କୋଲକାତା:ଦିନେ ଥିଲେ ପତି-ପତ୍ନୀ, ଏବେ କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କର ପରିଚୟ ପ୍ରତିଦ୍ବନ୍ଦ୍ବୀ । ଉଭୟ ଗୋଟିଏ ଆସନରୁ ପୃଥକ ଦଳରୁ ପରସ୍ପର ବିରୋଧରେ ଲଢୁଛନ୍ତି ନିର୍ବାଚନ । ଦେଶରେ ଏବେ ନିର୍ବାଚନ ଓ ଟିକେଟ ଚର୍ଚ୍ଚା ମଧ୍ୟରେ ପଶ୍ଚିମବଙ୍ଗରେ ଏପରି ଏକ ଭିନ୍ନ ପ୍ରତିଦ୍ବନ୍ଦ୍ବିତା ଏବେ ଗଣମାଧ୍ୟମ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ବିବାହ ବିଚ୍ଛେଦ ପରେ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବୀ ହୋଇଥିବା ଏହି ଦୁଇ ପୂର୍ବତନ ଦମ୍ପତି ହେଲେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ସୁଜାତା ମଣ୍ଡଳ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୌମିତ୍ର ଖାନ । ଉଭୟ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ସଂସଦୀୟ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ତେବେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ସୁଜାତା ଏବେ ତୃଣମୂଳ କଂଗ୍ରେସରେ ଥିବା ବେଳେ ବିଜେପିରେ ଅଛନ୍ତି ସୌମିତ୍ର । ରବିବାର ଦଳ ସୁଜାତାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏହା ପୂର୍ବରୁ ବିଜେପି ମଧ୍ୟ ଏହି ଆସନରେ ସୌମିତ୍ରଙ୍କ ନାମ ଘୋଷଣା କରିସାରିଥିଲା ।
ଉଭୟ ପ୍ରାୟ 14 ବର୍ଷ ପୂର୍ବେ ବିବାହ କରିଥିଲେ । 2010 ରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା । ସେତେବେଳେ ସୌମିତ୍ର ଭାରତୀୟ କଂଗ୍ରେସର ଜଣେ ସଦସ୍ୟ ଥିଲେ । ସୁଜୁତା ରାଜନୀତିରେ ପ୍ରବେଶ କରିନଥିଲେ । ଏକ ସରକାରୀ ସ୍କୁଲରେ ସେ ଶିକ୍ଷକତା କରୁଥିଲେ । ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । 2021 ବିଧାନସଭା ନିର୍ବାଚନ ପୂର୍ବରୁ 2020 ରେ ଟିଏମସିରେ ସାମିଲ ହୋଇଥିଲେ ସୁଜାତା । ପୂର୍ବରୁ ସୌମିତ୍ର ବିଜେପିର ସାଂସଦ ଥିଲେ । ପତ୍ନୀ ଟିଏମସିରେ ଯୋଗଦେବାର ମାତ୍ର ଦିନକ ପରେ ସେ ତାଙ୍କୁ ଛାଡପତ୍ର ପେପର ପଠାଇଥଲେ । ପରେ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସାରେ, ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।