ହାଇଦ୍ରାବାଦ: ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଆଶା କରାଯାଉଛି । ଟ୍ରମ୍ପ ୨୦୨୦ରେ ବାଇଡେନଙ୍କ ଠାରୁ ନିର୍ବାଚନରେ ହାରିଯାଇଥିଲେ । ଏଥି ସହିତ, ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିବା ଟିଭି ବିତର୍କ ୫ କୋଟିରୁ ଅଧିକ ଦର୍ଶକଙ୍କୁ ପ୍ରାୟ ୯୦ ମିନିଟ୍ ଧରି ପରଦାରେ ବାନ୍ଧି ରଖିଥିଲା । ଏହି ନିର୍ବାଚନ ବିତର୍କକୁ ନେଇ ବରିଷ୍ଠ ସାମ୍ବାଦିକମାନେ ଘଣ୍ଟା ଘଣ୍ଟା ଧରି ବିଶ୍ଳେଷଣ କରୁଛନ୍ତି ଏବଂ ବିଶ୍ବସ୍ତରରେ ଆଲୋଚନା କରାଯାଉଛି । କାରଣ ଏହି ବିତର୍କରେ ଭବିଷ୍ୟତର ରାଷ୍ଟ୍ରପତିଙ୍କ ନୀତି ଓ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଛି ।
ଏହି ବିତର୍କର ମୁଖ୍ୟ ପ୍ରସଙ୍ଗ ଥିଲା ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନଙ୍କ ପ୍ରଦର୍ଶନ, ତାଙ୍କ ବୟସ, ଫିଟନେସ୍ ଏବଂ ବିଶେଷକରି ତାଙ୍କ ସ୍ମୃତିଶକ୍ତି । ଏହା ସାଧାରଣ କଥା, କାରଣ ୮୧ ବର୍ଷୀୟ ବାଇଡେନ, ବିଗତ ୪ ବର୍ଷ ମଧ୍ୟରେ ଅନେକ ଥର ଭାଷଣ ଦେବା ସମୟରେ ଏବଂ ସାମ୍ବାଦିକ ସମ୍ମିଳନୀ ସମୟରେ ହଠାତ୍ ସ୍ମୃତିଶକ୍ତି ହରାଇବା କିମ୍ବା ବିବ୍ରତ ହୋଇପଡିବା ନଜିର ରହିଛି । ଏପରିକି ଅନେକ ସ୍ଥାନରେ ତାଙ୍କୁ ମଞ୍ଚରୁ ଓହ୍ଲାଇବା ସମୟରେ ମଧ୍ୟ ଅନ୍ୟର ସାହାରା ନେବାକୁ ପଡ଼ିଛି । ଯଦି ସେ ଏହି ନିର୍ବାଚନ ଜିତୁଛନ୍ତି, ତେବେ ଆଗାମୀ ୪ ବର୍ଷ, ଅର୍ଥାତ ୮୬ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କ ସ୍ମୃତିଶକ୍ତି କିପରି ରହିବ ? ସେ ଆମେରିକାର ନେତୃତ୍ବ ନେଇପାରିବେ କି ? ଦୁଇ ଗୋଷ୍ଠୀରେ ବିଭକ୍ତ ସମାଜ ଏବଂ ବହୁ ଅନ୍ତର୍ଜାତୀୟ ବିରୋଧୀଙ୍କ ପରିଚାଳନା କରିପାରିବେ କି ?
ଯଦିଓ ଶାରୀରିକ ସ୍ତରରେ ଚମତ୍କାର ପ୍ରଦର୍ଶନ ପାଇଁ ଆଶା ଅଧିକ ନଥିଲା, ତଥାପି ଏହି କ୍ଷେତ୍ରରେ ରାଷ୍ଟ୍ରପତି ବାଇଡେନ ସମ୍ପୂର୍ଣ୍ଣ ବିଫଳ ରହିଛନ୍ତି । ଡିବେଟ ପାଇଁ ବାଇଡେନ ମଞ୍ଚରେ ଧିରେ ଧିରେ ଚାଲିକି ଯାଇଥିଲେ । ତାଙ୍କ ଭାଷଣ ଅସ୍ପଷ୍ଟ ଥିଲା ଏବଂ ମଝିରେ ମଝିରେ ସେ ସେ ଶବ୍ଦହୀନ ହୋଇପଡ଼ିଥିଲେ । ସେ ଚାକିରି, ଟିକସ ଏବଂ ଅର୍ଥ ବ୍ୟବସ୍ଥା ବିଷୟରେ କହୁଥିବାବେଳେ କୋଟି କୋଟି ବଦଳରେ ଶହ କିମ୍ବା ହଜାର ବିଷୟରେ କହିଥିଲେ । ସବୁଠାରୁ ବଡ ତ୍ରୁଟି ସେତେବେଳେ ହେଲା, ଯେତେବେଳେ ସ୍ବାସ୍ଥ୍ୟସେବା ଉପରେ ତାଙ୍କର ଯୁକ୍ତି ଅସଙ୍ଗତ ଥିଲା । ସେ ନିଜ ଭାବନାରୁ ହଟି ମନଇଚ୍ଛା ଭାବରେ କହିଲେ ଯେ 'ଆମେ ଶେଷରେ ମେଡିକେୟାରକୁ ପରାସ୍ତ କରିଛୁ ।' ପ୍ରକାଶ ଥାଉ, ବୃଦ୍ଧମାନଙ୍କ ପାଇଁ ସ୍ବାସ୍ଥ୍ୟସେବା ପାଇଁ 'ମେଡିକେୟାର' ହେଉଛି ଏକ ସରକାରୀ ଯୋଜନା ।
ଇସ୍ରାଏଲ ନୀତିକୁ ନେଇ ଦୁଇ ନେତା ଏକମତ:-
ଅନ୍ୟପକ୍ଷରେ ଟ୍ରମ୍ପ ବେଶ ସ୍ମାର୍ଟ ଦେଖାଯାଉଥିଲେ । ସେ ପରସ୍ପରର ନୀତିକୁ ଅଣଦେଖା କରି ତାଙ୍କ ସରକାର ସମୟର ନୀତିକୁ ବଖାଣିଥିଲେ । ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ କୋଭିଡ ମହାମାରୀ ସତ୍ତ୍ବେ ମୁଦ୍ରାସ୍ଫୀତି କିପରି ପରିଚାଳନା କରିଥିଲେ, ଟିକସ ହ୍ରାସ କରିଥିଲେ ଏବଂ ରୋଜଗାର ବୃଦ୍ଧି କରିଥିଲେ । ଆମେରିକାର ଇସ୍ରାଏଲ୍ ନୀତିରେ ଉଭୟ ପ୍ରାର୍ଥୀ ସମାନ ଥିବା ପରି ଦେଖାଗଲା । ଯଦିଓ ପୁନର୍ବାର ବାଇଡେନ ତାଙ୍କ ସ୍ଥିତିକୁ ସ୍ପଷ୍ଟ କରି ପାରିଲେ ନାହିଁ ଏବଂ ବୈଦେଶିକ ନୀତି ଉପରେ ପର୍ଯ୍ୟାପ୍ତ ଆଲୋଚନା ହୋଇପାରିଲାନାହିଁ । ଗର୍ଭପାତ ପ୍ରସଙ୍ଗରେ, ଯେଉଁଠାରେ ଟ୍ରମ୍ପଙ୍କ ନେତୃତ୍ବରେ ରକ୍ଷଣଶୀଳ ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି (ରୋ ବନାମ ୱେଡ)କୁ ରଦ୍ଦ କରି ଗର୍ଭପାତକୁ ବେଆଇନ କରିଦେଇଥିଲେ, ଏହି ପ୍ରସଙ୍ଗରେ ବାଇଡେନ୍ ନିଜ ମତରେ ସ୍ଥିର ରହିଥିଲେ, ଏବଂ ଅନେକ ମହିଳା ମତଦାତା ମଧ୍ୟ ଏହି ପ୍ରସଙ୍ଗରେ ବାଇଡେନଙ୍କ ସମର୍ଥନ କରିଥିଲେ ।
ଟ୍ରମ୍ପଙ୍କ ଉପରେ ଲାଗିଥିବା ବହୁ ଅପରାଧିକ ମାମଲା, ଏପରିକି ଗୁଣ୍ଡାଗର୍ଦ୍ଦି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ନେଇ ବାଇଡେନ୍ ଯେଉଁ ପ୍ରଶ୍ନ କରିଥିଲେ, ସେସବୁକୁ ଟ୍ରମ୍ପ ଟାଳି ଦେଇଥିଲେ । ଜାନୁଆରୀ ୬, ୨୦୨୧ରେ ଶେଷ ନିର୍ବାଚନରେ ହାରିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା କଂଗ୍ରେସ (ସଂସଦ) ଉପରେ ଆକ୍ରମଣ କରିଥିଲେ । ଏହି ମାମଲାରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଥିଲା ।
ବେଆଇନ ପ୍ରବାସୀ ଏବଂ ଅପରାଧ ଉପରେ ଟ୍ରମ୍ପ ମାରିଲେ ବାଜି:ପ୍ରବାସନର ଜ୍ବଳନ୍ତ ପ୍ରସଙ୍ଗରେ, ଟ୍ରମ୍ପ ତାଙ୍କ ଭାଷଣରେ ଭୋଟରଙ୍କୁ ମନାଇବା ପାଇଁ ଚେଷ୍ଟା କରୁଥିବା ପରି ମନେ ହେଉଥିଲା ଯେ ଦକ୍ଷିଣ ଆମେରିକାରୁ ଆମେରିକାରେ ବୃଦ୍ଧି ପାଉଥିବା ବେଆଇନ ପ୍ରବାସୀଙ୍କ ଉପରେ ସେ ଅଧିକ କଠୋର ହୋଇ କାର୍ଯ୍ୟ କରିବେ । ଆମେରିକାରେ ଅପରାଧର ବୃଦ୍ଧି ଏବଂ ଏହା ଉପରେ ବାଇଡେନ ପ୍ରଶାସନର ଦୁର୍ବଳ ପରିଚାଳନାକୁ ନେଇ କେତେକ ମୌଳିକ ସମାଲୋଚନାକୁ ନେଇ ଟ୍ରମ୍ପ ଫାଇଦା ଉଠାଇବାରେ ସଫଳ ହୋଇଥିଲେ । ଏଥି ସହିତ, ବିତର୍କ ସମୟରେ ବାଇଡେନ ନା ଏହି ପ୍ରସଙ୍ଗକୁ ସ୍ପଷ୍ଟ ଭାବରେ ବୁଝାଇ ପାରିଲେ, ନା ଶବ୍ଦର ବଳରେ ବ୍ୟାଖ୍ୟା କରିବାରେ ସକ୍ଷମ ହୋଇପାରିଲେ । କିନ୍ତୁ ବାଇଡେନଙ୍କ ବ୍ୟାକୁଳତମ ଉତ୍ତରକୁ ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟା ବିତର୍କର ମୁଖ୍ୟ ଆକର୍ଷଣ ପାଲଟିଗଲା ।
ବିତର୍କରେ ବାଇଡେନଙ୍କ ଖରାପ ପ୍ରଦର୍ଶନ ଡେମୋକ୍ରାଟିକ୍ ପାର୍ଟିର ନିର୍ବାଚନ ପରିଚାଳକଙ୍କୁ ଚିନ୍ତାରେ ପକାଇଛି । କାରଣ ବାଇଡେନଙ୍କ ନିର୍ବାଚନ ପ୍ରଚାର ଅଭିଯାନକୁ ପ୍ରଥମରୁ ହିଁ ତାଙ୍କ ବଢ଼ୁଥିବା ବୟସ, କମୁଥିବା ସ୍ମୃତିଶକ୍ତି ଏବଂ ବ୍ୟୟବହୁଳ ଜୀବନଯାପନ ଭଳି ପ୍ରସଙ୍ଗ ଘେରି ରହିଛି । ଯାହା ସାଧାରଣ ମତଦତାଙ୍କୁ ଚିନ୍ତାରେ ପକାଇଛି । ମତାମତ ସର୍ଭେରୁ ଜଣାପଡୁଛି ଯେ, ବାଇଡେନ ଅଧିକାଂଶ ଜାତୀୟ ତଥା ସ୍ବିଙ୍ଗ୍ ରାଜ୍ୟଗୁଡିକରେ ଟ୍ରମ୍ପଙ୍କ ପଛରେ ରହିଛନ୍ତି । ଯାହା ଆମେରିକା ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିଥାଏ ।