ଭୁବନେଶ୍ବର:ଗୋପାଳପୁରରେ ବିଜେପି ନେତା ଓ କର୍ମୀ ରକ୍ତମୁଖା ସାଜିଥିବା ଅଭିଯୋଗ ଆଣିଛି ବିଜେଡି । ଦଳର ଅଭିଯୋଗ ଅନୁସାରେ, ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ନିର୍ଦ୍ଦେଶରେ ତାଙ୍କ ସହଯୋଗୀ ବିଜେଡି କର୍ମକର୍ତ୍ତାଙ୍କ ଉପରେ କରୁଛନ୍ତି ମରଣାନ୍ତକ ଆକ୍ରମଣ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି ବିଜେଡି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "2024 ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଛି । ମତଦାନ ଚାଲିଥିବାବେଳେ ବିଜେପି ନେତା ଓ କର୍ମୀ ପୁନର୍ବାର ରକ୍ତମୁଖା ସାଜିଛନ୍ତି । ବିଜେଡି ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ବିଜେପି ନେତା ଆକ୍ରମଣ କରିଛନ୍ତି । ଗଞ୍ଜାମରେ ଏଭିଳି ହେଉଥିବା ସକାଳେ ଆମେ ଅଭିଯୋଗ କରିଥିଲୁ । ବିଜେପି ନେତା ଓ କର୍ମୀମାନେ ଆଜି ବିଜେଡି ନେତା ଓ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରାରେ ଭୈରବୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ୩ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି । ବିଜେଡ଼ି କର୍ମୀଙ୍କୁ ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ଉପସ୍ଥିତିରେ ତାଙ୍କ ସହଯୋଗୀ ଦୀପକ ଜେନା ଓ 10ରୁ ଅଧିକ ବିଜେପି କର୍ମୀ ଆକ୍ରମଣ କରିଛନ୍ତି । ବିଜେଡି କର୍ମୀଙ୍କ ସୁନା ଚେନ ଓ ମୁଦି ଚୋରୀ କରିନେଇଛନ୍ତି ।"