ବ୍ରହ୍ମପୁର: ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ୱସ୍ତି । ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ବ୍ରହ୍ମପୁର JMFC କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରି୍ଛନ୍ତି । ଆସନ୍ତାକାଲି ତାଙ୍କ ନାଁରେ ଥିବା ଆଉ ୩ଟି ମାମଲାର ଶୁଣାଣି ହେବ ।
- ପ୍ରଦୀପଙ୍କୁ ବଡ ଆଶ୍ୱସ୍ତି
ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାର ୨ ମାମଲାରେ ଆଜି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଜି କୋର୍ଟରେ ନିଜେ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ରହି ନିଜର ବୟାନ ରଖିଥିଲେ । କୋର୍ଟ ପକ୍ଷରୁ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲା (ଜି.ଆର୍ କେସ୍ ନମ୍ବର-୨୨୨୫/୨୦୨୦) ଏବଂ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ମାମଲା (ଜି.ଆର କେସ୍ ନମ୍ବର- ୫୧୧/୨୦୨୧)ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।
- ଅଭୟ ପାଠକ ଓ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ
ଅନ୍ୟପଟେ ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ ‘ଆଇଏଫଏସ’ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ କାର୍ତ୍ତିକ ପ୍ରଧାନ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିବା ବେଳେ ଗୋଳନ୍ଥରା ଥାନାରେ ଲକ୍ଷ୍ମୀ ନାୟକ ନାମ୍ନୀ ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ଆସନ୍ତାକାଲି ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରହିଥିବା ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇବ ।
- 'ପ୍ରତିଶୋଧ ରାଜନୀତି ନୁହେଁ, ସ୍ୱଚ୍ଛ ରାଜନୀତି ଉପରେ ଗୁରୁତ୍ୱ ଦିଅନ୍ତୁ'
ଏନେଇ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି, '୨ଟି ମାମଲାରେ ଅଦଲାତ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି । କୋର୍ଟ ଉପରେ ମୋର ଭରସା ଥିଲା, ଅଛି ଏବଂ ରହିବ । ଆଯଥା ମିଥ୍ୟା କେସ୍ ଦେଇ ରାଜନୈତିକ ପ୍ରତିଶୋଧ ସାଧିବା ପାଇଁ ପୂର୍ବ ସରକାର, ତାଙ୍କ ନେତୃତ୍ୱ ଓ ତାଙ୍କ କର୍ମକର୍ତ୍ତାମାନେ ଯୋଜନାବଦ୍ଧ ଭାବେ ମୋର ଚରିତ୍ରକୁ ସଂହାର କରିବା ପାଇଁ ବ୍ୟବସ୍ଥା କରିଥିଲେ । ଆଜି ମୁଁ, ମୋ ପରିବାର, ସାରା ଓଡ଼ିଶାବାସୀ ଆଶ୍ୱସ୍ତି ଅନୁଭବ କରୁଛୁ । ରାଜନୈତିକ ଲଢେଇରେ ଏତେ ତଳସ୍ତରକୁ ଯିବା ଉଚିତ ନୁହେଁ, ଯାହାଦ୍ୱାରା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ, ଭରସା ରହିବନି । ପୂର୍ବ ଦଳ ନିଜର କାର୍ଯ୍ୟଧାରାକୁ ବିଚାର କରି ପ୍ରତିଶୋଧ ରାଜନୀତିକୁ ଗୁରୁତ୍ୱ ନଦେଇ ସ୍ୱଚ୍ଛ ରାଜନୀତି ଉପରେ ଗୁରୁତ୍ୱ ଦିଅନ୍ତୁ ।’’
- 'ଷଡଯନ୍ତ୍ର କରି ହଇରାଣ କରିବାକୁ ଚାହିଁଥିଲେ ପୂର୍ବ ସରକାର'
ପୂର୍ବତନ ‘ଆଇଏଫଏସ୍’ ଅଭୟ ପାଠକ କହିଛନ୍ତି, "ସତ୍ୟର ଜିତ୍ ହୋଇଛି । କୋର୍ଟ ଆକାଶ ପାଠକ, ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେତେବେଳେର ସରକାର ଷଡଯନ୍ତ୍ର କରି ହଇରାଣ କରିବାକୁ ଚାହିଁଥିଲେ । ସେତେବେଳେର ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିଲେ । ତାଙ୍କ ସହ ଆମର ବନ୍ଧୁତା ହେବାକୁ ଯାଉଥିଲା । ଯେଉଥିପାଇଁ ତାଙ୍କ ସହ ଆମକୁ ହଇରାଣ କରାଯାଇଥିଲା ।"
- ୨ଟି ମାମଲାରେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ
ପ୍ରଦୀପଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି, "୨ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀ, ଅଭୟ ପାଠକ ଓ ଆକାଶ ପାଠକ ୩ ଜଣଙ୍କ ନାଁରେ ୨ ମାମଲା ହୋଇଥିଲା । ଏହି ୨ଟି ମାମଲାରେ ୩ ଜଣଙ୍କୁ କୋର୍ଟରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୪ ବର୍ଷ ଧରି ଚାଲିଥିବା ବିଜୁ ଜନତା ଦଳର ସରକାରରେ ଅଫିସରମାନଙ୍କର ରାଜ ଚାଲିଥିଲା । ଯେଉଁମାନେ ରାଜନେତାମାନଙ୍କ ବିରୋଧରେ ଷଡଯନ୍ତ୍ର କରି ତାଙ୍କୁ କେସରେ ଫସାଇ ଭୟଭୀତ କରୁଥିଲେ ।"
- କଣ ଥିଲା ପୁରା ମାମଲା
ଗୋପାଳପୁରର ବିଧାୟକ ଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୨୦୨୦ ମସିହା ନଭେମ୍ବର ମାସରେ ଏନେଇ ପ୍ରଥମେ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ପ୍ରଦୀପଙ୍କ ନାଁରେ ୫ଟି ମାମଲା ରୁଜୁ ହୋଇଥିଲା । ଏପରିକି ଏହାକୁ ନେଇ ପ୍ରଦୀପଙ୍କୁ ଗିରଫ ହୋଇ ଜେଲ ଯିବାକୁ ମଧ୍ୟ ପଡିଥିଲା । ତେବେ ପୂର୍ବ ସରକାରଙ୍କ ଚାପର ଶିକାର ହୋଇ କେସ୍ ଦେଇଥିବା ନେଇ ଅଭିଯୋଗକାରୀ କୋର୍ଟରେ ବୟାନ ରଖିବା ପରେ ଏବେ ୨ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆସନ୍ତାକାଲି (ବୁଧବାର) ଆଉ ୨ ମାମଲାର ଶୁଣାଣି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।
ଇଟିଭି ଭାରତ, ବ୍ରହ୍ମପୁର