ହାଇଦ୍ରାବାଦ: ଭାରତୀୟ ସହରଗୁଡ଼ିକ ବିଶ୍ୱର ସର୍ବାଧିକ ଆବର୍ଜନା ସୃଷ୍ଟିକାରୀ ସହର ମଧ୍ୟରେ ଅନ୍ୟତମ ସ୍ଥାନ ଗ୍ରହଣ କରିସାରେଲେଣି । ଆବର୍ଜନା ଉତ୍ପନର ମାତ୍ରା ଗତ କିଛି ବର୍ଷରେ ଭୟଙ୍କର ଭାବେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ, ବିଭିନ୍ନ ଭାରତୀୟ ସହରରେ ପ୍ରାୟ ବାର୍ଷିକ ପ୍ରାୟ 62 ନିୟୁତ ଟନ୍ ଆବର୍ଜନା ସୃଷ୍ଟି ହେଉଛି । ରେକର୍ଡ ଅନୁସାରେ, ସୃଷ୍ଟି ହେଉଥିବା ମୋଟ ବର୍ଜ୍ୟବସ୍ତୁର ପ୍ରାୟ ୪୩ ନିୟୁତ ଟନ୍ (ପ୍ରାୟ ୭୦%) ଅଳିଆ ବା ବର୍ଜ୍ୟବସ୍ତୁ ବିଭିନ୍ନ ଉପାୟରେ ସଂଗ୍ରହ କରାଯାଉଛି । ସେଥିମଧ୍ୟରୁ ପ୍ରାୟ ୧୨ ନିୟୁତ ଟନ୍ ଅଳିଆ ବିଭିନ୍ନ ପ୍ଲାଣ୍ଟରେ ବିଶୋଧନ କରାଯାଉଛି । ସେହିପରି ଅବଶିଷ୍ଟ ୩୧ ନିୟୁତ ଟନ୍ ଆବର୍ଜନା ଲ୍ୟାଣ୍ଡଫିଲ୍ ସାଇଟ୍ରେ ପକାଯାଉଛି । ଯାହା ଗଚ୍ଛିତ ହୋଇ ରହୁଛି ।
- ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ କଣ କହୁଛି:-
୨୦୨୦-୨୧ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟରୁ ଆକଳନ ଅନୁଯାୟୀ ଭାରତରେ ପ୍ରତିଦିନ ପ୍ରାୟ ୧୬୦୦୦୦ ମେଟ୍ରିକ୍ ଟନ୍ କଠିନ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି । ଯେଉଁଥିରୁ ପ୍ରତିଦିନ ପ୍ରାୟ ୧୫୦,୦୦୦ ମେଟ୍ରିକ୍ ଟନ୍ ସଂଗ୍ରହ କରାଯାଉଛି । ଏହି ମୋଟ ସୃଷ୍ଟି ହେଉଥିବା ଅଳିଆ ମଧ୍ୟରୁ ପ୍ରାୟ 50% ବିଶୋଧନ ପ୍ରକ୍ରିୟାରେ ବ୍ୟବହାର କରାଯାଉଥିବା ବେଳେ 18% ଲ୍ୟାଣ୍ଡଫିଲ୍ସରେ ବ୍ୟବହାର କରାଯଉଛି । ଏହି ସ୍ଥିତିକୁ ଦେଖିଲେ, ଭାରତ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଲ୍ୟାଣ୍ଡଫିଲ୍ସ ଅଳିଆ ଆବର୍ଜନା ସମସ୍ୟାର ସମାଧାନ ପାଇଁ ଏକ ଦୀର୍ଘସ୍ଥାୟୀ ରଣନୀତିର ଲକ୍ଷ୍ୟ ହାସଲ କରିବାକୁ ପଡିବ । ସେଦିଗରେ ଚିନ୍ତା କରିବାର ସମୟ ଆସିସାରିଛି ବୋଲି କହିବା ଭୁଲ ହେବନହିଁ ।
ଉଦାହରଣ ସ୍ୱରୂପ, ଜାତୀୟ ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ବଢ଼ୁଥିବା ଆବର୍ଜନା କୁତୁବ ମୀନାରର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଏପରି ଚିନ୍ତାଜନକ ସ୍ଥିତି ଭାରତରେ ବର୍ଜ୍ୟବସ୍ତୁ ପରିଚାଳନାର ଦକ୍ଷତାର ଅଭାବକୁ ଦର୍ଶାଉଛି ବୋଲି ମଧ୍ୟ କୁହାଯାଇପାରେ । ଭାରତର କୌଣସି ସହର ବର୍ଜ୍ୟବସ୍ତୁ ପରିଚାଳନାର ବିଜ୍ଞାନରେ ଦକ୍ଷତା ହାସଲ କରିନାହିଁ, ଯାହା ଏହି ସ୍ଥିତିରୁ ବାରି ହୋଇପଡୁଛି ।
- 2041 ସୁଦ୍ଧା ପ୍ରାୟ 160.96 ନିୟୁତ ଟନ୍ ଆବର୍ଜନା ସୃଷ୍ଟି ହେବ
ଆକଳନ କରାଯାଇଛି ଯେ ଦେଶର ସହରାଞ୍ଚଳରେ 2031 ମସିହା ସୁଦ୍ଧା ପ୍ରତିବର୍ଷ 107.01 ନିୟୁତ ଟନ୍ ଏବଂ 2041 ସୁଦ୍ଧା 160.96 ନିୟୁତ ଟନ୍ ଆବର୍ଜନା ସୃଷ୍ଟି ହେବ । ଯାହା ଚାରି ଦଶନ୍ଧି ମଧ୍ୟରେ ଆବର୍ଜନୀ ନିର୍ଗତର ପ୍ରାୟ ପାଞ୍ଚ ଗୁଣ ବୃଦ୍ଧିକୁ କରିବ । ଚଳିତବର୍ଷ (୨୦୨୫) ଜାନୁଆରୀ ୧୭ ତାରିଖରେ ଦିଲ୍ଲୀରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ କାର୍ଯ୍ୟକାରୀ କରିବା ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଦିଲ୍ଲୀ ନଗର ନିଗମ (MCD)ର ଭୂମିକା ଓ କାର୍ଯ୍ୟଶୈଳୀରେ ଦୃଢ଼ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ କୋର୍ଟ MCD କୁ ସମାଲୋଚନା ମଧ୍ୟ କରିଥିଲେ । ଜାତୀୟ ରାଜଧାନୀରେ ପ୍ରତିଦିନ ୧୧,୦୦୦ ଟନ୍ରୁ ଅଧିକ କଠିନ ଅଳିଆ ସୃଷ୍ଟି ହୁଏ । ବିପରୀତ କ୍ରମରେ ଦେଖିବାକୁ ଗଲେ ଏଥିପାଇଁ ପ୍ରକ୍ରିୟାକରଣ ପ୍ଲାଣ୍ଟଗୁଡ଼ିକର ଦୈନିକ କ୍ଷମତା ମାତ୍ର 8,073 ଟନ ରହିଛି । ଯାହା ଫଳରେ ପ୍ରତିଦିନ 3,000 ଟନରୁ ଅଧିକ କଠିନ ଅଳିଆ ପ୍ରକ୍ରିୟାକରଣ ହୋଇପାରୁନାହିଁ । ଫଳରେ ଏହାକୁ ଅନାବଶ୍ୟକ ଭାବେ ଗଚ୍ଛିତ ରଖିବାକୁ ବାଧ୍ୟ ହେବାକୁ ପଡୁଛି ।
- ବାୟୋମେଡିକାଲ୍ ବର୍ଜ୍ୟବସ୍ତୁ:-
ଆଉ ଏକ ଚ୍ୟାଲେଞ୍ଜ ହେଉଛି ବାୟୋମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା (BMW), ଯାହା ପାରମ୍ପରିକ ବର୍ଜ୍ୟବସ୍ତୁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଭାରତରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ (BMW)ର 96 ପ୍ରତିଶତ ପ୍ରକ୍ରିୟାକରଣ କରାଯାଉଥିବା ସରକାରୀ ଭାବେ ଦାବି କରାଯାଉଥିଲେ ସୁଦ୍ଧା ଏହି କ୍ଷେତ୍ରରେ ଭିନ୍ନ ତଥ୍ୟ ମଧ୍ୟ ରହିଛି । ସରକାରୀ ହସ୍ପିଟାଲଗୁଡ଼ିକ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିୟମାବଳୀ କାର୍ଯ୍ୟକାରୀ କରିବାରେ ମୁଖ୍ୟ ପ୍ରତିବନ୍ଧକ ହେଉଛି ପାଣ୍ଠିର ଅଭାବ । ପ୍ରଥମ BMW ନିୟମ ପ୍ରଚଳନ ପରେ, 1990 ଦଶକର ଶେଷ ଭାଗରେ ଭାରତରେ ‘ଇନସିନେରେଟର’ ବ୍ୟବହାର ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ମେଡିକାଲ ବର୍ଜ୍ୟବସ୍ତୁକୁ ନଷ୍ଟ କରିବାରେ ସହାୟକ ହୋଇଥାଏ ।
- ପ୍ଲାଷ୍ଟିକ୍ ଆବର୍ଜନା
ସେହିପରି ଆବର୍ଜନାର ମୁଖ୍ୟ ଅଂଶ ହେଲା ପ୍ଲାଷ୍ଟିକ । ପ୍ଲାଷ୍ଟିକ୍ ଆବର୍ଜନାକୁ ଅନ୍ୟାନ୍ୟ ଘରର କଠିନ ଆବର୍ଜନା ସହିତ ନିଷ୍କାସନ କରାଯାଇଥାଏ । ଏହା ପ୍ରଦୂଷଣ ସୃଷ୍ଟି କରିବା ପରି କାର୍ଯ୍ୟକୁ ଅଧିକ ଇନ୍ଧନ ଯୋଗାଇଥାଏ । କାରଣ ପ୍ଲାଷ୍ଟକ ସାମଗ୍ରୀ ସହଜରେ ନଷ୍ଟ ହୋଇନଥାଏ । ତେଣୁ ଏହି କ୍ଷେତ୍ରରେ ଭିନ୍ନ କୌଶଳ ଗ୍ରହଣ କରିବାର ଆବଶ୍ୟକତା ରହିଛି । ପ୍ରାଥମିକ ସ୍ତରରେ ଏହାକୁ ପୃଥକ କରି ପୁନଃଚକ୍ରଣ ପାଇଁ ପଠାଇବା ନିଷ୍ପତ୍ତି ଅଧିକ ପ୍ରଭାବଶାଳୀ ହେବ ବୋଲି ବିଚାର କରାଯାଏ । ତଥାପି, ଭାରତର କୌଣସି ପ୍ରମୁଖ ସହର ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ସଠିକ୍ ଭାବରେ ତଦାରଖ କରାଯାଇଥିବା ଆଇସୋଲେସନ କେନ୍ଦ୍ର ଥିବା ପରି ମନେ ହୁଏ ନାହିଁ ।
- ବର୍ଜ୍ୟବସ୍ତୁ ପରିଚାଳନାରେ ନିୟୋଜିତ ଶ୍ରମିକଙ୍କୁ କମ ପାରିଶ୍ରମିକ
ସେହିପରି ସଫେଇ କିମ୍ବା ବର୍ଜ୍ୟବସ୍ତୁ ପରିଚାଳନା ପରି କାମରେ ନିୟୋଜିତ ଶ୍ରମିକମାନଙ୍କୁ ଖୁବ କମ୍ ମଜୁରୀ ଦିଆଯାଏ । କେବଳ ସେତିକି ନୁହେଁ ବରଂ ସେମାନେ କାର୍ଯ୍ୟକ୍ଷେତ୍ରରେ ପ୍ରଦୂଷଣର ଶିକାର ମଧ୍ୟ ହୁଅନ୍ତି । ଯାହା ଫଳରେ ସେମାନେ କୌଣସି ସୁରକ୍ଷା ଉପକରଣ ପିନ୍ଧୁ ନଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ବିପଦରେ ପଡ଼ିଯାଏ । ଆମକୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଅଧିକ ଅଭିନବ ପ୍ରଯୁକ୍ତିବିଦ୍ୟା ସମାଧାନ ବିକଶିତ କରିବାକୁ ପଡିବ । ସରକାରଙ୍କୁ ତୁରନ୍ତ ଏକ 'ଜାତୀୟ କାର୍ଯ୍ୟ ଯୋଜନା' ପ୍ରସ୍ତୁତ କରିବା ଉଚିତ୍ । ଯାହା କଠିନ ବର୍ଜ୍ୟବସ୍ତୁ ସଂଗ୍ରହ, ପୁନଃଚକ୍ରଣ ଏବଂ ପୁନଃବ୍ୟବହାର ହାର ବୃଦ୍ଧି କରିବା ପାଇଁ ପଦକ୍ଷେପଗୁଡ଼ିକୁ ସମନ୍ୱିତ କରିବ । ସମ୍ଭବତଃ ଏଦିଗରେ ମଧ୍ୟ ‘MGNREGA’ ଭଳି ଯୋଜନା କାର୍ଯ୍ୟକାରୀ କରାଯାଇପାରେ ।
- ଅଭିନବ ଉପାୟ ଚିନ୍ତା କରିବାକୁ ହେବ
ଦେଶରେ ଅପଚୟ ବା ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କରିବା ପ୍ରଯୁକ୍ତିବିଦ୍ୟା ଅନେକ କ୍ଷେତ୍ରରେ ସୀମାବଦ୍ଧତା ଏବଂ ଅନିଶ୍ଚିତତା ଦ୍ୱାରା ବାଧାପ୍ରାପ୍ତ ହୋଇ ରହିଛି । ତେଣୁ ସେହିଦିଗରେ ମଧ୍ୟ ଚିନ୍ତା କରିବାର ସମୟ ଆସିଛି । ବର୍ତ୍ତମାନ ସମୟରେ କମ୍ ତାପମାତ୍ରାରେ କାର୍ଯ୍ୟ କରୁଥିବା ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନକାରୀ ପ୍ଲାଣ୍ଟଗୁଡ଼ିକ ଡାଇଅକ୍ସିନ୍, ଫ୍ୟୁରାନ୍ ଏବଂ ବିଭିନ୍ନ ପ୍ରଦୂଷକ ଏବଂ ପାଉଁଶ ଭଳି କର୍କଟ ରୋଗ ସୃଷ୍ଟିକାରୀ ଯୌଗିକର ସମ୍ଭାବ୍ୟ ଉତ୍ସ ପାଲଟିଛି । ବିଶ୍ୱର ଅନେକ ଟ୍ରିଟମେଣ୍ଟ ପ୍ଲାଣ୍ଟ ସିଧାସଳଖ ବର୍ଜ୍ୟବସ୍ତୁକୁ ତରଳାଇବା ବ୍ୟତୀତ ନୂତନ ପ୍ରକ୍ରିୟା ବ୍ୟବହାର କଲେଣି । କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା(AI)ର ସମନ୍ୱୟ, ବର୍ଜ୍ୟବସ୍ତୁ ପରିଚାଳନା ରଣନୀତିର ଦକ୍ଷତା ଏବଂ ପ୍ରଭାବରେ ବିପ୍ଳବ ଆଣିବାରେ ସହାୟକ ହୋଇପାରେ ।
ଏହି ଆଲେଖ୍ୟ ସମ୍ପୃକ୍ତ ଲେଖକଙ୍କ ନିଜସ୍ବ ମତ...