ଭୁବନେଶ୍ବର: ଶଙ୍ଖ ଭବନକୁ ନେଇ ରାଜସ୍ବ ମନ୍ତ୍ରୀ ରଖିଥିବା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛି ବିଜେଡି । ଟ୍ବିଟ୍ କରି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏନେଇ ପ୍ରତିକ୍ରିୟା ରଖିଥିବାବେଳେ ସାମ୍ବାଦିକ ସମ୍ମିଳନୀ କରି ଦେବୀ ମିଶ୍ର ଓ ଲେନିନ ମହାନ୍ତି କଡ଼ା ସମାଲୋଚନା କରିଛନ୍ତି । ଶଙ୍ଖ ଭବନ ଜମି ଲିଜ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟରେ କୌଣସି ଅସଙ୍ଗତି ନଥିବା ବିଜେଡି ନେତା କହିଛନ୍ତି । ରାଜସ୍ବ ମନ୍ତ୍ରୀ ଟିକେ ପାଠ ପଢି ଟିପ୍ପଣୀ ଦିଅନ୍ତୁ, ନହେଲେ ଲୋକେ ହସିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି, 'ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ, ଏଥିରେ କୌଣସି ଅସଙ୍ଗତି ନାହିଁ । ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା । ଏହା ରାଜସ୍ବ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି । ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା । ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଥିଲା, ତାକୁ ବିଜେଡି ଅନୁପାଳନ ମଧ୍ୟ କରିଥିଲା । ଏଥିରେ କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ । ସରକାରୀ ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ସ୍ବଚ୍ଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଛି । ନୂଆ ମନ୍ତ୍ରୀ ହୋଇଥିବା ସୁରେଶ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଚ୍ଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।'
ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, "ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ । ଏହା ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ସେଥିରେ ଆବଣ୍ଟନକୁ ନେଇ ବେଞ୍ଚ ମାର୍କ ଭ୍ୟାଲ୍ୟୁ ଆଇନ ଆଧାରରେ କରାଯାଇଛି । ଖାତା ନମ୍ବର 112 ପ୍ଲଟ 797, 798, 800, 797/849, ଏହି ଜମି କମ୍ପାଟ ପାର୍ସଲରେ ପଟ୍ଟା ଦିଆଯାଇଛି । ଗଙ୍ଗନଗରର ଏହି ପ୍ଲଟର ବେଞ୍ଚ ମାର୍କ ଭ୍ୟାଲ୍ୟୁ 12 କୋଟି 38 ଲକ୍ଷ 60 ହଜାର । ସବୁ ମିଶାଇ ପାଖାପାଖି 13 କୋଟି ପୈଠ କରାଯାଇଥିଲା । ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଆବେଦନକୁ ବିଚାର କରାଯାଇ ଦିଆଯାଇଛି । ବିଜେଡି ଅଫିସ ପାଇଁ 1 ଏକର 183 ଡିସିମିଲ ଯାଗା ମିଳିଥିଲା । ସେହିଦିନ ବିଜେପି ଅଫିସ ପାଇଁ ଖାରବେଳ ନଗରରେ ପାଇଥିଲେ 1 ଏକର 269 ଯାଗା ।"