ଭୁବନେଶ୍ବର:ମେଣ୍ଟ ନେଇ ବିଜେଡି-ବିଜେପି ମଧ୍ୟରେ ଏବେ ବି ଦ୍ଵନ୍ଦ ଲାଗି ରହିଛି । ଆସନ ବୁଝାମଣା ତୁଟି ନଥିବାରୁ ମେଣ୍ଟ ନେଇ ସସପେନ୍ସ ହଟିନାହିଁ । ନେତା, କର୍ମୀ ଓ ଜନତା ମେଣ୍ଟ ନେଇ ସନ୍ଦେହ ଭିତରେ ଥିବାବେଳେ ଖୁବଶୀଘ୍ର ବସିବ ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ବୈଠକ । ମେଣ୍ଟ ଚର୍ଚ୍ଚା ଭିତରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । 'କେବେ ହେବ ମେଣ୍ଟ ନେଇ ଚୂଡାନ୍ତ ଘୋଷଣା ? ବିଜେଡି-ବିଜେପି ଖାତାକୁ ଯିବ କେତେ କେତେ ଆସନ ? ଲୋକସଭା ଓ ବିଧାନସଭାରେ କାହାର ରହିବ ଅଧିକ ପ୍ରଭାବ ? କାହାକୁ ମିଳିବ କେଉଁ ଆସନ ଆଉ କାହାର ଭାଙ୍ଗିବ ସ୍ୱପ୍ନ ?' ମେଣ୍ଟକୁ ନେଇ ଏମିତି ଅସମାହିତ ପ୍ରଶ୍ନ ନେତା, କର୍ମୀ ଓ ଜନତାଙ୍କ ମନରେ ଉଙ୍କି ମାରୁଛି ।
ଅପରପକ୍ଷେ, ଉଭୟ ଦଳର ନେତା ଏହାକୁ ଖଣ୍ଡନ କରିଚାଲିଛନ୍ତି । 80ରୁ ଅଧିକ ବିଧାୟକ ଏବଂ 16ରୁ ଅଧିକ ସାଂସଦ ଜିତିବା ଲାଗି ବିଜେପି ଟାର୍ଗେଟ୍ ରଖିଛି । ଓଡି଼ଶାରେ ସରକାର ଗଢିବା ଲାଗି ବିଜେପି ପ୍ରୟାସ କରୁଛି । "ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ" ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର । ସେପଟେ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, "ମେଣ୍ଟ ହେଉ ବା ନହେଉ ବିଜେଡ଼ି 110ରୁ ଊର୍ଦ୍ଧ୍ବ ସିଟରେ ଜିତିବ" ବୋଲି ଟାର୍ଗେଟ ରଖିଛି । "ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି କିନ୍ତୁ ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଦଳ ତାହା ମାନିବ" ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।