ଭୁବନେଶ୍ବର:ଜନଗଣନା ଓ ଜାତିଗଣନା ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି । "2025ରେ ଦେଶରେ ଜନଗଣନା ହେବ । କିନ୍ତୁ କଂଗ୍ରେସ ଓ ବିରୋଧୀ ଦଳମାନେ ଚାହୁଁଥିବା ଭଳି ଜାତିଗଣନା ହେବନାହିଁ " ବୋଲି କହିଛନ୍ତି କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶୋଭା କରନଦଲାଜେ । ଜାତିଗଣନାକୁ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛି ବିଜେଡି । "ଓବିସିଙ୍କ ନାଁରେ ଭୋଟ ମାଗୁଛି ହେଲେ ତାଲିକା ବାହାର କରିବାକୁ ବିଜେପି ପଛାଉଛି" ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ । ସେପଟେ ଅରୁଣଙ୍କୁ ଜବାବ ଦେଇଛି ବିଜେପି ।
କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ରାଜନୀତି:
Caste Census Politics (ETV Bharat Odisha) କେନ୍ଦ୍ରମନ୍ତ୍ରୀ ଶୋଭା କରନଦଲାଜେ କହିଛନ୍ତି, "2021ରେ ହେବାକୁ ଥିବା ଜନଗଣନା କୋଭିଡ ସଂକ୍ରମଣ ଯୋଗୁଁ ହୋଇପାରିଲା ନାହିଁ । ଆସନ୍ତା ବର୍ଷ ଜନଗଣନା ହେବ । କିନ୍ତୁ ଏଥିରେ ଜାତିଗଣନା ସ୍ଥାନ ପାଇବ ନାହିଁ । ଜାତି ଓ ଧର୍ମ ଅଧାରରେ ଦେଶକୁ ବିଭାଜିତ ହେବାକୁ ଦିଆଯିବ ନାହିଁ ।" କେନ୍ଦ୍ରମନ୍ତ୍ରୀଙ୍କୁ ଜୋରଦାର ଜବାବ ଦେଇଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ଜାତିଭିତ୍ତିକ ଜନଗଣନା ଅଛି । ପ୍ରତି 10 ବର୍ଷରେ ଜନଗଣନା ହେବାର ନିୟମ ରହିଛି । 2001 ଓ 2011 ମସିହାରେ ଜନଗଣନା ହୋଇଥିଲା । ହେଲେ କରୋନା ଆଳରେ 2021ରେ କେନ୍ଦ୍ର ସରକାର ଜନଗଣନା କଲେ ନାହିଁ ।"
ଅରୁଣ ଆହୁରି ମଧ୍ୟ କହିଛନ୍ତି, "ଜନଗଣନାରେ କେଉଁ ଧର୍ମର କେତେ ଲୋକ ଗଣନା ହେଉଛି । ଆଦିବାସୀ ଓ ଦଳିତଙ୍କ ସଂଖ୍ୟା ଗଣନା ହେଉଛି । ଜାତି ଓ ଧର୍ମ ଭିତ୍ତିରେ ଗଣନା ହେଉଥିବାବେଳେ ଓବିସି ଓ ସାଧାରଣ ବର୍ଗଙ୍କ ତାଲିକା ବାହାର କରିବାରେ କ୍ଷତି କ'ଣ ? ଦେଶ ସାରା ଓବିସିଙ୍କ ନାଁରେ ଭୋଟ ମାଗୁଛନ୍ତି । ହରିୟାଣାରେ ଓବିସି ପ୍ରସଙ୍ଗ ବିଜେପି ଉଠାଇଥିଲା । ବର୍ତ୍ତମାନ ଝାଡ଼ଖଣ୍ଡରେ 27 ପ୍ରତିଶତ ଓବିସି ସଂରକ୍ଷଣ କଥା ବିଜେପି କହିଛି। ଜନଗଣନା ଭିତରେ ଜାତି ଜନଗଣନା ହେଉଛି । କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରନ୍ତୁ । ନହେଲେ ଆନ୍ଦୋଳନ ତୀବ୍ର ହେବ ।"
ବିଜେଡିକୁ ବିଜେପିର କାଉଣ୍ଟର:
ଏହାର ଜବାବ ଦେଇଛି ବିଜେପି । ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି, "ବିଜେଡି ତୁଣ୍ଡରେ ଓବିସି ପ୍ରସଙ୍ଗ ଲଙ୍କାରେ ହରି ଶବ୍ଦ ପରି। ଦୀର୍ଘ ଶାସନ ସମୟରେ ଓବିସିଙ୍କୁ ନ୍ୟାୟ ଦେଇଥିବା ବିଜେଡି ଏବେ ଓବିସିଙ୍କ ପାଇଁ ପ୍ରଶ୍ନ ଉଠାଇବା ଲଜ୍ଜା ଜନକ। ସବୁ ରାଜ୍ୟରେ ଶିକ୍ଷା ସଂରକ୍ଷଣ ଦିଆହେଲା । ଓଡ଼ିଶାରେ କାହିଁକି ପାଇଲେ ନାହିଁ? ତାର ଉତ୍ତର ଅରୁଣ ବାବୁ ଦିଅନ୍ତୁ। ଜାତି ଭିତ୍ତିକ ଜନ ଗଣନା କଂଗ୍ରେସ ବନ୍ଦ କଲା। ବିଜେପି ସରକାର ଆସିବା ପରେ ରାଜ୍ୟ ଗୁଡିକୁ ଦାୟିତ୍ୱ ଦିଆଗଲା, ଆଇନ ପ୍ରଣୟନ ହେଲା। ବିଜେଡି ଶସନରୁ ଗଲା ପରେ ଏକଥା ଉଠାଉଛି । ଆଗରୁ କହୁନଥିଲା। ପୂର୍ବ ସରକାର କହିଲେ ଆମେ ଜାତି ଭିତ୍ତିକ ଜନଗଣନା କଲୁ। ସେ ତଥ୍ୟ କୁଆଡେ ଗଲା ? ପଞ୍ଚାୟତ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ବନ୍ଦ କଲା ବିଜେଡି। ବିଜେପି କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳରେ ସର୍ବାଧିକ ଓବିସି ବର୍ଗଙ୍କୁ ଗୁରୁତ୍ୱ ମିଳିଛି । ଏକଥା କହିବାକୁ ସେମାନଙ୍କର ଅଧିକାର ନାହିଁ । କେବଳ ଉପସ୍ଥିତି ଜାହିର ପାଇଁ ଆନ୍ଦୋଳନ କରିବା କଥା କହୁଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର