ଭୁବନେଶ୍ବର: ଆଗକୁ ୨୦୨୪ ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ ଚଳଚଞ୍ଚଳ ହୋଇଛି ଓଡ଼ିଶା କଂଗ୍ରେସ ଶିବିର । ସୋମବାର ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କ ମଧ୍ୟରେ ଜୋଶ ଭରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାତଚିତ ହେବା ପରେ ଏହା ଖଡ୍ଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଖଡ୍ଗେଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଏହା ପୂର୍ବରୁ ଦଳୀୟ ନେତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଖଡ୍ଗେ । ଏହା ସହ ସାଧାରଣ ନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ସୋମବାର ଓଡିଶା ଗସ୍ତରେ ଆସି ପ୍ରଥମେ ଲୋୟର ପିଏମ୍ଜି ଠାରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ସାମିଲ ହୋଇଥିଲେ । ଏଠାରେ ବିଜେପି ଓ ବିଜେଡିକୁ କଡ଼ା ଟାର୍ଗେଟ କରିଥିଲେ ଖଡ୍ଗେ । ବୈଠକ ପରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଏଆଇସିସି ଅଧ୍ୟକ୍ଷ । ଦିଲ୍ଲୀ ଫେରିବା ପୂର୍ବରୁ ନେତୃବୃନ୍ଦଙ୍କ ସହ ନିର୍ବାଚନର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତଙ୍କ ସହ ଆଲୋଚନା ପରେ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦେଇ ଯାଇଛନ୍ତି ଖଡ୍ଗେ । କଂଗ୍ରେସ କାର୍ଯ୍ୟାଳୟରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ବେଳେ ଖଡ୍ଗେ ରାଜ୍ୟ ନେତୃତ୍ବଙ୍କୁ ଗ୍ରାଉଣ୍ଡକୁ ଯାଅ ଓ ଲୋକଙ୍କ ସାଥିରେ କଥା ହେଇ ସେମାନଙ୍କ ମୌଳିକ ସୁବିଧାକୁ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ।