ହାଇଦ୍ରାବାଦ: କୋଲକାତାର ପୂର୍ବ ମେଟ୍ରୋପଲିଟାନ ବାଇପାସ, ମହାନଗରର ପୂର୍ବାଞ୍ଚଳ ସହ ଚାଲିଥାଏ । ଏହା ସହରର ଦକ୍ଷିଣ ଭାଗକୁ ପୂର୍ବ ଭାଗ ସହ ସଂଯୋଗ କରେ । ସହରର ମୁଖ୍ୟ ରାସ୍ତାରେ କିଛି ଭବ୍ୟ ଏବଂ ବଡ଼ ବଡ଼ ଅଟ୍ଟାଳିକା ରହିଛି, ଏହାସହ ରହିଛି ଯୁବାଭାରତୀ ଷ୍ଟାଡିୟମ ବା ସଲ୍ଟ ଲେକ୍ ଷ୍ଟାଡିୟମ । ଏହା ଖେଳ ଏବଂ ସାଂସ୍ଖୃତିକ କାର୍ଯ୍ୟକ୍ରମ ପାଇଁ ଜଣାଶୁଣା । ଆଉ ଏହାର ଭରପୁର ମଜା ନିଅନ୍ତି ଲକ୍ଷ ଲକ୍ଷ ଦେଖଣାହାରୀ ।
ଅଧାରେ ରହିଲା ଡୁରାଣ୍ଡ କପ୍ ଫୁଟବଲ୍ ମ୍ୟାଚ:
ଅଗଷ୍ଟ ୧୮ ତାରିଖ । ଡୁରାଣ୍ଡ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ଥିଲା ଏହି ଷ୍ଟାଡିୟମ । ଆଉ ଏହି ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତେ ବେଙ୍ଗଲର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୋହନ ବାଗାନ ଏବଂ ଇଷ୍ଟ ବେଙ୍ଗଲ ଟିମ୍ । ଦୁଇ ଦଳ ପ୍ରସ୍ତୁତ ଥିଲେ, ଆୟୋଜକ ମଧ୍ୟ ପ୍ରସ୍ତୁତ ଥିଲେ, ଦେଖଣାହାରୀ ମଧ୍ୟ ମ୍ୟାଚର ଭରପୁର ମଜା ନେବାକୁ ଅପେକ୍ଷା କରିଥିଲେ । ସବୁ କିଛି ପ୍ରସ୍ତୁତ ଥିବା ବେଳେ, ପ୍ରସ୍ତୁତ ନଥିଲା ସ୍ଥାନୀୟ ପ୍ରଶାସନ ।
ଫୁଟବଲ ମ୍ୟାଚ ଉପରେ କୋଲକାତା କାଣ୍ଡର ପ୍ରଭାବ :
କୋଲକାତା RG Kar ହସପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରଭାବ । ଅଗଷ୍ଟ ୯ କାଳରାତ୍ରୀରେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ ସହ ଘଟିଥିଲା ଏହି ଅମାନୁଷିକ, ଅମାନବୀୟ ଏବଂ ଅଭାବନୀୟ କାଣ୍ଡ । ଯାହାର ପ୍ରଭାବରେ ଅଗଷ୍ଟ ୧୪ ରାତିରେ ହଟପିଟାଲ ଉପରେ ଦେଖିବାକୁ ମିଳିଥିଲା ବଡ଼ ଆକ୍ରୋଶ । ଉତ୍ତ୍ୟକ୍ତ ଲୋକେ ହସପିଟାଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । Pulmonology departmentକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲେ । ଲୋକଙ୍କ ଆକ୍ରୋଶ ଏବଂ ହସପିଟାଲ ଉପରେ ସମ୍ଭାବ୍ୟ ଆକ୍ରମଣ ନେଇ ରାଜ୍ୟ ସରକାରଙ୍କ ନିକଟରେ ଖବର ଥିଲା । ମାତ୍ର ନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ନା ପୋଲିସ-ପ୍ରଶାସନ କୌଣସି ଠୋସ ସୁରକ୍ଷା ବ୍ୟବସ୍ଥା କରିଥିଲେ ! RG Kar ହସପିଟାଲରେ ଏତେ ବଡ଼ ତୋଡ଼ଫୋଡ ଘଟଣାର ପ୍ରଭାବ ଡୁରାଣ୍ଡ କପ୍ ମ୍ୟାଚ ଉପରେ ପଡ଼ିଲା । ମ୍ୟାଚ ପାଇଁ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ମନା କରି ଦେଇଥିଲା ପ୍ରଶାସନ । ଫଳରେ ଶେଷ ମୁହୂର୍ତ୍ତରେ ବାତିଲ ହେଲା ଏହି ବଡ଼ ଏବଂ ଲୋକପ୍ରିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ।
ମ୍ୟାଚ ବନ୍ଦ ପ୍ରଭାବ:
ପ୍ରଶାସନ ଡୁରାଣ୍ଡ କପ୍ ମ୍ୟାଚକୁ ସବୁଜ ସଂକେତ ନଦେବା ପରେ ସରକାରଙ୍କ ପ୍ରତି ବଢ଼ିଥିଲା ଅସନ୍ତୋଷ । ରବିବାର ଘଟଣା, ଯାହା ମମତା ବାନାର୍ଜୀ ସରକାର ଦେଖିବାକୁ ଚାହୁଁନଥିଲେ, ଷ୍ଟାଡିୟମ ବାହାରେ ତାହା ହିଁ ହୋଇଥିଲା । ଦୁଇ କ୍ଲବ ର ହଜାର ହଜାର ସମର୍ଥକ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଯୁକ୍ତି ଥିଲା, “ଯଦି ସରକାର ଆମର ବିରୋଧକୁ ରୋକିବା ପାଇଁ ଏତେ ବଡ ପୋଲିସ କଣ୍ଟିଜେଣ୍ଟ ନିୟୋଜିତ କରିପାରୁଛନ୍ତି, ତେବେ ଷ୍ଟାଡିୟମ ଭିତରେ ସୁରକ୍ଷା ଯୋଗାଇ ନ ପାରିବା ବାହାନା କରି, ଫୁଟବଲ ମ୍ୟାଚ ବାତିଲ କରିବାକୁ କାହିଁକି ପ୍ରବର୍ତ୍ତାଉଛନ୍ତି ? ସେମାନେ କାହାକୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ? ” ଦୁଇ କ୍ଲବର ସମର୍ଥକମାନଙ୍କ ପ୍ରଦର୍ଶନ ବେଳେ ଦେଖିବାକୁ ମିିଳିଥିଲା ଏକତା । ଦୁଇ ଦଳର ସମର୍ଥକମାନେ ହାତରେ ହାତ ମିଶାଇ, କାନ୍ଧରେ କାନ୍ଧ ମିଶାଇ ମେଡିକାଲ ଡାକ୍ତର କାଣ୍ଡର ନ୍ୟାୟ ମାଗିଥିଲେ ।
ଦିଦିଙ୍କ ପାଦ ତଳୁ ମାଟି ଖସୁଛି କି ମାଟି ?
କୋଲକାତା କାଣ୍ଡ ପରେ ଦିଦିଙ୍କ ପାଦ ତଳୁ ମାଟି ଖସୁଛି କି ? କାରଣ ଘଟଣାର ପ୍ରଭାବ ଏବଂ ପ୍ରଦର୍ଶନର ଆକାରକୁ ସଠିକ ଭାବେ ଆକଳନ କରିପାରିଲା ନାହିଁକି ମମତାଙ୍କ ପ୍ରାଶାସନିକ କଳ ? ଯଦି ପୋଲିସ ଏବଂ ପ୍ରଶାସନ ନିକଟରେ ଏଭଳି କିଛି ରାଜନୈତିକ ଭୟ ଏବଂ ଡର ରହିଛି କି ? ଏଭଳି କିଛି ଗମ୍ଭୀର ପ୍ରଶ୍ନ ଉଠିବା ସ୍ବାଭାବିକ କଥା ।
ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ?
ପଶ୍ଚିମବଙ୍ଗ କିମ୍ବା ରାଜଧାନୀ କୋଲକାତାରେ ପ୍ରଦର୍ଶନ କିଛି ନୂଆ ନୁହେଁ । ମାତ୍ର କୋଲକାତା ଅଘଟଣ ପରେ ଯେଉଁ ମାତ୍ରାରେ ପ୍ରତିକ୍ରିୟାଶୀଳ ହେଲେ ସାଧାରଣ ଜନତା ତାକୁ ନେଇ ଉଠିଛି ପ୍ରଶ୍ନ ? RG Kar ହସପିଟାଲ ଡାକ୍ତରଙ୍କୁ ନ୍ୟାୟ ଦାବିରେ ଯେତେ ବଡ଼ ଧରଣର ପ୍ରଦର୍ଶନ ହେଲା, ଅଗଷ୍ଟ ୧୪-୧୫ ରାତିରେ ଯାହା ଘଟିଲା ଏବଂ ଏଥିରେ ଯେତେ ପରିମାଣର ଲୋକ ସାମିଲ ହେଲେ ତାହା ସଂପୂର୍ଣ୍ଣ ଭିନ୍ନ ଥିଲା । ସବୁଠୁ ବଡ଼ କଥା ହେଲା ରାତି ଅଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା, କ୍ୟାଣ୍ଡେଲ ଲାଇଟ ରାଲି କରିବା ଏବଂ ମହିଳା ଡାକ୍ତରଙ୍କ ପାଇଁ ନ୍ୟାୟ ମାଗିବା ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ । ଏବେ ବି ନ୍ୟାୟ ପାଇଁ ଜାରି ରହିଛି ଲଢ଼େଇ । ଏପଟେ ଷ୍ଟାଡିୟମ ବାହାରେ ବିକ୍ଷୋଭ ପ୍ରଦର୍ଶନ ବିରୋଧ ଧାରାକୁ ଅଧିକ ଶାଣିତ କରିଥିଲା । କେବଳ ସେତିକି ନୁହେଁ ଏହାର ପ୍ରଭାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, କୋର୍ଟ, କଚେରୀ , ଆଇଟି ହବ୍ ଏବଂ ମେଡିକାଲ କଲେଜଗୁଡ଼ିକରେ ଦେଖିବାକୁ ମିଳିଛି ।
ଦିଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ?
କୋଲକାତା କାଣ୍ଡ ଦିଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ସଦୃଶ । କାରଣ ଘଟଣାର ଗମ୍ଭୀରତାକୁ ପରଖି ପାରିଲେ ନାହିଁ ମୁଖ୍ୟମନ୍ତ୍ରୀ । ଅଗଷ୍ଟ ୯ ତାରଖ ଅଘଟଣ ପରେ, ଅନେକ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା ଦେଖିୂବାକୁ ମିଳିଛି । ଏଥିରୁ ଜଣାପଡୁଥିଲା, ଯେମିତି ପ୍ରଶାସନ ଏତେ ବଡ଼ ଅଭାବନୀୟ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲା । ଅବହେଳା, ସ୍ୱଚ୍ଛତାର ଅଭାବ, ଜନସାଧାରଣଙ୍କ ଆକ୍ରୋଶ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ୧- ଅପରାଧ ଘଟିଥିବା ସ୍ଥାନର ହଠାତ ନବୀକରଣ କାର୍ଯ୍ୟ, ୨- ପୀଡ଼ିତାଙ୍କ ମରଶରୀରକୁ ଅଭିଭାବକଙ୍କୁ ଦେଖାଇ ନଦେବା, ୩- ଶବଦାହ କରିବାକୁ ତର ତର ହେବା, ୪- ୧୪ ତାରିଖ ରାତିରେ ବିକ୍ଷୋଭକାରୀଙ୍କ ରୋକିବାରେ ପୋଲିସର ବିଫଳତା, ୫- ଗଣମାଧ୍ୟମ ଏବଂ ସୋସିଆଲ ମିଡିଆକୁ ଦାୟୀ କରିବା ଏବଂ ୬- ସୋସିଆଲ ମିଡିଆରେ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ - ଏସବୁ ଘଟଣାକ୍ରମ, ନିଆଁରେ ଘିଅ ଢାଳିବା ସଦୃଶ ହୋଇଥିଲା । ଏହା ସହିତ ଆର. ଜି କର ମେଡିକାଲ କଲେଜର ତତକାଳୀନ ପ୍ରିନ୍ସପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ବିବାଦୀୟ ଭୂମିକା ଘଟଣାକୁ ଅଧିକ ଉଗ୍ର କରିଥିଲା ।
ପ୍ରିନ୍ସପାଲଙ୍କ ବିବାଦୀୟ ଭୂମିକା:
ଏତେବଡ଼ ହୃଦୟ ବିଦାରକ ଘଟଣା ଘଟି ଯାଇଥିବା ବେଳେ, ଡାକ୍ତର ଘୋଷ ଏହି ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁୃିଥିବା ସଙ୍ଗୀନ ଅଭିଯୋଗ ହୋଇଥିଲା । ଘୋଷ ତାଙ୍କ ବିରୋଧରେ ହୋଇଥିବା କ୍ରୋଧର ସମ୍ମୁଖୀନ ହୋଇ ଇସ୍ତଫା ଦେଇଥିଲେ ସତ, ହେଲେ ତାଙ୍କୁ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଏବଂ ହସପିଟାଲ (CNMCH)ର ମୁଖ୍ୟ ଭାବେ ସାନି ନିଯୁକ୍ତି ଦିଆଯାଇଥିଲା । ଯାହାକୁ ନେଇ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ ପୁନର୍ବାର ବଢ଼ିବାରେ ଲାଗିଥିଲା । CNMCH ଛାତ୍ରମାନେ ତାଙ୍କ ପ୍ରବେଶକୁ ବାରଣ କରିବା ସହ ସରକାର ତାଙ୍କ ନିଯୁକ୍ତିକୁ ବାତିଲ କରିବାକୁ ବାଧ୍ୟ କରିଥିଲେ । ମମତା ସରକାରଙ୍କ ପାୱାର କରିଡରରେ ଏହି ଅର୍ଥୋପେଡିକ୍ ପ୍ରଫେସରଙ୍କ ଏପରି ଶକ୍ତି ଥିଲା ଯେ ଆର୍ଥିକ ଅନିୟମିତତା ଅଭିଯୋଗ ପରେ ମଧ୍ୟ କେହି ତାଙ୍କୁ ଛୁଇଁ ପାରୁନଥିଲେ । ଗତବର୍ଷ ଜୁନ ମାସରେ ଘୋଷଙ୍କୁ ଦୁର୍ନୀତି ଅଭିଯୋଗେ ଆର.ଜି କର ହସ୍ପିଟାଲରୁ ମୁର୍ସିଦାବାଦ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ, ମାତ୍ର ୪୦ ଦିନ ମଧ୍ୟରେ ପୁଣି ଥରେ ଫେରି ଆସିଥିଲେ । ଏହାର ଠିକ ମାସେ ପରେ ଆର.ଜି କର ମେଡିକାଲ କଲେଜର ଡେପୁଟି ସୁପରିଟେଣ୍ଡେଣ୍ଟ, ରାଜ୍ୟ ଭିଜିଲାନ୍ସ କମିଶନଙ୍କୁ ଚିଠି ଲେଖିଥିଲେ ଯେ, 'ଡାକ୍ତର ଘୋଷ ବେଆଇନ ଭାବେ ବାଓମେଡିକାଲ ବର୍ଜ୍ୟବସ୍ତୁକୁ ବିକ୍ରି କରିବା ସହ କୋଭିଡ ପାଣ୍ଠିର ଅପବ୍ୟବହାର କରିଥିଲେ । ' ଅଭିଯୋଗର ଅନୁସନ୍ଧାନ ହେଲା ସତ, ହେଲେ ତଦନ୍ତ ରିପୋର୍ଟ ରହସ୍ୟମୟ ଭାବେ ଫାଇଲର ନାଲି ଫିତା ତଳେ ଚାପି ହୋଇ ରହିଗଲା ।