ହାଇଦ୍ରାବାଦ: ପାଞ୍ଚ ବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ଗସ୍ତ କରିବାକୁ ଯାଉଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଆଲୋଚନା କରିବେ । 2000 ମସିହାରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଦ୍ୱିପାକ୍ଷିକ ବୈଠକରେ ପୁଣି ଦୁଇ ରାଷ୍ଟ୍ରମୁଖ୍ୟ ଏକାଠି ହେବେ । ଏହି ସମ୍ମିଳନୀ ଏଥର 22ତମ ବର୍ଷରେ ପାଦ ଦେବାକୁ ଯାଉଛି । ଏହି ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଚଳିତମାସ (ଜୁଲାଇ) 8 ଓ 9 ତାରିଖରେ ଋଷ ରାଜଧାନୀ ମସ୍କୋରେ ହେବ ।
2023 ମସିହା ଫେବୃଆରୀରୁ ଋଷ, ୟୁକ୍ରେନରେ ସାମରିକ ଅପରେସନ ଆରମ୍ଭ କରିବା ପରେ ଏକାଧିକ ପଶ୍ଚିମ ରାଷ୍ଟ୍ର ଋଷ ବିରୋଧରେ ଏକାଧିକ ଅର୍ଥନୈତିକ କଟକଣା ଜାରି କରିଛନ୍ତି । ଏହାରି ମଧ୍ୟରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏହି ଆଲୋଚନାକୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଏହି ଆଲୋଚନାରେ ମୁଖ୍ୟତଃ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ହିଁ ମୁଖ୍ୟ ମୁଦ୍ଦା ହେବାକୁ ଯାଉଛି ।
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋ ଗସ୍ତ କରିବେ । ହେବାକୁ ଥିବା 22ତମ ଭାରତ-ଋଷ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ହେବ । ଯଦିଓ ବର୍ଷ ବର୍ଷ ଧରି ଭାରତ ଏବଂ ଋଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଛି, ତଥାପି ଏହି ପ୍ରକ୍ରିୟାରେ ବହୁ ଅସନ୍ତୁଳିତ ଅବସ୍ଥା ମଧ୍ୟ ରହିଛି । ଏହା ଏହି ସଂସ୍କରଣରେ ଆଲୋଚନା ହୋଇପାରେ । ତେବେ ଏହି ଗସ୍ତ ପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ଆଲୋଚନାରେ ସର୍ବାଧିକ ପ୍ରାଧାନ୍ୟ ଦିଆଯିବା ନେଇ ସୂଚନା ଦେଇଛି ।
ଗତକାଲି (ଶୁକ୍ରବାର) ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି, ବର୍ଷ 2023-24ରେ ଭାରତ-ଋଷ ଦ୍ୱିପାକ୍ଷିକ ବାଣିଜ୍ୟରେ ତୀବ୍ର ଅଭିବୃଦ୍ଧି ଘଟିଛି । ଏହି ବାଣିଜ୍ୟ ପରିମାଣ ପ୍ରାୟ 65 ବିଲିୟନ ଡ଼ଲାରରେ ପହଞ୍ଚି ସାରିଛି । ମୁଖ୍ୟତଃ ଉଭୟ ଦେଶ ମଧ୍ୟରେ ଶକ୍ତିଶାଳୀ ସହଯୋଗ ରହିଛି । ଭାରତୀୟ ରପ୍ତାନି ପରିମାଣ ପ୍ରାୟ 4ବିଲିୟନ ଡଲାର ଏବଂ ଭାରତର ଆମଦାନୀ ପରିମାଣ ପ୍ରାୟ 60 ବିଲିୟନ ଡଲାର ରହଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରକ୍ରିୟା ଅସନ୍ତୁଳିତ ରହିଛି । ଯାହା ଚଳିତଥର ଆମ ଆଲୋଚନାରେ ପ୍ରାଥମିକ ପ୍ରସଙ୍ଗ ଭାବେ ରହିଛି । ଶକ୍ତି, ବ୍ୟାଙ୍କିଂ, ରେଳବାଇ ଏବଂ ଇସ୍ପାତ କ୍ଷେତ୍ରରେ ଆମର ଦୁଇ ଦେଶ ମଧ୍ୟରେ ପୁଞ୍ଜି ବିନିଯୋଗ ସମ୍ପର୍କ ମଧ୍ୟ ବଢିଛି । ଦୁଇଦେଶ ମଧ୍ୟରେ ନିବେଶ ସହଭାଗୀତା ମଧ୍ୟ ବୃଦ୍ଧି ପାଉଛି।
ସେହିପରି ବିଦେଶ ମନ୍ତ୍ରୀଙ୍କ ବ୍ୟତୀତ, ମସ୍କୋରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏହି ଶିଖର ସମ୍ମିଳନୀ ପୂର୍ବରୁ ଏହାର ଆଭିମୁଖ୍ୟ ନେଇ ସଙ୍କେତ ଦେଇଛି । ଭାରତୀୟ ଦୂତାବାସ ଅନୁଯାୟୀ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ଉଭୟ ମୋଦି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ପ୍ରାଥମିକ ପ୍ରସଙ୍ଗ ହେବାକୁ ଯାଉଛି । ଏନେଇ ପୂର୍ବରୁ ଦୁଇଦେଶ ମଧ୍ୟରେ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଦୁଇ ରାଷ୍ଟ୍ରମୁଖ୍ୟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପୁଞ୍ଜି ବିନିଯୋଗକୁ 50 ବିଲିୟନ ଡ଼ଲାର ଓ 2025 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 30 ବିଲିୟନ ଡ଼ଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ । ଏହାକୁ ଦୃଷ୍ଟିରେ ରଖି ଏକାଧିକ ପଦକ୍ଷେପ ମଧ୍ୟ ଉଭୟ ରାଷ୍ଟ୍ର ପକ୍ଷରୁ ଗ୍ରହଣ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:- ସୁନକଙ୍କ ବିଦାୟୀ ଭାଷଣ ବେଳେ କଣ ପିନ୍ଧିଥିଲେ ଅକ୍ଷତା, ନିର୍ବାଚନ ଫଳାଫଳକୁ ବଳିଗଲା ଡ୍ରେସ ଚର୍ଚ୍ଚା - Akshata Murty Dress
ତେବେ ବାଣିଜ୍ୟ ବିଭାଗର ତଥ୍ୟ ଅନୁସାରେ, 2023-24 ଆର୍ଥିକ ବର୍ଷରେ ଭାରତ-ଋଷ ଦ୍ୱିପାକ୍ଷିକ ବାଣିଜ୍ୟ ସର୍ବକାଳୀନ 65.70 ବିଲିୟନ ଡ଼ଲାରରେ ପହଞ୍ଚିଛି । ଆର୍ଥିକ 2023-24 ପାଇଁ ମୋଟ ଦ୍ୱିପାକ୍ଷିକ ବାଣିଜ୍ୟ 65.70 ବିଲିୟନ ଡ଼ଲାର୍ ରହିଛି । ଭାରତର ରପ୍ତାନି 4.26 ବିଲିୟନ ଡ଼ଲାର୍ ରହିଥିବା ବଳେଳେ ଆମଦାନୀ 61.44 ବିଲିୟନ ଡ଼ଲାର ରେକର୍ଡ ହୋଇଛି । ଭାରତରୁ ରପ୍ତାନୀର ପ୍ରମୁଖ ସାମଗ୍ରୀରେ ଫାର୍ମାସ୍ୟୁଟିକାଲ୍ସ, ଜୈବିକ ରାସାୟନିକ ପଦାର୍ଥ, ବୈଦ୍ୟୁତିକ ଯନ୍ତ୍ର ଏବଂ ଯାନ୍ତ୍ରିକ ଉପକରଣ, ଲୁହା ଓ ଇସ୍ପାତ ଆଦି ସାମଗ୍ରୀ ରହିଛି । ଋଷରୁ ଆମଦାନୀ ହେଉଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ, ସାର, ଖଣିଜ ସମ୍ପଦ, ମୂଲ୍ୟବାନ ପଥର ଏବଂ ଧାତୁ ଓ ଭେଜିଟେବଲ ଅଏଲ ଆଦି ରହିଛି । ବାଣିଜ୍ୟ ବିଭାଗର ବିବୃତ୍ତି ଅନୁଯାୟୀ, ଋଷ ସପକ୍ଷରେ ବାଣିଜ୍ୟ କାରବାର ଗତ 5 ବର୍ଷରେ ସନ୍ତୁଳିତ ରହିଛି । 2021 ବର୍ଷ ପାଇଁ ଏହା 1.021 ବିଲିୟନ ଡ଼ଲାର ଥିଲା ବୋଲି ଦୂତାବାସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।