ ଠକକୁ ବିଜେପି ଟିକଟ ଦେଲେ ।