ବଲାଙ୍ଗିର:ଜିଲ୍ଲାରେ ରାଜନୀତି ପାଣିପାଗ ଏବେ ସବୁଠୁ ଚର୍ଚ୍ଚାରେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବା ପରେ ସବୁ ରାଜନୈତିକ ଦଳର ଆଖି ଉପରେ ବଲାଙ୍ଗିର ନିର୍ବାଚନ ଫଳାଫଳ ଉପରେ । ଗତକାଲି କଂଗ୍ରେସର ଷ୍ଟାର ପ୍ରଚାରକ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଲାଙ୍ଗିରରେ ହାଇଭୋଲଟେଜ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ରାଜ୍ୟରେ ଓ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳକୁ କଡା ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲଙ୍କ ଏହି ଗସ୍ତ ପରେ କଂଗ୍ରେସ କ୍ୟାମ୍ପରେ ଉତ୍ସାହ ଦେଖିବାକୁ ମିଳିଛି ।
ତେବେ ଗତକାଲି ରାହୁଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ‘କଂଗ୍ରେସ ଗ୍ୟାରେଣ୍ଟି’ ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ । ତାଙ୍କର ଏହି ଅଭିଭାଷଣ ଆଗକୁ ପ୍ରଭାବ ପକାଇବ ନା ନାହିଁ ତାକୁ ନେଇ ଏବେ ଚର୍ଚା ହେଉଛି । ସେପଟେ ଏହି ଗସ୍ତ ପରେ କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି । ତାଙ୍କର ଏହି ଗସ୍ତ ସାରା ଓଡ଼ିଶାରେ ପଡିବ ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି । ଏହିପରି କୋରାପୁଟ ଜୟପୁରର ଟାଣୁଆ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ସାରା ଓଡ଼ିଶାରେ ପଡିବ । ଚାଷୀ ମୂଲିଆଠୁ ନେଇ ଛାତ୍ର, ଯୁବକ-ଯୁବତୀ ମହିଳା ଆଦିବାସୀ ଓ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କଂଗ୍ରେସ ଆଣିବ ବୋଲି କହିଛନ୍ତି ତାରା ।