ସମ୍ବଲପୁର:ଆଜି ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ l ଏହି ଅବସରରେ ସମ୍ବଲପୁରର ବିଶିଷ୍ଟ ନେତାଗଣ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ସହରର ମୋଦିପଡା ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ରୋହିତ୍ । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଆସି ପ୍ରଚାର କରିବେ, ଆମେ ସମ୍ବଲପୁର ମାଟିର ଛୁଆ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠି ବୁଲୁଛୁ ତେଣୁ ଆମକୁ ପ୍ରଚାର କରିବା ଦରକାର ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ।
ସୂଚନା ଅନୁଯାୟୀ, ରେଢ଼ାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ଆଜି ମୋଦିପଡା ଛକ ସ୍ଥିତ ବାବାସାହେବ ଆମ୍ବେଦକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମ୍ବଲପୁରବାସୀ ତଥା ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏହି ଅବସରରେ ସେ କହିଥିଲେ, ''ଚଳିତ ସାଧାରଣ ନିର୍ବାଚନରେ ତାଙ୍କର ପ୍ରମୁଖ ମୁଦ୍ଦା ରହିବ ବିକାଶ l ତାଙ୍କର ୧୦ ବର୍ଷ ବିଧାୟକ କାର୍ଯ୍ୟକାଳରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ ଓ ବ୍ରିଜ ପରି ଉନ୍ନୟନମୂଳକ କାର୍ଯ୍ୟ ଯେତିକି ପରିମାଣରେ ହୋଇଛି, ଦେଶରେ ଅନ୍ୟ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେତିକି କାମ ହୋଇନାହିଁ l ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଆସି ପ୍ରଚାର କରିବେ । ଆମେ ସମ୍ବଲପୁର ମାଟିର ଛୁଆ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠି ବୁଲୁଛୁ ଆମକୁ ପ୍ରଚାର କରିବା ଦରକାର ନାହିଁ l'' ତେବେ ରୋହିତଙ୍କ ଏହି ବୟାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଟାର୍ଗେଟ କରି କୁହାଯାଇଥିବା ନେଇ ଚର୍ଚ୍ଚା ହେଉଛି l