ପାଟନା:ଲୋକସଭା ଟିକେଟ ପାଇଁ ୬୦ ବର୍ଷରେ ବାହା ହୋଇଥିବା ବିହାରର କୁଖ୍ୟାତ ଅପରାଧି ତଥା 'ଖାକି' ୱେବସିରିଜର ରିୟଲ ଭିଲିଆନ ଅଶୋକ ମହତୋଙ୍କ ଆଶା ପୂରଣ ହୋଇଛି । ଖବର ମିଳୁଛି ଯେ, ଅଶୋକ ମହତୋଙ୍କ ନବବିବାହିତା ପତ୍ନୀଙ୍କୁ ଆରେଜଡି ଟିକେଟ୍ ଦେଇଛି । ତାଙ୍କର ପତ୍ନୀ ଅନିତା ମୁଙ୍ଗେର ଆସନରୁ ଲୋକସଭା ନିର୍ବାଚନ ଲଢିବେ । ତେବେ ଏନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଗଣମାଧ୍ୟମର ପ୍ରଶ୍ନରେ ମଧ୍ୟ ଅଶୋକ କୌଣସି ଜବାବ ଦେଇନାହାନ୍ତି । କହିରଖୁଛୁ କି, ୧୭ ବର୍ଷ ଜେଲ ସଜ୍ଜା କାଟିଥିବା ବିହାର ବାହୁବଳୀ ଅଶୋକ ଆଇନଗତ ପ୍ରତିବନ୍ଧିକ ଯୋଗୁଁ ନିଜେ ନିର୍ବାଚନ ଲଢି ନ ପାରିବାରୁ ନିଜ ସ୍ତ୍ରୀକୁ ପ୍ରାର୍ଥୀ କରିବାକୁ କିଛି ଦିନ ତଳେ ତରବରିଆ ଭାବେ ବିବାହ କରିଥିଲେ । ବିବାହ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ତାଙ୍କୁ ପରାମର୍ଶ ଦେଇଥିଲେ ।
ସୂଚନା ଅନୁଯାୟୀ, ଅଶୋକ ମହତୋ ଶୁକ୍ରବାର ବିଳମ୍ବିତ ରାତିରେ ରାବ୍ରୀ ନିବାସରେ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ । ସେଠାରେ ଆରଜେଡି ତାଙ୍କ ପତ୍ନୀଙ୍କୁ ମୁଙ୍ଗେର ଆସନରୁ ଟିକେଟ୍ ଦେବା ନିଷ୍ପତ୍ତି ଫାଇନାଲ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ରାବ୍ରୀ ନିବାସରୁ ବାହାରିବା ପରେ ଏହି ଚର୍ଚ୍ଚା ନେଇ ଗଣମାଧ୍ୟମର ପ୍ରଶ୍ନରେ ସେ କିଛି କହିନଥିଲେ । କିନ୍ତୁ ଦାବି କରିଥିଲେ ଯେ, ''ମୁଙ୍ଗେର ଇଲାକା ଆମର ଏବଂ ବର୍ତ୍ତମାନର ମୁଙ୍ଗେର ସାଂସଦ ଲଲନ ସିଂହଙ୍କୁ ଆମେ ହରାଇବୁ ।''