କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେଡିର କାଉଣ୍ଟର । ଭୁବନେଶ୍ୱରରେ ‘କୃଷି ଓଡିଶା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ଦଳ ।''ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା କେବଳ ଓଡ଼ିଆ ବର୍ଣ୍ଣବୋଧର ଅ,ଆ ଭଳି । ତାହାଠୁ କେବେ ଆଗକୁ ଯାଉନାହାନ୍ତି ସରକାର । ନଇ ବଢିର ଦୃଶ୍ୟ ପଢ଼ିକି ଆସି ଗାଈର ଆତ୍ମକାହାଣୀ କହିବା ସରକାର ବନ୍ଦ କରନ୍ତୁ ।'' ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ ।
'ବର୍ଣ୍ଣବୋଧର ପ୍ରଥମ ପୃଷ୍ଟାରେ ରହିଗଲେ ସରକାର':
ବିଜେଡି ବିଧାୟକ ଅରୁଣ ସାହୁକହିଛନ୍ତି,"ବିଜେଡି ସରକାରର କୃତକର୍ମ ଯୋଗୁ ବିଜେପି ଆଜି କୃଷି ବିଭାଗର ଉନ୍ନତିରେ ଶ୍ରେୟ ନେଉଛି । ୭ ମାସରୁ ଅଧିକ ସମୟ ସରକାର ଚଳାଇବା ପରେ ବି ଓଡ଼ିଆ ବର୍ଣ୍ଣବୋଧର 'ଅ ଆ'ରୁ ଅଧିକ ବାଟ ଯାଉନାହାନ୍ତି । ସେ ପ୍ରଥମ ପୃଷ୍ଠାରେ ରହିଗଲେ । ବହିର ଭିତର ପୃଷ୍ଠାକୁ ଯିବାକୁ ରାଜି ନୁହନ୍ତି । ଆମେ ୭ ମାସ ଧରି ଶୁଣି ଆସୁଛୁ ଯେ, ଗତ ସରକାରରେ ୨୪ ବର୍ଷ ଧରି କିଛି ହୋଇନାହିଁ । ୨୦୦୦ ମସିହାରେ ବିଜେଡି ଯେତେବେଳେ ଶାସନ ଭାରକୁ ଆସିଲା, ସେ ସମୟରେ ରାଜ୍ୟରେ କ୍ଷୀର ଉତ୍ପାଦନ ୨୦ ଲକ୍ଷ ଲିଟର ଥିଲା । ଯାହା ଆଜି ୮୫ ଲକ୍ଷ ଲିଟରରେ ପହଞ୍ଚିଛି । ସେହିପରି ଅଣ୍ଡା ଦୈନିକ ୨୦ ଲକ୍ଷ ଆଜି ତାହା ୯୦ ଲକ୍ଷରେ ପହଞ୍ଚିଛି । ଏହା ବ୍ୟତୀତ ସେହି ସମୟରେ ରାଜ୍ୟରେ ବାର୍ଷିକ ଦେଢ଼ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଥିଲା, ଯାହା ବର୍ତ୍ତମାନ ୧୧ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ଚିଛି । ଚିକେନ୍ ଉତ୍ପାଦନ ମଧ୍ୟ ଆଶାଠୁ ଅଧିକ ରହିଛି । ଧାନ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି ଓଡିଶା । ଏହା ୨୪ ବର୍ଷରେ ପନିପରିବା ଉତ୍ପାଦନ ଦେଢ ଶହ ଲକ୍ଷ ମେଟ୍ରିକ ଟନ୍ ଛୁଇଁଛି ଯାହା ରାଜ୍ୟ ପାଇଁ ଏକ ଗୌରବର ବିଷୟ । କେନ୍ଦ୍ରରେ ୬ ଥର ଉଲ୍ଲେଖନୀୟ ସଫଳତା ପାଇଁ ବିଜେଡି ସରକାର ପୁରସ୍କୃତ ହୋଇଛି। । ତେଣୁ ଯେଉଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ଚାଷ ପାଇଁ କିଛି କରିନାହାନ୍ତି ବୋଲି କହୁଛନ୍ତି ତାହା ବନ୍ଦ କରନ୍ତୁ ।"
ଏହା ମଧ୍ୟ ପଢ଼ନ୍ତୁ...'ଦରଦାମ ନିୟନ୍ତ୍ରଣରେ ବିଫଳ ଡବଲ ଇଞ୍ଜିନ ସରକାର', ଆନ୍ଦୋଳନ କରିବ ବିଜେଡି |