ନୂଆଦିଲ୍ଲୀ:ହରିୟାଣାରେ ଆମ ଆଦମୀ ପାର୍ଟି (AAP) ଏକକ ଭାବେ ବିଧାନସଭା ନିର୍ବାଚନ ଲଢିବ । ଦଳ ସମସ୍ତ 90 ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ମାତ୍ର ଲୋକସଭା ନିର୍ବାଚନରେ ଦଳ ‘ଇଣ୍ଡିଆ’ ମେଣ୍ଟ ସହ ଆସନ ବୁଝାମଣା କରିବା ନେଇ ଆଜି ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି । ପୂର୍ବରୁ ଦଳ ପଞ୍ଜାବରେ ସମସ୍ତ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ଓ କଂଗ୍ରେସ ସହ କୌଣସି ଆସନ ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ହେଲେ ପଡୋଶୀ ରାଜ୍ୟ ହରିୟାଣାରେ ଦଳର ଆଭିମୁଖ୍ୟ ଟିକେ ଭିନ୍ନ ରହିଛି ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ରହିଛି । ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଆସନ ଛାଡିବେ ନାହିଁ ବୋଲି କହିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମ ଆଦମୀ ପାର୍ଟି ମଧ୍ୟ ସମାନ ଘୋଷଣା କରିଥିଲା । ଦଳ ପଞ୍ଜାବର ସମସ୍ତ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲା । ରାଜ୍ୟରେ ଦଳ ଶାସନରେ ଥିବାରୁ ସମସ୍ତ ଆସନରେ ବିଜୟୀ ହେବା ସମ୍ଭାବନା ସହ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ପଡୋଶୀ ହରିୟାଣାରେ ବିଜେପି ଶାସନରେ ରହିଛି । ତେଣୁ ସେଠାରେ ଅଧିକ ଆସନରେ ବିଜୟ ଲାଭ କରିବା ଆମ ଆଦମୀ ପାର୍ଟି ପାଇଁ ସହଜ ହେବ ନାହିଁ । ତେଣୁ ସେଠାରେ ଅଧିକ ଆସନରେ ପ୍ରାର୍ଥୀ ଦେବା ଅପେକ୍ଷା ‘ଇଣ୍ଡିଆ’ ମେଣ୍ଟର ଅନ୍ୟ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା କରିବା ପାଇଁ ଦଳ ଏପରି ଆଭିମୁଖ୍ୟ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।
ଆଜି ଏକ ପ୍ରେସମିଟରେ ଦଳ ମୁଖ୍ୟ କେଜ୍ରିଓ୍ୱାଲ ଏହି ସୂଚନା ଦେବା ସହ ବିଜେପି ଉପରେ ବର୍ଷିଥିଲେ । ତାଙ୍କୁ ବାରମ୍ବାର ଇଡି ସମନ କରାଯିବା ପ୍ରସଙ୍ଗରେ ସେ କହିଥିଲେ, ବିଜେପି ତାଙ୍କୁ ଗିରଫ କରିବା ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛି । ହେଲେ ତଥାପି ସେ ଜେଲକୁ ଯିବାକୁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ପ୍ରତି ଭୟଭୀତ ନୁହନ୍ତି ।