ଭୁବନେଶ୍ବର:ଓଡିଶାରେ 2024 ଲୋକସଭା ଓ ବିଧାନସଭା ନିର୍ବାଚନରେ ବ୍ୟାପକ ଭୋଟ ଜାଲିଆତି ହୋଇଥିବା ଅଭିଯୋଗ। ଭୋଟ ଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ତାଳମେଳ ନଥିବା ନିର୍ବାଚନର 6 ମାସ ପରେ ଅଭିଯୋଗ ଆଣିଛି ବିଜେଡି । ଏହାକୁ ନେଇ ସୋମବାର ଦିନ ବିଜେଡିର ଏକ ପ୍ରତିନିଧି ଦଳ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।
ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ:
ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ଦିନ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳରେ ସୁଲତା ଦେଓ, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ମାନସ ରଞ୍ଜନ ମଙ୍ଗରାଜ, ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ନିରଞ୍ଜନ ବିଶି ପ୍ରମୁଖ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ମଣ୍ଡଳିୱାରୀ ତଥ୍ୟରେ ତାଳମେଳ ନଥିବା ତଥ୍ୟ ବିଜେଡି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ଭୋଟ ଗ୍ରହଣ ସମୟ ପରେ ମଧ୍ୟ ଇଭିଏମରେ ଭୋଟ ପଡିଥିବା ଅଭିଯୋଗ କରିଛି ଦଳ । ଭୋଟର ସଂଖ୍ୟା ଓ ଭୋଟ ହାରକୁ ନେଇ ଏଡିଆର ରିପୋର୍ଟରେ ମଧ୍ୟ ପ୍ରଶ୍ନ ଉଠିଥିଲା ।
ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ତାଳମେଳ ନାହିଁ:
ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି, "ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏକ ଦାବିପତ୍ର ଦେଇଛୁ । ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସମୟରେ ହୋଇଥିଲା । ନିର୍ବାଚନ ପରେ ଦଳ ଭୋଟିଂର ତରିକା ନେଇ ରିସର୍ଚ୍ଚ କରିଛି । ମୋଟ ଭୋଟ ଓ ଉକ୍ତ ଇଭିଏମରେ ଗଣିତ ଭୋଟରେ ଅସଙ୍ଗତି ଥିବା ଆମ ନଜରକୁ ଆସିଛି । ଫର୍ମ 17(C) ଯାହା ଭୋଟ ସମୟରେ ଫିଲଅପ ହୁଏ । ପ୍ରିଜାଇଡିଂ ଅଫିସର ଏହାକୁ କରନ୍ତି । ଫର୍ମ 20 ରିଟର୍ଣ୍ଣିଂ ଅଫିସର ଭୋଟ ଗଣତିରେ ଦିଅନ୍ତି । ଉଭୟ ତଥ୍ୟରେ ତାଳମେଳ ନଥିବା ଜାଣିବାକୁ ପାଇଛୁ ।"